ଭୁବନେଶ୍ୱର : ଆସନ୍ତା ବର୍ଷ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ। ଉଭୟ ପଞ୍ଚାୟତ ଓ ପୌର ଭୋଟ ଏକାସାଙ୍ଗରେ ହେବା ସହିତ ଜନଗଣନା କାର୍ଯ୍ୟ ଶେଷ ହେବା ପରେ ପଞ୍ଚାୟତ ଓ ପୌର ନିର୍ବାଚନ କରାଯିବ। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛି।
ଏହା ପୂର୍ବରୁ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ତାଲିକା ପ୍ରକାଶ ପରେ ଡୋର୍-ଟୁ-ଡୋର୍ ସର୍ଭେ କରାଯିବ। ଏନ୍ଏସି ଅଞ୍ଚଳରେ ପ୍ରତ୍ୟେକ ୱାର୍ଡ ପାଇଁ ଗୋଟିଏ ଲେଖାଏଁ ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯିବ। ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସନ୍ତୋଷ କୁମାର ଦାଶ।
ପୌର ନିର୍ବାଚନ ପାଇଁ ବର୍ତ୍ତମାନ ୧୨ ହଜାର ଇଭିଏମ ଉପଲବ୍ଧ ଥିବାବେଳେ, ଆଉ ୬ ହଜାର ନୂଆ ଇଭିଏମ ଅର୍ଡର କରାଯାଇଛି । ଏହାସହ ବାଲଟ ପେପର, ପରିବହନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛି ଯେ, ମାର୍ଚ୍ଚ ମାସରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ମାସରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ ହେବ। ଏଥର ରାଜ୍ୟର ୧୪୩ଟି ପୌର ସଂସ୍ଥା, ମ୍ୟୁନିସିପାଲ୍ କର୍ପୋରେସନ, ପୌରପାଳିକା ଓ ଏନଏସିରେ ନିର୍ବାଚନ ହେବ। ସମ୍ବଲପୁର ମହାନଗର ନିଗମ ନିର୍ବାଚନକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାର ସମାଧାନ ହୋଇସାରିଛି ଏବଂ ସମ୍ପର୍କିତ ଆଦେଶ ମଧ୍ୟ ପ୍ରକାଶ ପାଇଛି।

