ଭୁବନେଶ୍ୱର : ଓଡିଶା ପୁଲିସ୍ର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ଯୋଗାଉଥିବା ଅର୍ଥ ପରିମାଣ ଗୋଟିଏ ବର୍ଷରେ ଦୁଇଗୁଣ ବୃଦ୍ଧି କରିଛନ୍ତି । ୨୦୨୪-୨୫ ବର୍ଷରେ ଏ ବାବଦରେ ଅଢେଇ ହଜାର କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ୨୦୨୫-୨୬ ବର୍ଷରେ ୫ହଜାର କୋଟି ଟଙ୍କାକୁ ଟପିଯାଇଛି । ରାଜ୍ୟର ପୁଲିସ୍ ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ଯୋଗାଉଥିବା ଅନୁଦାନ ସଂକ୍ରାନ୍ତରେ ବିଜେଡି ସାଂସଦ ସୁଲତା ଦେଓ ପଚାରିଥିବା ପ୍ରଶ୍ନରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।
କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୨୩-୨୪ ବର୍ଷରେ କେନ୍ଦ୍ର ସରକାର ଆଧୁନିକୀକରଣ ୨୩୧୮ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା । ଏଥି ମଧ୍ୟରେ ଗାଡିମୋଟର ପାଇଁ ୪୬୩ କୋଟିର ବ୍ୟୟବରାଦ ଥିବାବେଳେ ସାଇବର ପୁଲିସିଂ ପାଇଁ ୭୦ କୋଟି ଟଙ୍କା ରହିଥିଲା । ଏହିବର୍ଷ ରାଜ୍ୟର ଫିଙ୍ଗରପ୍ରିଣ୍ଟ୍ ବ୍ୟୁରୋ ଓ ସାଇବର କ୍ରାଇମ୍ ୟୁନିଟ ପାଇଁ ୨୮୦ କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା ହୋଇଥିଲା ।
୨୦୨୪-୨୫ ବର୍ଷରେ କେନ୍ଦ୍ର ସରକାର ଓଡିଶାର ପୁଲିସର ଆଧୁନିକୀକରଣ ପାଇଁ ୨୦୨୪-୨୫ ବର୍ଷରେ ମଞ୍ଜୁର କରିଥିବା ଅର୍ଥ ପରିମାଣ ୨୫୫୦ ଟଙ୍କାରେ ପହଞ୍ଚିଥିଲା । ଏହିବର୍ଷ ସାଇବର ପୁଲିସ୍ ପାଇଁ ଅର୍ଥ ପରିମାଣ ପୂର୍ବବର୍ଷ ତୁଳନାରେ ଅର୍ଥ ପରିମାଣ ତିନିଗୁଣ ବୃଦ୍ଧି ପାଇ ୨୧୦ କୋଟି ଟଙ୍କା ହୋଇଥିଲା । ଏହାବାଦ୍ ଫୋରେନସିକ୍ ଯନ୍ତ୍ରପାତି ପାଇଁ ମଧ୍ୟ ୬୩ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା ।
ଗତ ଆର୍ଥିକବର୍ଷ ଅର୍ଥାତ୍ ୨୦୨୫-୨୬ ବର୍ଷରେ କେନ୍ଦ୍ର ସରକାର ଓଡିଶା ପୁଲିସ୍ର ଆଧୁନିକୀକରଣ ପାଇଁ ମଞ୍ଜୁର କରିଥିବା ଅର୍ଥର ପରିମାଣ ୫ହଜାର କୋଟି ଟଙ୍କାକୁ ଟପିଯାଇଛି । ଏଥିରେ ସ୍ମାର୍ଟପୁଲିସିଂ ପାଇଁ ୧୫୦୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଗୁଇନ୍ଦା ସାଜ ସରଞ୍ଜାମ ପାଇଁ ୧୩୧୬ କୋଟି, ତାଲିମ ପାଇଁ ୫୦୭ କୋଟି, ଯୋଗାଯୋଗ ଯନ୍ତ୍ରପାତି ପାଇଁ ୩୪୩ କୋଟି, ସୁରକ୍ଷା ଓ ଅନ୍ୟାନ୍ୟ ସାଜ ସରଞ୍ଜାମ ପାଇଁ ୫୮୮ କୋଟି ଟଙ୍କାର ଅର୍ଥ ମଞ୍ଜୁର ହୋଇଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦିନକୁ ଦିନ ଅପରାଧର ଢାଞ୍ଚା ବଦଳୁଥିବାରୁ ପୁଲିସ୍ ଆଧୁନିକୀକରଣ ଜରୁରୀ ହୋଇ ପଡୁଛି । ଉଭୟ ଜଙ୍ଗଲ, ଜଳପଥ ଆଦିରେ ଅପରାଧୀ ଓ ଅନୁପ୍ରବେଶକାରୀଙ୍କୁ ମୁକାବିଲା କରିବା ସହିତ ସାଇବର ଅପରାଧ ମୁକାବିଲା ଏବେ ଓଡିଶା ପୁଲିସ୍ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଯଦିଓ ପୁଲିସ୍ ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କ ଅଧିନରେ ରହିଛି କିନ୍ତୁ ଏହାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ଦେଇଥାନ୍ତି । (ତଥ୍ୟ)

