ଭୁବନେଶ୍ୱର : ସାର ସଙ୍କଟକୁ ଦେଖି ଚଳିତବର୍ଷ ଚାଷକାର୍ଯ୍ୟ ଲାଗି ସାରର ବିକଳ୍ପ ବ୍ୟବସ୍ଥା ପାଇଁ ସରକାର ଅଣ୍ଟା ଭିଡିଥିବାବେଳେ ସବୁଜସାର କୁହାଯାଉଥିବା ଧନିଚାର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ତାହାକୁ ଚାଷୀମାନେ ଖୁବ୍ କମ୍ ପରିମାଣରେ ବ୍ୟବହାର କରିଛନ୍ତି । ବିଶେଷକରି ଏଥିରେ ଡିବିଟି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଓ ଠିକଣା ସମୟରେ ଚାଷୀଙ୍କ ନିକଟରେ ନହପଞ୍ଚିବାରୁ ଏହି ଜୈବିକ ସାର ବହୁଳ ପରିମାଣରେ ବ୍ୟବହାର ହୋଇପାରି ନାହିଁ ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସମଗ୍ର ଦେଶରେ ଏବେ ସାର ସଙ୍କଟ ପରିଲକ୍ଷିତ ହୋଇଛି । ରାଜ୍ୟରେ ଚାଷକାର୍ଯ୍ୟ ଆରମ୍ଭ ହୋଇଥିବାରୁ ଚାଷୀମାନେ ଏବେ ୟୁରିଆ, ଡିଏପି, ଗ୍ରୋମୋର ଭଳି ସାର ଆବଶ୍ୟକ କରୁଛନ୍ତି । କିନ୍ତୁ ସାର ସଙ୍କଟ ଯୋଗୁଁ ବହୁ ସ୍ଥାନରେ ଏହା ଚଢା ଦରରେ ବିକ୍ରି ଆରମ୍ଭ ହୋଇଗଲାଣି ।
କୃଷି ବିଭାଗ ଏବେ ସାରର ବିକଳ୍ପ ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ତେବେ ଧନିଚା ଭଳି ସବୁଜ ସାରର ବ୍ୟବହାର ଦ୍ୱାରା ରସାୟନିକ ସାରର ଚାପ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଥାଏ । ଏହା ଜମିକୁ ଉର୍ବର ରଖିବା ସହିତ ପରିବେଶ ଅନୁକୂଳ ହୋଇଥାଏ । ହେଲେ ଚଳିତବର୍ଷ ଧନିଚା କିଲୋ ୧୯୧.୨୦ଟଙ୍କାରେ ଚାଷୀମାନଙ୍କୁ କିଣିବାକୁ କୁହାଯାଇଥିଲା । ଚାଷୀମାନେ ପ୍ରଥମେ ଏହି ଦରରେ କିଣିବାପରେ ଡିବିଟି ଜରିଆରେ ସେମାନଙ୍କ ବ୍ୟାଙ୍କ୍ ଖାତାକୁ ସବସିଡ୍ ଆକାରରେ ୧୫୧.୨୦ ଫେରସ୍ତ ହୋଇଥାନ୍ତା । ଅର୍ଥାତ୍ ଚାଷୀମାନେ ଧନିଚା କିଲୋ ୪୦ ଟଙ୍କାରେ କିଣିଥାନ୍ତେ । ତେବେ ଚାଷୀମାନେ ପ୍ରଥମେ ଏତେ ଅଧିକ ଟଙ୍କା ଦେଇ କିଣିବାକୁ ରାଜି ହେଲେନାହିଁ । ଫଳରେ ଅଧିକାଂଶ ସ୍ଥାନରେ ସରକାରୀ ଦପ୍ତରରେ ଧନିଚା ମଞ୍ଜି ପଡି ରହିଲା ।
ରାଜ୍ୟର ଅଗ୍ରଣୀ ଚାଷୀମାନଙ୍କ ମତରେ ଦୁଇବର୍ଷ ତଳେ ସରକାର ଧନିଚା କିଲୋ ୪୦ ଟଙ୍କାରେ କିଣି ଚାଷୀମାନଙ୍କୁ ଯୋଗାଉଥିଲେ । ଚଳିତବର୍ଷ ଏହାର ଦର ଏକାଥରକେ ୧୯୧ ଟଙ୍କାକୁ ଟପିଗଲା । ଏତେ ଉଚ୍ଚା ଦରରେ ଧନିଚା କିଣିବାର ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ । କାରଣ ଏ ବାବଦରେ ସବସିଡ୍ ବୋଝ ଏବେ ରାଜକୋଷ ଉପରେ ପଡିବ ।
ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ସାଧାରଣତଃ କେତେକ ପୂର୍ବୋତ୍ତର ରାଜ୍ୟରୁ ଧନିଚା ବିହନ କିଣି ରାଜ୍ୟର ଚାଷୀମାନଙ୍କୁ ଯୋଗାଇଥାନ୍ତି । ଓଡିଶାରେ ଏବେ ସୁଦ୍ଧା ଧନିଚା ଉତ୍ପାଦନ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉନଥିବାରୁ ଏ ବାବଦରେ କୋଟି କୋଟି ଟଙ୍କା ଅନ୍ୟ ରାଜ୍ୟକୁ ଯାଉଛି । ତେବେ ହଠାତ୍ କ’ଣପାଇଁ ଧନିଚାର ଦର ବିରି, ମୁଗ କୁ ବଳିଗଲା ତାହାକୁ ନେଇ ଚାଷୀମାନେ ଆଶ୍ଚର୍ଯ୍ୟପ୍ରକଟ କରୁଛନ୍ତି ।
ସେହିଭଳି ଗାଁ ଗହଳର ଚାଷୀମାନେ ଗୋବର ଓ ଅନ୍ୟାନ୍ୟ ଜୈବିକ ଖତକୁ ସାର ଭାବେ ବ୍ୟବହାର କରିଥାନ୍ତି । ତେବେ ଏହା ରସାୟନିକ ସାରର ଅଭାବକୁ ପୂରଣ କରିବା କାଠିକର ପାଠ ହେବ । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଧାନଚାଷ ପାଇଁ ତଳିଘେରା ପ୍ରସ୍ତୁତ ହେଉଥିବାବେଳେ ଏଥିପାଇଁ ୟୁରିଆ ସାର ଜରୁରୀ ହୋଇପଡିଛି । ଧାନ ଚାଷପାଇଁ ସାଧାରଣତଃ ନାଇଟ୍ରୋଜେନ, ଫସଫରସ ଓ ପଟାସିୟମ ଯୁକ୍ତ ସାର ଆବଶ୍ୟକ ହେଉଥିବାବେଳେ ଚାଷୀମାନେ କିଭଳି ଫସଲର ଆବଶ୍ୟକତାକୁ ଦେଇ ସଠିକ୍ ମାତ୍ରାରେ ତାହାକୁ ବ୍ୟବହାର କରିବେ ଏ ସଂକ୍ରାନ୍ତରେ କୃଷି ବିଭାଗ ପକ୍ଷରୁ ଅବଗତ କରାଗଲେ ସାର ବ୍ୟବହାର କିଛି ହ୍ରାସ ପାଇପାରନ୍ତା ବୋଲି ଅଗ୍ରଣୀ ଚାଷୀମାନେ ମତ ଦେଉଛନ୍ତି । (ତଥ୍ୟ)

