Home Culture ଟାହିଆ ନଦେଖି ଭକ୍ତ ନିରାଶ  

ଟାହିଆ ନଦେଖି ଭକ୍ତ ନିରାଶ  

ପୁରୀ : ଜଗା ରୁଷିଛି ନା ଅଭିମାନ କରିଛି। ଆଜି ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଦୃଶ୍ୟ ଦେଖି ଲକ୍ଷ ଲକ୍ଷ ଭକ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ। ରଥଯାତ୍ରାରେ ପ୍ରବଳ ବର୍ଷା ସତ୍ତ୍ବେ ଜଗାକୁ ଟିକେ ଦେଖିବାକୁ ଅପେକ୍ଷା କରିଥିଲେ ଭକ୍ତ। ବଡଦାଣ୍ଡ ଉଠୁଥିଲା, ପଡୁଥିଲା। ହେଲେ ରତ୍ନ ସିଂହାସନରୁ ସାତ ପାହାଚ ଦେଇ ଯେତେବେଳେ ଶ୍ରୀଜଗନ୍ନାଥ ୨୨ ପାହାଚରେ ପହଞ୍ଚିଲେ ସେତେବେଳେ ତାଙ୍କ ଅଭିମାନ ଭରା ରୂପ ଦେଖି ଭକ୍ତ ଆଚମ୍ବିତ ହୋଇଗଲେ। ଚକା ଆଖି, କଳା ବଦଳରେ ଟାହିଆ କେତେ ସୁନ୍ଦର ମାନେ ତାକୁ। ହେଲେ ତା ମସ୍ତକରେ ସେ ଟାହିଆ ଝଟକୁ ନଥିଲା।

ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରା ପଛେ ପଛେ ବାହାରିଥିଲେ କାଳିଆ ସାଆନ୍ତେ। ଜୟ ଜଗନାଥ ଓ ହରିବୋଲ ଧ୍ବନିରେ  ପ୍ରକମ୍ପିତ ହୋଇ ଉଠିଥିଲା ଖଣ୍ଡ ମଣ୍ଡଳ। ଶହ ଶହ ଘଣ୍ଟୁଆଙ୍କ ଘଣ୍ଟ ନାଦ, କାହାଳୀ ଓ ଶଂଖ ଧ୍ବନି ଭିତରେ ଶ୍ରୀମନ୍ଦିରର ସାତପାହାଚ ଦେଇ ବାହାରକୁ ଆସିଥିଲେ ବ୍ରହ୍ମାଣ୍ଡ ଠାକୁର।

ଦଇତାପତି ସେବାୟତମାନେ ପ୍ରଭୁଙ୍କୁ ଧିରେ ଧିରେ ଝୁଲାଇ ଝୁଲାଇ ଧାଡ଼ି ପହଣ୍ଡି କରାଇଥିଲେ। ପହଣ୍ଡିବେଳେ କେତେବେଳେ ଜଗା ମୋଡ଼ି ହୋଇ ପଛକୁ ଚାହୁଁଥିଲା ତ ଆଉ କେତେବେଳେ ନଇଁ ପଡୁଥିଲା। ଦାରୁ ଦିଅଁଙ୍କୁ ମାତ୍ର କେତେ ହାତ ବାଟ ନେବା ପାଇଁ ସେବାୟତଙ୍କୁ ଲାଗିଥିଲା ଘଣ୍ଟା ଘଣ୍ଟା ସମୟ। ସବୁବର୍ଷ ଟାହିଆ ହଲେଇ ହଲେଇ ପହଣ୍ଡିରେ ଆସିଥାଏ କାଳିଆ ଠାକୁର।

