ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ସାଂସଦ ଓ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ଚିକିତ୍ସା ଲାଗି ବିଭିନ୍ନ ସହରରେ ସିଜିଏଚ୍ଏସ୍ ୱେଲ୍ନେସ୍ କେନ୍ଦ୍ରମାନ ରହିଛି । ପୂର୍ବତନ ସାଂସଦ ଓ ପେନ୍ସନ୍ ଭୋଗୀ କେନ୍ଦ୍ର କର୍ମଚାରୀଙ୍କର ଏଠାରେ ମାଗଣା ଚିକିତ୍ସା ସୁବିଧା ଅଛି । ତେବେ ଭୁବନେଶ୍ୱରରେ ଥିବା ତିନୋଟିଯାକ ସିଜିଏଚ୍ଏସ୍ ୱେଲ୍ନେସ୍ କେନ୍ଦ୍ରରେ ଡାକ୍ତର ମରୁଡ଼ି ସହିତ କର୍ମଚାରୀ ଅଭାବ ଯୋଗୁ ଅନେକ ଚିକିତ୍ସା ତ ଦୂରର କଥା, ଡାକ୍ତରଙ୍କୁ ଭେଟିବା ପାଇଁ ପଞ୍ଜିକରଣ ମଧ୍ୟ କରିପାରୁ ନାହାନ୍ତି । ଏ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶେଷକରି ସାଂସଦ ଓ ପୂର୍ବତନ ସାଂସଦମାନେ ଧ୍ୟାନ ଦେବା ପାଇଁ ଦାବି ହେଉଛି ।
ଭୁବନେଶ୍ୱରରେ ୪ଟି ସିଜିଏଚ୍ଏସ୍ ୱେଲ୍ନେସ୍ କେନ୍ଦ୍ର ବା ଡାକ୍ତରଖାନା ରହିଛି । ଏଥିରୁ ଅଧିକାଂଶ ଡାକ୍ତରଖାନା ମାତ୍ର ଜଣେ କରି ଠିକା ଡାକ୍ତରରେ ଚାଲୁଛି । ଫଳରେ ସିଜିଏଚ୍ଏସ୍ କାର୍ଡଧାରୀମାନେ ଡାକ୍ତରଙ୍କୁ ଭେଟିବା ପାଇଁ ଦିନଦିନ ଧରି ପ୍ରତୀକ୍ଷା କଲେ ମଧ୍ୟ ନାମ ପଞ୍ଜିକରଣ କରିପାରୁ ନାହାନ୍ତି । ସକାଳୁ ଆସି ଦିନ ଦୁଇଟା ପର୍ଯ୍ୟନ୍ତ ଅନେକ ରୋଗୀ ଅପେକ୍ଷା କରି ଫେରୁଛନ୍ତି । ତେବେ ଯେଉଁ ରାଜନେତାମାନେ ଏଠାରେ ଚିକିତ୍ସା ସୁବିଧା ପାଇବା ବ୍ୟବସ୍ଥା ଅଛି ସେମାନେ ଫୋନ୍ କରି ରାଜଧାନୀରେ ଥିବା ପ୍ରାୟ ୧୫ଟି ସିଜିଏଚ୍ଏସ୍ ତାଲିକାଭୁକ୍ତ କର୍ପୋରେଟ୍ ଡାକ୍ତରଖାନାମାନଙ୍କୁ ଚାଲିଯାଉଛନ୍ତି ।
ରାଜଧାନୀର ପୁରୁଣା ଏଜି କଲୋନୀ, ୟୁନିଟ୍-୩ ଓ ଖାରବେଳ ନଗର ଅଞ୍ଚଳରେ ତିନୋଟି ସିଜିଏଚ୍ଏସ୍ ଡାକ୍ତରଖାନା ରହିଛି । ଏହାଛଡ଼ା ଆଉ ଗୋଟିଏ ମଧ୍ୟ ଆୟୁଷ ଡାକ୍ତରଖାନା ଅଛି । ଏହି ଚାରୋଟିଯାକ ଡାକ୍ତରଖାନାରେ ରୋଗୀଙ୍କ ଅନୁପାତରେ ଡାକ୍ତର ନାହାନ୍ତି ଏବଂ କର୍ମଚାରୀ ବି ନାହାନ୍ତି । ଡାକ୍ତରଙ୍କୁ ଦେଖାଇବା ଲାଗି ଆସୁଥିବା ସିଜିଏଚ୍ଏସ୍ କାର୍ଡଧାରୀଙ୍କୁ ପ୍ରଥମ ପଞ୍ଜିକରଣ କରିବାକୁ ପଡ଼ିଥାଏ । ଆଜି ୟୁନିଟ୍-୨ ଅଞ୍ଚଳରେ ଥିବା ସିଜିଏଚ୍ଏସ୍ ଡାକ୍ତରଖାନାରେ ବିଳମ୍ବଜନିତ କାରଣରୁ ବହୁ ରୋଗୀଙ୍କ ନାମ ଡାକ୍ତରଙ୍କୁ ଦେଖାଇବା ଲାଗି