ଭୁବନେଶ୍ୱର : ଆସନ୍ତାବର୍ଷ ଓଡ଼ିଶାରେ ପୌର ଓ ପଞ୍ଚାୟତ ନିର୍ବାଚନ ହେବା ସମ୍ଭାବନା ଥିବା ପରିପ୍ରେକ୍ଷୀରେ ପଛୁଆବର୍ଗ (ଏସ୍ଇବିସି)ଙ୍କୁ କେତେ ପ୍ରତିଶତ ସଂରକ୍ଷଣ ମିଳିବ ସେଥିଘେନି ବିଭିନ୍ନ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି ।
ଏବେ ପଞ୍ଚାୟତ ଓ ପୌର ସଂସ୍ଥା ଉପରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ୩୮.୭୫ ପ୍ରତିଶତ ଆସନ ସଂରକ୍ଷିତ ଥିବାବେଳେ ଏସ୍ଇବିସିଙ୍କ ଲାଗି ୧୧.୨୫ ପ୍ରତିଶତ ବ୍ୟବସ୍ଥା ଅଛି । ଅତୀତରେ ବିଜେଡି ସରକାର ସମୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଏସ୍ଇବିସିଙ୍କ ଲାଗି ୨୭ ପ୍ରତିଶଣତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ତେବେ ଏହା ଆଇନ୍ ଅଦାଲତରେ କାଟ୍ ଖାଇବା ପରେ ସରକାର ପୁଣି ଏହି ବର୍ଗଙ୍କ ପାଇଁ ସଂରକ୍ଷଣକୁ ୧୧.୨୫ ପ୍ରତିଶତକୁ ହ୍ରାସ କରିଛନ୍ତି ।
ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ସରକାର ଥିବା ସମୟରେ ସରକାରୀ ଚାକିରି କ୍ଷେତ୍ରରେ ଏସ୍ଇବିସି ବର୍ଗଙ୍କ ଲାଗି ସଂରକ୍ଷଣ ସୀମା ୨୭ ପ୍ରତିଶତକୁ ବଢ଼ାଯାଇଥିଲା । ତେବେ ଅମର ଛାଟୋଇ ମାମଲାରେ ଅଦାଲତି ଛାଟ ବାଜିବା ପରେ ସରକାର ତାହାକୁ ପୁଣି ୧୧.୨୫ ପ୍ରତିଶତକୁ ହ୍ରାସ କରି ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖିବାକୁ ବାଧ୍ୟ ହୋଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ଏସ୍ଇବିସିଙ୍କ ପାଇଁ ଚାକିରି କ୍ଷେତ୍ରରେ ସଂରକ୍ଷଣ ପ୍ରଥମେ ୧୧.୨୫ ପ୍ରତିଶତ ଥିଲା ଏବଂ ପରେ ଏହା ୨୭ ପ୍ରତିଶତକୁ ବଢ଼ାଯାଇଥିଲେ ବି ଅଦାଲତରେ କାଟ ଖାଇଯାଇଥିଲା । ସେ ସମୟରେ ମହିଳାମାନଙ୍କ ପାଇଁ ଚାକିରି ଏବଂ ପୌର ଓ ପଞ୍ଚାୟତ ନିର୍ବାଚନରେ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରଖାଯାଇଥିଲା । ପରବର୍ତ୍ତୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳରେ ପଞ୍ଚାୟତ ଓ ପୌର ସଂସ୍ଥାରେ ମହିଳାଙ୍କ ଲାଗି ସଂରକ୍ଷଣ ୫୦ ପ୍ରତିଶତକୁ ବଢ଼ାଯାଇଇଥିଲା ।
ପ୍ରଚଳିତ ପ୍ରଥା ମୁତାବକ କେଉଁ ବର୍ଗଙ୍କ ପାଇଁ କେତେ ପ୍ରତିଶତ ଆସନ ପୌର ଓ ପଞ୍ଚାୟତ ନିର୍ବାଚନରେ ସଂରକ୍ଷିତ ରହିବ ତାହା ସ୍ଥିର ହେବା ପରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ପଦବୀଗୁଡ଼ିକ ଭିତରୁ କାହାକୁ କେଉଁ ବର୍ଗ ପାଇଁ ସଂରକ୍ଷିତ ରଖାଯିବ ତାହା ସ୍ଥିର ହୋଇନାହିଁ ।
ଏବେ ନିର୍ବାଚନ ପାଖେଇ ଆସୁଥିବା ପରିପ୍ରେକ୍ଷୀରେ ସଂରକ୍ଷଣ କାରଣରୁ ବହୁ ନିର୍ବାଚିତ ପୌର ଓ ପଞ୍ଚାୟତ ପ୍ରତିନିଧି ସେମାନଙ୍କ ଆସନ ହରାଇବାର ଆଶଙ୍କା ରହିଛି । ଏଣୁ ଏବେଠାରୁ ନିରାପଦ ଆସନ ଲାଗି ସୁବିଧାଜନକ ସଂରକ୍ଷଣ ବ୍ୟବସ୍ଥା ଲାଗି ରାଜନୈତିକ ସ୍ତରରେ ଜୋରଦାର ଚେଷ୍ଟା ଗାଁରୁ ସହର ପର୍ଯ୍ୟନ୍ତ ଚାଲୁଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାର ଓଡ଼ିଶାରେ ପୌର ଓ ପଞ୍ଚାୟତ ନିର୍ବାଚନରେ ଏସ୍ଇବିସିଙ୍କ ପାଇଁ ବର୍ତ୍ତମାନ ଭଳି ୧୧.୨୫ ପ୍ରତିଶତ ଆସନ ସଂରକ୍ଷିତ ରଖିବେ କିମ୍ବା ଏହାକୁ ୨୭ ପ୍ରତିଶତକୁ ବଢ଼ାଇବେ ତାହା ସ୍ପଷ୍ଟ ହୋଇନଥିବାବେଳେ ଜନଗଣନା ଶେଷ ହେବା ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବିଚାରପତି ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଢ଼ାଯାଇଥିବା ରାଜ୍ୟ ପଛୁଆବର୍ଗ କମିଶନ ଯେଉଁ ରିପୋର୍ଟ ଦେଇଥିଲେ ତାହା ଉପରେ କେବେ କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେଥିଘେନି ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳୁନାହିଁ । (ତଥ୍ୟ)

