Home Education କାର୍ଯ୍ୟକାରୀ ହେଉନି ଶିକ୍ଷକ ନିଯୁକ୍ତି ସୁପାରିଶ୍‍

କାର୍ଯ୍ୟକାରୀ ହେଉନି ଶିକ୍ଷକ ନିଯୁକ୍ତି ସୁପାରିଶ୍‍

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ବିଭିନ୍ନ ସରକାରୀ ସ୍କୁଲଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀମାନ ପୂରଣ କରିବାପାଇଁ ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟି ବାରମ୍ବାର ସୁପାରିଶ୍‍ କରୁଥିଲେ ମଧ୍ୟ ସ୍ଥିତିରେ ବିଶେଷକିଛି ଉନ୍ନତି ପରିଲକ୍ଷିତ ହେଉନାହିଁ ।

ଠିକା ଶିକ୍ଷକ ନିଯୁକ୍ତି କରି ତାକୁ ଛଅବର୍ଷ ପରେ ନିୟମିତ କରିବାପାଇଁ ଥିବା ପ୍ରଥାକୁ ରଦ୍ଦକରି ନିୟମିତ ନିଯୁକ୍ତି ଦେବାପାଇଁ ଗତବର୍ଷ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ୍‍ କରିଥିଲେ । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏ ସଂକ୍ରାନ୍ତରେ ଅନ୍ୟ ବିଭାଗମାନଙ୍କ ସହ ଆଲୋଚନା କରାଯାଇଛି ଏବଂ ନିୟମିତ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଲାଗି କାର୍ଯ୍ୟାନୁଷ୍ଠାନ ସରକାରୀ ସ୍ତରରେ ଚାଲିଛି ।

ଚଳିତବର୍ଷ ବିଧାନସଭା ଷ୍ଟାଣ୍ଡିଂ କମିଟି ଗତ ମାର୍ଚ୍ଚ ୫ ତାରିଖରେ ଏହାର ଅଧ୍ୟକ୍ଷ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏହି କମିଟି ୨୦୨୬-୨୭ ବର୍ଷର ବଜେଟ୍‍ ଅଟକଳ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବା ସଂଗେ ସଂଗେ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନଗୁଡିକରେ ଖାଲି ପଡିଥିବା ପଦବୀଗୁଡିକୁ ସ୍ୱଚ୍ଛତାର ସହ ପୂରଣ କରିବାପାଇଁ ସୁପାରିଶ୍‍ କରିଥିଲେ । ଶିକ୍ଷକ ନିଯୁକ୍ତି ଠିକଣା ଭାବେ ହେଲେ ଶିକ୍ଷାର ଗୁଣାତ୍ମକ ବିକାଶ ବାଧାପ୍ରାପ୍ତ ହେବନାହିଁ ବୋଲି କମିଟି ମତ ଦେଇଥିଲେ ।

ଏହାଛଡା ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଖାଲି ପଡିଥିବା ଶିକ୍ଷକ ପଦବୀଗୁଡିକ ଯେତେଶୀଘ୍ର ସମ୍ଭବ ପୂରଣ କରି ଗୁଣାତ୍ମକ ଶିକ୍ଷାର ମାନ ଅଭିବୃଦ୍ଧି ଲାଗି ବିଧାନସଭା କମିଟି ସ୍ପଷ୍ଟଭାବେ ସୁପାରିଶ୍‍ କରିଛନ୍ତି । ଏହାଛଡା ବିଦ୍ୟାଳୟଗୁଡିକ ଲାଗି ଅଧିକ ଶ୍ରେଣୀଗୃହ ବ୍ୟବସ୍ଥା କରିବା ଏବଂ ଭିତ୍ତିଭୂମିରେ ଉନ୍ନତି ଆଣିବାପାଇଁ ମଧ୍ୟ ସୁପାରିଶ୍‍ କରାଯାଇଥିଲା । ଷ୍ଟାଣ୍ଡିଂ କମିଟିର ରିପୋର୍ଟ ବିଧାନସଭାରେ ଗତ ମାର୍ଚ୍ଚ ୯ତାରିଖରେ ମଧ୍ୟ ଉପସ୍ଥାପନ କରାଯାଇଥିଲା ।