କିନ୍ତୁ ଏବର୍ଷ ନୀଳକନ୍ଦର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇବାବେଳେ ସେହି ଦିବ୍ୟ ବେଶରେ ମହାପ୍ରଭୁଙ୍କୁ ଦେଖିବାର ସୁଯୋଗରୁ ବଞ୍ଚିତ ହୋଇଥିଲା ସାରାବିଶ୍ବ। କାଳିଆ ମୁଣ୍ଡରେ ନଥିଲା ଟାହିଆ। ଶ୍ରୀମନ୍ଦିରରୁ ବାହାରିବାବେଳେ ଟାହିଆ ଖସି ପଡିବାରୁ ଖାଲି ମୁଣ୍ଡରେ ପହଣ୍ଡିରେ ଆସିଥିଲେ ମହାବାହୁ। ସେବାୟତମାନେ କାଳିଆ ମୁଣ୍ଡରେ ତୁଳସୀ ଲଗାଇ ପହଣ୍ଡି କରାଇ ନନ୍ଦିଘୋଷ ରଥକୁ ବିଜେ କରାଇଥିଲେ।

ଏହି ଅଘଟଣ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡିଜି, ଏସପି, ଜିଲ୍ଲାପାଳ ବିବ୍ରତ ହୋଇପଡ଼ିଥିଲେ। ଏହି ଅଘଟଣ ପାଇଁ ସମସ୍ତେ ଚିନ୍ତିତ ଥିଲା ବେଳେ ଅନ୍ୟ ବିଭ୍ରାଟ ଦେଖିବାକୁ ମିଳିଥିଲା। ଘଣ୍ଟୁଆମାନେ ଘଣ୍ଟ ବନ୍ଦ କରି ବାରମ୍ବାର ପଳାଉଥିଲେ। ଶେଷକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ମୁଣ୍ଡିଆ ଜୁହାର ମାରିବାକୁ ପଡ଼ିଥିଲା।

ଯଦି ବର୍ଷାରେ ଟାହିଆ ନଷ୍ଟ ହୋଇଯିବା କଥା କୁହାଯାଉଛି, ତେବେ ସେଥିପାଇଁ ପୂର୍ବରୁ ବିକଳ୍ପ କାହିଁକି କରାଗଲାନି? ୫ ଦିନ ଆଗରୁ ଲଘୁଚାପ ବର୍ଷାର ସୂଚନା ଥିଲେ ମଧ୍ୟ ବିକଳ୍ପ ପ୍ରସ୍ତୁତି ନ କରି କାଳିଆ ଠାକୁରଙ୍କୁ ଏମିତି କରାଯିବା ଭକ୍ତମାନଙ୍କୁ ଆଘାତ ଦେଇଛି। ଯାହା ଜଣାପଡ଼ିଛି, ଟାହିଆ ଖସିଯିବା ପରେ ଭିଡ଼ିବାକୁ ଦୁଇ ଘଣ୍ଟା ଚେଷ୍ଟା କରାଯାଇଥିଲେ ମଧ୍ୟ ହୋଇପାରିଲାନି। ତେଣୁ ପହଣ୍ଡି ବିଳମ୍ବ ହେଲା।

ମହାସୁଆର ନିଯୋଗ ସମ୍ପାଦକ ଗଣେଶ୍ୱର ମହାସୁଆରଙ୍କ କହିବାନୁଯାୟୀ, ସାତପାହାଚ ନିକଟରେ ବର୍ଷା ଯୋଗୁଁ ଟାହିଆ ନଷ୍ଟ ହୋଇଯାଇଥିଲା। ସେଥିପାଇଁ ଏହାକୁ ଖୋଲି ଦିଆଯାଇଥିଲା। ପୂର୍ବରୁ ଏମିତି ଘଟଣା ଘଟିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଟାହିଆ ନ ରହିବା ଅଶୁଭ ସୂଚନା ବୋଲି ବରିଷ୍ଠ ସେବାୟତ ଦାମୋଦର ପାଧାନି କହିଛନ୍ତି। ମହାପ୍ରଭୁ ରଥ ଉପରକୁ ଯିବା ପର୍ଯ୍ୟନ୍ତ ଟାହିଆ ଥାଏ। ହେଲେ ଅଧାରୁ ନ ରହିବା ଅଶୁଭ ସୂଚନା। ପ୍ରଭୁ କ’ଣ ଚାହୁଁଛନ୍ତି ସେ କେବଳ ଜାଣିଥିବେ।