ଭୁବନେଶ୍ୱର : ବିଗତ ଦୁଇ ବର୍ଷର ଅବ୍ୟବସ୍ଥାକୁ ଦେଖି ଏଥର କର୍ଡନ ପାସ କମାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଥର ବି ଅନାବଶ୍ୟକ ଲୋକଙ୍କୁ ପାସ ଦିଆଯାଇଥିବାକୁ ଦେଖିବାକୁ ମିଳିଛି। କର୍ଡନ ଭିତରେ ମାଳ ମାଳ ପାସଧାରୀ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ହିଁ ଜିଲ୍ଲା ପ୍ରଶାସନ କଳାକାରନାମାକୁ ବୟାନ କରୁଛି। କାହାକୁ କର୍ଡନ ପାସ ଦିଆଯାଉଛି, ପୁରୀ ଜିଲ୍ଲାପାଳ ତାର ଯାଞ୍ଚ କରୁଛନ୍ତି ନା କେବଳ ସିଲ ମରା ଦସ୍ତଖସ୍ତରେ ପାସ ବଣ୍ଟାଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି।
ଜଣେ ଅଭିନେତ୍ରୀ ରଥ କର୍ଡନ ମଧ୍ୟରେ ନିଜର ଫଟୋ ସେୟାର କରିଛନ୍ତି। ସେ ଅଭିନେତ୍ରୀଙ୍କ ପରିଚୟକୁ ଆମେ ଜାଣିଶୁଣି ଗୋପନ ରଖିଛୁ। କିନ୍ତୁ ଏ ମହିଳା ଜଣଙ୍କର ରଥ କର୍ଡନରେ କି କାର୍ଯ୍ୟ ଥିଲା? ଜିଲ୍ଲାପାଳ ତାଙ୍କୁ କାହିଁକି କର୍ଡନ ପାସ ଦେଇଥିଲେ? ନା ତାଙ୍କ ପାଇଁ କିଏ ସୁପାରିଶ କରିଥିଲେ?
ସେହିଭଳି ଅନ୍ୟ ଜଣେ ଅନାମଧେୟ ବ୍ୟକ୍ତି ମଧ୍ୟ କର୍ଡନ ପାସ ଓ କାର ପାସ ପାଇଥିବା ଫଟୋ ସେୟାର କରିଛନ୍ତି। ଆଉ ଜଣେ ବ୍ୟକ୍ତି ଲିମିଟେଡ ପାସ୍ କିଏ କିଣିବାକୁ ଆଗ୍ରହୀ ଲେଖି ତାଙ୍କ କର୍ଡନ ପାସର ଫଟୋ ସୋସିଆଲ ମିଡିଆରେ ସେୟାରେ କରିଛନ୍ତି।
ଏ ତିନୋଟି ଯାକ ଫଟୋ ଆମେ ସୋସିଆଲ ମିଡିଆରୁ ପାଇଛୁ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। କର୍ଡନ ପାସ କିଏ ପାଇବା ଆବଶ୍ୟକ, କିଏ ନୁହେଁ, ତାହାର ସ୍ପଷ୍ଟ ଗାଇଡଲାଇନ ରହିଛି। ଏମିତି ବି ଗତ ବର୍ଷ କର୍ଡନ ଭିତରେ ମାଳ ମାଳ ଲୋକ ପସିଥିବା ଦେଖିବାକୁ ମିଳିଥିଲା।
ତେଣୁ ନୀତି ଶୃଙ୍ଖଳିତ କରିବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର କର୍ଡନ ପାସ କମାଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କର୍ଡନ ଭିତରେ ଯାହାର କୌଣସି ସେବା ନାହିଁ ବା କାମ ନାହିଁ ତାଙ୍କୁ କର୍ଡନ ପାସ ବାଣ୍ଟିଛନ୍ତି ଜିଲ୍ଲା ପ୍ରଶାସନ। ଆଉ ଏନେଇ ପ୍ରଶ୍ନ କଲେ ମାର ମାର ଭଣ୍ଡିଆରିଆକୁ ମାର ନ୍ୟାୟରେ ପ୍ରଶାସନ ଆଗ ମିଡିଆ ଉପରେ ଆକ୍ରୋଷମୂଳକ ଭାବେ ଦାଉ ସାଧୁଛି। କେଉଁଠି ଜିଲ୍ଲାପାଳ ମିଡିଆକୁ ପାସ ଦେଉନାହାଁନ୍ତି ତ କେଉଁଠି ଡିଜିପି ଗଣମାଧ୍ୟମକୁ ନାଲି ଆଖି ଦେଖାଉଛନ୍ତି।

