Home News in Odia ଥାନାରେ ସ୍ୱତନ୍ତ୍ର ଶାଖା କାର୍ଯ୍ୟକାରୀ କେବେ ?

ଥାନାରେ ସ୍ୱତନ୍ତ୍ର ଶାଖା କାର୍ଯ୍ୟକାରୀ କେବେ ?

ଭୁବନେଶ୍ୱର : ରାଜ୍ୟର ପୁଲିସ୍‍ ଥାନାଗୁଡିକରେ ଅପରାଧ ନିୟନ୍ତ୍ରଣ, ଅପରାଧିକ ମାମଲାର ତଦନ୍ତ ଓ ଏ ସଂକ୍ରାନ୍ତୀୟ ମାମଲା ପରିଚାଳନା ଲାଗି ସ୍ୱତନ୍ତ୍ର ଶାଖା ଗଠନ ଲାଗି ଦୀର୍ଘ ବର୍ଷ ଧରି ପ୍ରସ୍ତାବ ଥିଲେ ମଧ୍ୟ ବିଭିନ୍ନ କାରଣରୁ ତାହା ଏଯାବତ୍‍ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଫଳରେ ଅପରାଧି ମାମଲାରେ ସଂଖ୍ୟାଧିକ କ୍ଷେତ୍ରରେ ଆସାମୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଯାଉଥିବାବେଳେ ଅନ୍ୟ ପକ୍ଷରେ ଆଇନ୍‍ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠୁଛି ଏବଂ ପୁଲିସ୍‍ ଅଧିକାରୀମାନେ ବ୍ୟାପକ ଚାପରେ ରହୁଥିବା ଘେନି ବାରମ୍ବାର ଚର୍ଚ୍ଚା ହେଉଛି ।

ଆଇନ୍‍ଶୃଙ୍ଖଳା ରକ୍ଷା ସହିତ ସଭା, ସମିତି, ଶୋଭାଯାତ୍ରା, ଧାରଣା, ଧର୍ମଘଟ ଆଦିର ନିୟନ୍ତ୍ରଣ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ନିରାପତ୍ତା ଲାଗି ପୁଲିସ୍‍ ଉପରେ ଅଧିକ ଚାପ ରହୁଛି । ଗୋଟିଏ ପଟେ ହଜାର ହଜାର ସଂଖ୍ୟକ ପଦବୀ ରାଜ୍ୟ ପୁଲିସ୍‍ ବାହିନୀରେ ବର୍ଷ ବର୍ଷ ଧରି ପୂରଣ ହୋଇପାରୁନଥିବାବେଳେ ଅନ୍ୟ ପଟେ ସୀମିତ ସଂଖ୍ୟକ ପୁଲିସ୍‍ ଅପରାଧିକ ମାମଲା ବୁଝିବା ସହ ଅନ୍ୟ କାମରେ ବି ନିୟୋଜିତ ହେଉଛନ୍ତି । ଏଥିଯୋଗୁଁ ଜଣେ ଜଣେ ପୁଲିସ୍‍ ଅଧିକାରୀଙ୍କୁ ୧୨ ରୁ ୧୬ଘଣ୍ଟା ପର୍ଯ୍ୟନ୍ତ ଦିନେ ଦିନେ ଖଟିବାକୁ ପଡୁଛି ବୋଲି ଅନେକ ଅବସରପ୍ରାପ୍ତ ପୁଲିସ୍‍ ଅଧିକାରୀ କହୁଛନ୍ତି ।

ରାଜ୍ୟ ସରକାରଙ୍କ ନିକଟରେ ଥିବା ପ୍ରସ୍ତାବ ମୁତାବକ ଅପରାଧ ପରିଚାଳନା ବ୍ୟବସ୍ଥାକୁ ଆଇନ୍‍ଶୃଙ୍ଖଳା ରକ୍ଷା ଓ ଭିଆଇପି ନିରାପତ୍ତା କାର୍ଯ୍ୟକଳାପରୁ ପୃଥକ କରାଯିବାକଥା । ଫଳରେ ଗୋଟିଏ ଗୋଟିଏ ଥାନାରେ ଦୁଇ ଦୁଇଜଣ କରି ଇନ୍ସପେକ୍ଟର ରହିବାକଥା । ଜଣେ କେବଳ ଅପରାଧ ନିୟନ୍ତ୍ରଣ ଓ ଏ ସଂକ୍ରାନ୍ତୀୟ ମାମଲା ପରିଚାଳନା କଥା ବୁଝିବା ଏବଂ ତାଙ୍କ ଅଧିନରେ ଏହି କାମପାଇଁ ସ୍ୱତନ୍ତ୍ର ଭାବେ ଏସଆଇ, ଏଏସ୍‍ଆଇ, ହାବିଲଦାର ଓ କନେଷ୍ଟବଳମାନେ ରହିବା ଆବଶ୍ୟକ । ଅନ୍ୟାନ୍ୟ ବ୍ୟାପାର ବୁଝିବାପାଇଁ ଅନ୍ୟଜଣେ ଇନ୍ସପେକ୍ଟର ଥାନାରେ ରହିବେ ଏବଂ ତାଙ୍କ ଅଧିନରେ ମଧ୍ୟ ଏଥିଲାଗି ସ୍ୱତନ୍ତ୍ର କର୍ମଚାରୀ ରହିବାକଥା । ଦୁଇଜଣ ଇନ୍ସପେକ୍ଟରଙ୍କ ପାଇଁ ପ୍ରତି ଥାନାରେ ଭିତ୍ତିଭୂମି ମଧ୍ୟ ଲୋଡାପଡୁଛି ।

ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘବର୍ଷ ଧରି ପଡି ରହିଛି । ବିଗତ ସରକାର ସମୟରେ ଏହାକୁ କାର୍ଯ୍ୟକାରୀ କରାଯାଉନଥିଲା ଏବଂ ଏବେ ମଧ୍ୟ ଏହି ପ୍ରସ୍ତାବ ଶୀତଳଭଣ୍ଡାରରେ ପଡି ରହିଛି । ଅବସ୍ଥା ଏଭଳି ହୋଇଛି ଯେ ଅପରାଧିକ ମାମଲାର ତଦନ୍ତକାରୀ ଅଧିକାରୀମାନେ ଅନ୍ୟ କାମରେ ବ୍ୟସ୍ତ ରହୁଥିବାରୁ ସେମାନଙ୍କ ପାଇଁ କିଛି ଅବସରପ୍ରାପ୍ତ ପୁଲିସ୍‍ ଅଧିକାରୀ ଚାର୍ଜସିଟ୍‍ ଆଦି ପ୍ରସ୍ତୁତ କରୁଛନ୍ତି । ଏକଥା ସମସ୍ତେ ଜାଣୁଥିଲେ ମଧ୍ୟ କେହି ପ୍ରତିକାରପାଇଁ ଆଗେଇ ଆସୁନାହାନ୍ତି ।

ପୁଲିସ୍‍ ଥାନାରେ ଏଭଳି ସଂସ୍କାର ଲାଗି ଏଯାବତ୍‍ ବଜେଟରେ ମଧ୍ୟ ଅର୍ଥବ୍ୟବସ୍ଥା ହେଉନାହିଁ । ଅନ୍ୟପଟେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଅଧିକ ମାନବସମ୍ବଳର ଆବଶ୍ୟକତା ପଡିବ । କିନ୍ତୁ ଏବେ ପୁଲିସ୍‍ ବାହିନୀରେ ୨୦ ହଜାରରୁ ଅଧିକ ପଦବୀ ଖାଲି ପହିଛି । କୁହାଯାଉଛି ପ୍ରାୟ ଏକ ତୃତୀୟାଂଶ ପଦବୀ ବିଭିନ୍ନ କାରଣରୁ ପୂରଣ ହୋଇପାରୁନାହିଁ । ବର୍ଷକୁ ବର୍ଷ ଖାଲି ପଦବୀ ସଂଖ୍ୟା ବଢିବାରେ ଲାଗିଛି ।

ଖାଲି ପଡିଥିବା ସବଇନ୍ସପେକ୍ଟର ପଦବୀ ପୂରଣ ପାଇଁ ପ୍ରାୟ ୩ବର୍ଷ ତଳେ ବିଜ୍ଞାପନ ପ୍ରକାଶ ପାଇଥିଲା । କିନ୍ତୁ ନିଯୁକ୍ତି ପରୀକ୍ଷାରେ ବ୍ୟାପକ କେଳେଙ୍କାରୀ ଧରାପଡିବା ପରେ ଏହି ପରୀକ୍ଷାକୁ ପ୍ରାୟ ଦେଢବର୍ଷ ତଳୁ ବାତିଲ କରାଗଲାଣି । ଏହି ଘଟଣାରେ ଅନେକ ବ୍ୟକ୍ତି ଗିରଫ ହୋଇଛନ୍ତି । ସର୍ବଭାରତୀୟ ନିଟ୍‍ ପରୀକ୍ଷାରେ ଅନୁରୂପ ଗଣ୍ଡଗୋଳ ହୋଇଥିବାବେଳେ ଦୁଇମାସ ଭିତରେ ସାନି ପରୀକ୍ଷା ହୋଇଗଲା । ଅଥଚ ଦେଢ ବର୍ଷ ଭିତରେ ପୁଲିସ୍‍ ସବଇନ୍ସପେକ୍ଟର ପଦବୀ ପୂରଣ ପାଇଁ ପୁର୍ନବାର ପରୀକ୍ଷା ଲାଗି ପଦକ୍ଷେପ ନିଆଯାଇ ପାରୁନାହିଁ । ବରିଷ୍ଠ ପୁଲିସ୍‍ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ନିଶା ପ୍ରସାର ଓ ଅନ୍ୟାନ୍ୟ କାରଣରୁ ଅପରାଧ, ଦୁର୍ଘଟଣା ଆଦି ବଢି ଚାଲୁଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ସହିତ ମାମଲା ପରିଚାଳନା, ଭିଆଇପିଙ୍କ ନିରାପତ୍ତା ଓ ଆଇନ୍‍ଶୃଙ୍ଖଳା ରକ୍ଷାପାଇଁ ପୁଲିସ୍‍ କର୍ମଚାରୀମାନଙ୍କୁ ଦେଢଗୁଣରୁ ଦୁଇଗୁଣ ସମୟ ଖଟିବାକୁ ପଡୁଛି । (ତଥ୍ୟ)