ଭୁବନେଶ୍ୱର : ଓଡିଶାର ବିଭିନ୍ନ ଅଞ୍ଚଳରେ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମସ୍) ର ଶାଖା ଖୋଲିବାପାଇଁ ଦାବି ଉଠୁଥିବାବେଳେ ଆଉ କୌଣସି ନୂଆ ଶାଖା ଖୋଲିବା ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରୋକ ଠୋକ୍ ଭାବେ କହିଛି ।
ଏଠାରେ ଉଲ୍ଲେଖନୀୟ ଯେ ଭୁବନେଶ୍ୱର ଏମସ୍ର ବାଲେଶ୍ୱର ଠାରେ ଏକ ସାଟେଲାଇଟ୍ କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଗତ ମାସରେ ରାଇରଙ୍ଗପୁର ଠାରେ ଅନ୍ୟଏକ କେନ୍ଦ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଛି । ସମ୍ବଲପୁର, ରାଉରକେଲା, ରାୟଗଡା ଓ ବ୍ରହ୍ମପୁରରେ ଏମସର ଶାଖା ଖୋଲିବା ଲାଗି ଦୀର୍ଘଦିନରୁ ଦାବିହୋଇ ଆସୁଛି ।
ଆଜି ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଭୁବନେଶ୍ୱର ଠାରେ ପ୍ରତିଷ୍ଠା ହୋଇଥିବା ଏମସ୍ର ବାଲେଶ୍ୱର ଠାରେ ଏକ ସାଟେଲାଇଟ୍ କେନ୍ଦ୍ର ରହିଛି । ତେବେ ଓଡିଶାର ଅନ୍ୟ କୌଣସି ଠାରେ ଭୁବନେଶ୍ୱର ଏମସ୍ର ଶାଖା ଖୋଲିବା ଲାଗି ଏବେ କୌଣସି ପ୍ରସ୍ତାବ ନାହିଁ । ଏଭଳି ସ୍ଥିତିରେ ରାଇରଙ୍ଗପୁର ଠାରେ ଏମସ୍ ଶାଖା ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଯେଉଁ ଘୋଷଣା କରାଯାଇଥିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଦେଶର ଅଗ୍ରଣୀ ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡିକ ଭିତରେ ଭୁବନେଶ୍ୱର ଏମସ୍ ଭଲ ସ୍ଥାନରେ ରହିଛି । ତେବେ ଏଠାରେ ପ୍ରାୟ ଏକ ତୃତୀୟାଂଶ ଡାକ୍ତର ଶିକ୍ଷକ, ଡାକ୍ତର ଓ ଅନ୍ୟାନ୍ୟ ପଦ ପଦବୀ ଖାଲି ପଡିଥିବାବେଳେ ବର୍ଷକୁ ବର୍ଷ କିନ୍ତୁ ଉତ୍ତମମାନର ଚିକିତ୍ସା ଯୋଗୁଁ ରୋଗୀସଂଖ୍ୟା ବଢୁଛି । ଏମିତିକି ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ଆଦିରୁ ବହୁ ରୋଗୀ ଭୁବନେଶ୍ୱର ଏମସ୍ ଆସୁଛନ୍ତି ।
ଏ ପରିପ୍ରେକ୍ଷୀରେ ଭୁବନେଶ୍ୱର ଏମସ୍ରେ ଖାଲି ପଡିଥିବା ସମସ୍ତ ପଦ ପଦବୀ ପୂରଣ ସହିତ ରୋଗୀଙ୍କ ଆବଶ୍ୟକତାକୁ ଆଖିଆଗରେ ରଖି ଏହାର ସମ୍ପ୍ରସାରଣ ଲାଗି ମଧ୍ୟ ଦାବି ଉଠୁଛି । ଗତ ନିର୍ବାଚନ ସମୟରେ ସମ୍ବଲପୁରରେ ଏମସ୍ ଶାଖା ଖୋଲିବାପାଇଁ ବିଜେପି ପକ୍ଷରୁ ଘୋଷିତ ସଙ୍କଳ୍ପପତ୍ରରେ କୁହାଯାଇଥିଲା । ସେହିପରି ରାଉରକେଲା ଓ ବ୍ରହ୍ମପୁରରେ ଏମସ୍ ଶାଖା ପ୍ରତିଷ୍ଠା ଦାବି ମଧ୍ୟ ଦୀର୍ଘବର୍ଷରୁ ଉଠୁଛି ।
ଅନ୍ୟ ପକ୍ଷରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବାରୁ ଏମସ୍ର ଚିକିତ୍ସକମାନେ ନାକେଦମ ହେଉଥିବା ଏବଂ ରୋଗୀ ଦେଖାଇବା ଲାଗି ଟିକଟ କରିବାପାଇଁ ଲୋକେ ରାତି ଅନିଦ୍ରା ହୋଇ ବର୍ଷା କାକରରେ ଏମସ୍ ପରିସରରେ ଧାଡି ଲଗାଇ ପଡି ରହୁଥିବାବେଳେ ନିୟମିତ ବ୍ୟବଧାନରେ ବାଲେଶ୍ୱରକୁ ଯାଇ ଚିକିତ୍ସାସେବା ଯୋଗାଇବା କଷ୍ଟକର ହୋଇପଡୁଛି । ବାଲେଶ୍ୱର ଏମସ୍ ଶାଖା ପାଇଁ ସ୍ୱତନ୍ତ୍ର ଭାବେ ଡାକ୍ତର ଓ ଅନ୍ୟ କର୍ମଚାରୀ ନିଯୁକ୍ତ କରିବାଲାଗି ବି ଦାବି ହେଉଛି । (ତଥ୍ୟ)

