ଭୁବନେଶ୍ୱର : ଅମାନିଆ ଗାଡି ଚାଳକଙ୍କୁ ନିୟନ୍ତ୍ରଣ ପାଇଁ ସରକାର ଯେତେ ଦଣ୍ଡ ବ୍ୟବସ୍ଥା କଲେ ବି ସେମାନେ ସହଜରେ ମାନୁ ନାହାନ୍ତି । ବିଶେଷକରି ଲାଇସେନ୍ସ ରଦ୍ଦ ଓ ଆର୍ଥିକ ଜୋରିମାନା ସେମାନଙ୍କୁ କାଟୁ କରୁନାହିଁ ।
ରାଜ୍ୟ ସରକାର ଏବେ ସଡକ ଦୁର୍ଘଟଣାକୁ ନେଇ ଚିନ୍ତାରେ ପଡିଥିବାବେଳେ ଅମାନିଆ ଗାଡିଚାଳକ ପାଇଁ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଏମାନଙ୍କୁ ଜବତ ପାଇଁ ଲାଇସେନ୍ସ ରଦ୍ଦ ଭଳି ପଦକ୍ଷେପ ନିଆଯାଇଥିଲା । ଏଥିଯୋଗୁଁ ଗତ ୨ବର୍ଷରେ ରାଜ୍ୟରେ ୬୫ହଜାରରୁ ଅଧିକ ଲାଇସେନ୍ସ ରଦ୍ଦ ହୋଇଥିବା ସରକାରୀ ଭାବେ କୁହାଯାଉଛି ।
ସାଧାରଣତଃ ଲାଇସେନ୍ସ ନଥିବା ଚାଳକମାନେ ରାସ୍ତାଘାଟରେ ଗାଡିମୋଟର ଚଳାଇବା ଦଣ୍ଡନୀୟ ଅପରାଧ । ହେଲେ ଠିକଣା ଯାଞ୍ଚ ହେଉନଥିବାରୁ ଲାଇସେନ୍ସ ରଦ୍ଦ ହୋଇଥିବା ଚାଳକମାନେ ବି ବିନା ଭୟରେ ଗାଡିମୋଟର ଚଳାଉଛନ୍ତି । ଲାଇସେନ୍ସ ରଦ୍ଦ ତାଲିକାରେ ଭୁବନେଶ୍ୱରର ଦୁଇଟି ଯାକ ଆରଟିଓ ଦପ୍ତର ସବୁଠାରୁ ଆଗରେ ରହିଛନ୍ତି । ଏଠାରେ ଦୁଇ ବର୍ଷରେ ସାଢେ ୬ହଜାରରୁ ଅଧିକ ଲାଇସେନ୍ସ ରଦ୍ଦ ହୋଇଛି । ଅନୁଗୁଳରେ ୪ହଜାରରୁ ଅଧିକ ଲାଇସେନ୍ସ ରଦ୍ଦ ହୋଇଥିବାବେଳେ କଟକରେ ୩୭୦୦ରୁ ଅଧିକ ଲାଇସେନ୍ସ ରଦ୍ଦ ହୋଇଛି ।
କେବଳ ଲାଇସେନ୍ସ ରଦ୍ଦ ନୁହେଁ ଅମାନିଆ ଚାଳକଙ୍କ ଉପରେ ଆର୍ଥିକ ଦଣ୍ଡ ମଧ୍ୟ ଲଗାଯାଉଛି । ଗତ ୨ବର୍ଷରେ ଏଭଳି ଚାଳକଙ୍କ ଠାରୁ ୨୧୬ କୋଟି ଟଙ୍କାରୁ ଅଧିକ ଜୋରିମାନା ଆଦାୟ କରାଗଲାଣି । ଜୋରିମାନା ଗଣୁଥିବା ଚାଳକଙ୍କ ମଧ୍ୟରେ ମଦୁଆ ଓ ବିନା ଲାଇସେନ୍ସଧାରୀ ମଧ୍ୟ ରହିଛନ୍ତି । ଏତେ ପରିମାଣର ଜୋରିମାନା ଆଦାୟ ସତ୍ୱେ ସଡକରେ ଦୁର୍ଘଟଣା କମିବା ପରିବର୍ତ୍ତେ ବଢିବାରେ ଲାଗିଛି ।
ରାଜ୍ୟ ସରକାର ବର୍ତ୍ତମାନ ସଡକ ଦୁର୍ଘଟଣା ରୋକିବାପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି । ହେଲେ ବିନା ଲାଇସେନ୍ସଧାରୀ ବିଶେଷକରି ବେପରୁଆ ଗାଡି ଚାଳନା କରି ଲାଇସେନ୍ସ ହରାଇଥିବା ଚାଳକମାନେ ଯେଭଳି ଆଉଥରେ ସହଜରେ ଲାଇସେନ୍ସ ନପାଇବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ସେହିଭଳି ଜୋରିମାନା ଗଣୁଥିବା ମଦୁଆ ଚାଳକମାନେ ମଧ୍ୟ ସହଜରେ ସୁଧୁରୁ ନାହାନ୍ତି । ତେଣୁ ମଦ ପିଇ ଗାଡି ଚଳାଇ ବାରମ୍ବାର ଧରାପଡୁଥିବା ଚାଳକମାନଙ୍କୁ କଠିନ ଦଫା ଲଗାଇ ଜେଲ୍ ପଠାଇବାକୁ ମତପ୍ରକାଶ ପାଉଛି ।
ଅନ୍ୟ ପକ୍ଷରେ ଗାଁ ଗହଳରେ ଦୁଇ ଚକିଆ ଓ ଚାରିଚକିଆ ଗାଡି ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନୁରୂପ ସଂଖ୍ୟାରେ କିନ୍ତୁ ଡ୍ରାଇଭିଂ ଲାଇସେନ୍ସ ହେଉନାହିଁ । ପରୀକ୍ଷା ଦେଇ ଲାଇସେନ୍ସ ହାସଲ କରିବା ଅପେକ୍ଷା ବିନା ଲାଇସେନ୍ସରେ ଗାଡି ଚଳାଇବାକୁ ଯୁବବର୍ଗ ପସନ୍ଦ କରୁଛନ୍ତି । ଏହା ମଧ୍ୟ ସଡକ ଦୁର୍ଘଟଣାର ଅନ୍ୟତମ କାରଣ ପାଲଟୁଛି । ବିଶେଷକରି ଦୁର୍ଘଟଣା ପରେ ଲାଇସେନ୍ସ ନଥିବାରୁ ଚାଳକ ଓ ଆରୋହୀମାନେ କ୍ଷତିପୂରଣ ପାଇପାରୁ ନାହାନ୍ତି ।
ତେଣୁ ସଡକ ଦୁର୍ଘଟଣାରେ ଅଙ୍କୁଶ ଲଗାଇବାପାଇଁ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥାକୁ କଠୋର କରିବା ସହିତ ବିନା ଲାଇସେନ୍ସ ଚାଳକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)