ପଞ୍ଜିକୃତ ହୋଇପାରିନଥିଲା । ସେମାନେ ସେଠାରୁ ଏଜି କଲୋନୀରେ ଥିବା ସିଜିଏଚ୍ଏସ୍ ଡାକ୍ତରଖାନାକୁ ଆସି ପଞ୍ଜିକରଣ କରିବାକୁ ଚାହିଁଥିଲେ ମଧ୍ୟ ପଞ୍ଜିକରଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦିନ ସାଢ଼େ ୧୦ଟା ପରଠାରୁ ଆଉ ଦେଖା ମିଳିନଥିଲା । ଫଳରେ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଦିନ ଦୁଇଟା ପର୍ଯ୍ୟନ୍ତ ଅପେକ୍ଷା କରି ଫେରିଥିଲେ । ଯେଉଁମାନଙ୍କ ପଞ୍ଜିକରଣ ହୋଇନାହିଁ ସେମାନଙ୍କୁ ଡାକ୍ତରଙ୍କ ନିକଟକୁ ସଂପୃକ୍ତ କର୍ମଚାରୀମାନେ ଛାଡ଼ିନଥିଲେ ଏବଂ ଡାକ୍ତର ବି ଶତାଧିକ ରୋଗୀଙ୍କୁ ଦେଖିବା ପରେ ତାଙ୍କ ରୋଗୀ ଦେଖା ସମୟ ସରିଯିବାରୁ ଦିନ ଦୁଇଟା ବେଳେ ଡାକ୍ତରଖାନା ଛାଡ଼ି ଚାଲିଯାଇଥିଲେ ।
ପ୍ରାୟ ପ୍ରତିଦିନ ଏଭଳି ଅବ୍ୟବସ୍ଥା ଲାଗି ରହୁଛି । ଫଳରେ ସିଜିଏଚ୍ଏସ୍ କାର୍ଡଧାରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ରାଜଧାନୀରେ ସମ୍, କିମ୍ସ ଓ ହାଇଟେକ୍ ମେଡିକାଲ୍ କଲେଜ୍, ମଣିପାଲ୍, କେୟାର, କିଡ୍ସ, ସ୍ପର୍ଶ, କଳିଙ୍ଗ ହସ୍ପିଟାଲ୍, କର ଭିଜନ୍, ଡ. ଅଗ୍ରୱାଲ୍ ଆଇ ହସ୍ପିଟାଲ ଭଳି ନାମୀଦାମୀ ଡାକ୍ତରଖାନାଗୁଡ଼ିକ ସିଜିଏଚ୍ଏସ୍ର ତାଲିକାଭୁକ୍ତ ହୋଇଛନ୍ତି । ତେବେ ଏଠାକୁ ଚିକିତ୍ସା ପାଇଁ ଯିବାକୁ ହେଲେ ସିଜିଏଚ୍ଏସ୍ ଡାକ୍ତରଖାନାର ଡାକ୍ତରଙ୍କ ସୁପାରିସ ଦରକାର । ଏଥିପାଇଁ ବି ଅନେକ ରୋଗୀଙ୍କୁ ସପ୍ତାହ ସପ୍ତାହ ଧରି ଦୌଡ଼ିବାକୁ ପଡୁଛି । ସିଜିଏଚ୍ଏସ୍ ଡାକ୍ତର କମ୍ପ୍ୟୁଟର ମାଧ୍ୟମରେ ଔଷଧ ଚିଠା ଲେଖୁଛନ୍ତି । ଏ କାମରେ ସହଯୋଗ କରିବା ପାଇଁ ବି କର୍ମଚାରୀ ନାହାନ୍ତି । ବେଳେବେଳେ ଲିଙ୍କ୍ ନଥିବାରୁ କମ୍ପ୍ୟୁଟର କାମ ନକଲେ ଅବସ୍ଥା ଆହୁରି ସାଙ୍ଘାତିକ ହେଉଛି । ଏଭଳି ସ୍ଥିତିରେ ସମସ୍ତ ବିଶେଷଜ୍ଞ ଡାକ୍ତରୀ ବିଭାଗ ସହ ଅସ୍ତ୍ରୋପଚାର ଗୃହ ଥିବା ପୂର୍ଣ୍ଣାଙ୍ଗ ସିଜିଏଚ୍ଏସ୍ ଡାକ୍ତରଖାନା ଭୁବନେଶ୍ୱରରେ ନିର୍ମାଣ ପାଇଁ ଦାବି ହେଉଛି । ଭୁବନେଶ୍ୱରରେ ସିଜିଏଚ୍ଏସ୍ର ଜଣେ ଅତିରିକ୍ତ ନିର୍ଦ୍ଦେଶକଙ୍କ ଦପ୍ତର ଚାଲୁଥିଲେ ବି ଡାକ୍ତରଖାନାଗୁଡ଼ିକରେ ଲାଗି ରହୁଥିବା ବିଭ୍ରାଟର ସମାଧାନ ହୋଇପାରୁନଥିବା ଘେନି ଅଭିଯୋଗ ହେଉଛି । (ତଥ୍ୟ)

