Home News in Odia ରଥଯାତ୍ରରେ ଦୁଇଗୁଣା ବସ୍‍ ଭଡା ଆଦାୟ

ରଥଯାତ୍ରରେ ଦୁଇଗୁଣା ବସ୍‍ ଭଡା ଆଦାୟ

ଭୁବନେଶ୍ୱର : ପରିବହନ ବିଭାଗର ସମସ୍ତ ପ୍ରକାର ତାଗିଦା ସତ୍ୱେ ରଥଯାତ୍ରା ସମୟରେ ଘରୋଇବସ୍‍ଗୁଡିକ ମନଇଚ୍ଛା ଭଡା ଆଦାୟ କରୁଛନ୍ତି । ପୁରୀରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କ ଠାରୁ ୨୦୦ ଟଙ୍କା କରି ଭଡା ଆଦାୟ କରାଯାଉଛି । ପ୍ରତିବାଦ କଲେ ବସ୍‍ ଅଧିକ ରାସ୍ତା ଦେଇ ଯାଉଥିବାରୁ ଏହି ଭଡା ଦେବାକୁ ପଡିବ ବୋଲି କୁହାଯାଉଛି ।

ରଥଯାତ୍ରା ପାଇଁ ପୁରୀ ଯାଉଥିବା ବହୁ ଲୋକେ ବସ୍‍ ଉପରେ ନିର୍ଭର କରୁଛନ୍ତି । ସରକାରଙ୍କ ଟ୍ରାଫିକ ନିୟମ ଅନୁଯାୟୀ ବସ୍‍ଗୁଡିକ ନିର୍ଦ୍ଧାରିତ ରୁଟ୍‍ରେ ଚଳାଚଳ କରୁଛନ୍ତି । ତେବେ ଭିଡ ସମୟରେ କେତେକ ବସ୍‍ ପୁରୀରୁ କୋଣାର୍କ-ନିମାପଡା ଦେଇ ଭୁବନେଶ୍ୱର ଆସୁଛନ୍ତି । ଆଉ କେତେକ ବସ୍‍ ପୁରୀରୁ ବୀର ହରେକୃଷ୍ଣପୁର ଦେଇ ସିଧାସଳଖ ଭୁବନେଶ୍ୱର ଓ କଟକ ଯାଉଛନ୍ତି । ତେବେ ଏହି ବସ୍‍ଗୁଡିକ ଯାତ୍ରୀମାନଙ୍କ ଠାରୁ ଦୁଇଗୁଣାରୁ ଅଧିକ ଭଡା ଆଦାୟ କରୁଛନ୍ତି । କାରଣ ସାଧାରଣ ସମୟରେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଘରୋଇ ବସ୍‍ ଭଡା ୭୦ ରୁ ୮୦ ଟଙ୍କା ରହିଥାଏ ।

ରଥଯାତ୍ରା ସମୟରେ କାଳେ ଘରୋଇ ବସ୍‍ଗୁଡିକ ଲୋକଙ୍କ ଠାରୁ ଅଧିକ ଭଡା ଆଦାୟ କରିବେ ସେଥିପାଇଁ ପରିବହନ ବିଭାଗର ଅଧିକାରୀମାନେ ଘନ ଘନ ବୈଠକ କରିବା ସହିତ ଅଧିକ ଭଡା ଆଦାୟକଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଥିଲେ । ହେଲେ ଏହି ଚେତାବନୀକୁ ଘରୋଇ ବସ୍‍ଗୁହିକ ଖାତିର କରିନାହାନ୍ତି । ଯାତ୍ରୀଙ୍କ ବିକଳିଆ ଅବସ୍ଥାକୁ ଦେଖି ବସ୍‍ଗୁଡିକ ଚଢା ହାରରେ ଅର୍ଥ ଆଦାୟ କରୁଛନ୍ତି । ଯାତ୍ରୀ ପିଛା ୨୦୦ ଟଙ୍କା ଆଦାୟ କରୁଥିଲେ ମଧ୍ୟ ସେମାନଙ୍କୁ ଟିକଟ ଦିଆଯାଉ ନାହିଁ ।

ଘରୋଇ ବସ୍‍ଗୁଡିକ ୨୦୦ ଟଙ୍କା ଭଡା ଆଦାୟ କରୁଥିବାବେଳେ ସରକାରଙ୍କ ନିୟନ୍ତ୍ରିତ ୧୨୦ ଟଙ୍କା କରି ନେଉଛନ୍ତି । ରଥଯାତ୍ରା ସମୟରେ ବସ୍‍ଗୁଡିକ କେତେ ପରିମାଣରେ ଭଡା ଆଦାୟ କରୁଛନ୍ତି ଓ ଯାତ୍ରୀଙ୍କୁ କିଭଳି ସେବା ଯୋଗାଉଛନ୍ତି ସେ ସଂକ୍ରାନ୍ତରେ ପରିବହନ ବିଭାଗର ସ୍କ୍ୱାଡ୍‍ ଯାଞ୍ଚ କରିବାକଥା । ହେଲେ ଏଭଳି ଯାଞ୍ଚ ଦେଖିବାକୁ ମିଳୁନଥିବାରୁ ଘରୋଇ ବସ୍‍ଗୁଡିକ ବେପରୁଆ ଭାବେ ଭଡା ଆଦାୟ କରିବାରେ ଲାଗିଛନ୍ତି ।

ପୁରୀ ଆସୁଥିବା ଯାତ୍ରୀମାନଙ୍କ ଲାଗି ପରିବହନ ବିଭାଗ ପକ୍ଷରୁ ମାଗଣା ଅଟୋସେବା ଯୋଗାଇ ଦିଆଯାଉଛି । ତାଳବଣିଆ ଠାରୁ ବଡଦାଣ୍ଡ ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ପାଇଁ ମାଗଣା ପରିବହନ ସେବାର ବ୍ୟବସ୍ଥା ହୋଇଛି । ଏହାଛଡା ବିଶ୍ରାମସ୍ଥଳ, ମାଗଣା ଖାଦ୍ୟ ମଧ୍ୟ ବିଭାଗ ଦେଉଛି । ଦିବ୍ୟାଙ୍ଗମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଭାଗର ଏତେ ସବୁ ସକରାତ୍ମକ ପଦକ୍ଷେପ ସତ୍ୱେ ଘରୋଇ ବସ୍‍ ଭଡାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକଟ କରୁଛନ୍ତି । ପରିବହନ ବିଭାଗ କେବଳ ବୈଠକରେ ନାଲିଆଖି ନଦେଖାଇ ରାସ୍ତାଘାଟରେ ଅତିର୍କିତ ଚଢାଉ କଲେ ଏଭଳି ଭଡା ଆଦାୟ ଉପରେ ବ୍ରେକ୍‍ ଲାଗିପାରନ୍ତା ବୋଲି କେତେକ ଯାତ୍ରୀ ମତ ଦେଇଛନ୍ତି । (ତଥ୍ୟ)