ଏହି ରିପୋର୍ଟ ଉପସ୍ଥାପନ କରିବାର ଇତି ମଧ୍ୟରେ ପ୍ରାୟ ୪ମାସରୁ ଅଧିକ ସମୟ ବିତିଗଲାଣି । ଗ୍ରୀଷ୍ମାବକାଶ ପରେ ବିଦ୍ୟାଳୟଗୁଡିକ ଖୋଲିଥିଲେ ମଧ୍ୟ କେଉଁଠି ଶିକ୍ଷକ ଅଭାବରୁ ତ ଆଉ କେଉଁଠି ଶ୍ରେଣୀଗୃହ ଅଭାବରୁ ପାଠପଢା ବ୍ୟାହତ ହେଉଥିବା ଘେନି ଗଣମାଧ୍ୟମରେ ବାରମ୍ବାର ସମ୍ବାଦ ପ୍ରକାଶ ପାଉଛି । ଏମିତିକି କେତେକ ସ୍ଥାନରେ କୁନି କୁନି ପିଲା, ଅଭିଭାବକ ଓ ଗ୍ରାମବାସୀମାନେ ଏ ପ୍ରସଙ୍ଗରେ ଆନ୍ଦୋଳନ ମଧ୍ୟ କରୁଛନ୍ତି ।

ଏସବୁ ସତ୍ୱେ ଶିକ୍ଷକ ମରୁଡି ଉତ୍କଟ ଅବସ୍ଥାରେ ରହିଛି । ଦଶନ୍ଧି ଦଶନ୍ଧି ଧରି ଶିକ୍ଷମ ମରୁଡି ଓ ଶ୍ରେଣୀଗୃହ ସମସ୍ୟା ଲାଗି ରହିବା ଫଳରେ ପ୍ରାଥମିକ ସ୍ତରରୁ ପିଲାମାନଙ୍କ ମୂଳଦୂଆ ଦୁର୍ବଳ ହେଉଛି । ଯାହା ଫଳରେ ପ୍ରଥମରୁ ଯାଇ ଦଶମରେ ପହଞ୍ଚିଲା ବେଳକୁ ଲକ୍ଷ ଲକ୍ଷ ପିଲା ପାଠପଢା ଛାଡି ଦେଉଛନ୍ତି । ଏମିତିକି ମାଟ୍ରିକ ପରୀକ୍ଷା ଦେବାପାଇଁ ଫର୍ମ ପୂରଣ କରିଥିବା ହଜାର ହଜାର ଛାତ୍ରଛାତ୍ରୀ ବି ପରୀକ୍ଷା ଦେଉନଥିବା ଚିନ୍ତାର ବିଷୟ ହୋଇଛି । ଏହାର ପ୍ରମୁଖ କାରଣ ଶିକ୍ଷକ ମରୁଡି ଓ ଶ୍ରେଣୀଗୃହର ଅଭାବ ବୋଲି ଶିକ୍ଷାବିତ୍‍ମାନେ କହୁଛନ୍ତି । ବିଦ୍ୟାଳୟର ଶିକ୍ଷା ଅବସ୍ଥା ଏଭଳି ସ୍ଥିତିରେ ଥିବାବେଳେ ବେଡି ଉପରେ କୋରାଡା ଭଳି ପ୍ରଥମ ରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ସାଂଘାତିକ ତ୍ରୁଟି ଏବର୍ଷ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି । ବହୁ ସ୍ଥାନରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଜନଗଣନା, ଏସ୍‍ଆଇଆର ଆଦି କାମରେ ବ୍ୟସ୍ତ ରହୁଥିବାରୁ ସମସ୍ୟା ଅଧିକ ଉତ୍କଟର ହେଉଛି । ରାଜ୍ୟରେ ବିଏଡ୍‍, ଏମଏଡ୍‍, ସିଟି ତାଲିମପ୍ରାପ୍ତ ଲକ୍ଷ ଲକ୍ଷ ଯୁବକ ଯୁବତୀ ବେକାର ହୋଇ ବୁଲୁଥିବାବେଳେ ଏମାନଙ୍କୁ ଖାଲିଥିବା ଶିକ୍ଷକ ପଦବୀରେ କିନ୍ତୁ ତୁରନ୍ତ ନିଯୁକ୍ତି ଦିଆଯାଇ ପାରୁନଥିବା ଘେନି ଗୁରୁତର ଅଭିଯୋଗ ହେଉଛି । (ତଥ୍ୟ)