Home Health ରଥଯାତ୍ରାରେ କୋଭିଡ୍‍ ଭୟ

ରଥଯାତ୍ରାରେ କୋଭିଡ୍‍ ଭୟ

ଭୁବନେଶ୍ୱର : ଓଡ଼ିଶାର ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ କରୋନା ସଂକ୍ରମଣ ବ୍ୟାପୁଥିବା ପରିପ୍ରେକ୍ଷୀରେ ରଥଯାତ୍ରା ପାଇଁ ଆମ ରାଜ୍ୟରେ ଚିନ୍ତା ବଢ଼ିଛି । ଇତିମଧ୍ୟରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ପୂର୍ବ କୋଭିଡ୍‍ ମାର୍ଗ ନିର୍ଦ୍ଦେଶିକା ଆଧାରରେ ଚିକିତ୍ସା, ପରୀକ୍ଷା ଓ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି ।

ଏ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଅବସରରେ ୧୫ଲକ୍ଷରୁ ଅଧିକ ଜନସମାଗମ ହେବା ଆଶଙ୍କା କରାଯାଉଛି । ଏଥିପାଇଁ ବହୁ ସଂଖ୍ୟକ ସ୍ୱତନ୍ତ୍ର ରେଳ ଓ ବସ୍‍ ଚାଲିବାର ମଧ୍ୟ ବ୍ୟବସ୍ଥା ହୋଇଛି । ଏ ପରିପ୍ରେକ୍ଷୀରେ ପୁରୀ ପାଇଁ ପ୍ରଶାସନକୁ କୋଭିଡ୍‍ ଭୟ ଘାରୁଛି ।

ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶରେ କୋଭିଡ୍‍ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିବା ସହିତ ଆଉ କେତେକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଓଡ଼ିଶାର ପଡ଼ୋଶୀ ରାଜ୍ୟରେ କୋଭିଡ୍‍ ଆବିର୍ଭୁତ ହୋଇଥିବାବେଳେ ତାହାକୁ କିଭଳି ଓଡ଼ିଶା ସୀମା ଭିତରକୁ ପୂରାଇ ଦିଆଯିବ ନାହିଁ ତାହା ଏବେ ଚିନ୍ତାର ବିଷୟ । କେବଳ ପୁରୀରେ ନୁହେଁ, ସୀମାନ୍ତବର୍ତ୍ତୀ ଅବିଭକ୍ତ କୋରାପୁଟ ଓ ଗଞ୍ଜାମ ସମେତ ରାଜ୍ୟର ସବୁ ଜିଲ୍ଲାରେ ହଜାର ହଜାର ସଂଖ୍ୟକ ଛୋଟବଡ଼ ରଥଯାତ୍ରା ବି ଅନୁଷ୍ଠିତ ହେବାକୁ ଯାଉଛି । ଏଗୁଡ଼ିକରେ ବି ବିପୁଳ ଜନସମାଗମ ହେବାର ଅଛି ।

ଆନ୍ଧ୍ର-ଓଡ଼ିଶା ସୀମା ମୁକୁଳା ପଡ଼ିଛି ଏବଂ ପ୍ରତିଦିନ ହଜାର ହଜାର ଲୋକ ଆନ୍ଧ୍ରରୁ ଓଡ଼ିଶା ଆସୁଛନ୍ତି ଏବଂ ଓଡ଼ିଶାରୁ ବି ଆନ୍ଧ୍ର ଯାଉଛନ୍ତି । ଏ ପରିପ୍ରେକ୍ଷୀରେ କୋଭିଡ୍‍ ସଂକ୍ରମଣ ବ୍ୟାପିବା ସମ୍ଭାବନାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏଡ଼ାଇ ଦେଇପାରୁ ନାହାନ୍ତି । ସରକାରୀ ସ୍ତରରେ ଜନସଚେତନତା ସୃଷ୍ଟି ଲାଗି ଯେଉଁ ବାର୍ତ୍ତା ଦିଆଯାଉଛି ସେଥିରେ ଜନଗହଳି ଏଡ଼ାଇବା, ମାସ୍କ ଓ ସାନିଟାଇଜର୍‍ ବ୍ୟବହାର କରିବା, କୋଭିଡ୍‍ର ସାମାନ୍ୟ ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଲାଗି କୁହାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଚୀନ୍‍ରୁ ୨୦୧୯ରେ କୋଭିଡ୍‍ ସଂକ୍ରମଣ ଆରମ୍ଭ ହୋଇ ଭାରତ ସମେତ ସମଗ୍ର ବିଶ୍ୱକୁ ବ୍ୟାପିଥିଲା ଏବଂ ଏଥିରେ କୋଟି କୋଟି ଲୋକ ସଂକ୍ରମିତ ହେବା ସହ ଲକ୍ଷଲକ୍ଷ ସଂଖ୍ୟାରେ ମରିଥିଲେ । ସେ ସମୟରେ କୋଭିଡ୍‍ ସଂକ୍ରମଣ ରୋକିବା ପାଇଁ ଲକ୍‍ଡାଉନ୍‍, ସଟ୍‍ଡାଉନ୍‍, ୱାର୍କ ଫ୍ରମ୍‍ ହୋମ୍‍ ଆଦିର ବ୍ୟାପକ ବନ୍ଦୋବସ୍ତ ହୋଇଥିଲା । ଏମିତିକି ବାହାରୁ ନିଜ ଘରକୁ ଫେରୁଥିବା ବ୍ୟକ୍ତିମାନଙ୍କୁ ପଞ୍ଚାୟତ ସ୍ତରରେ କ୍ୱାରାଣ୍ଟାଇନ୍‍ ସେଣ୍ଟରମାନ ଖୋଲି ରଖାଯାଉଥିଲା । ଅଳ୍ପ କିଛି ବର୍ଷ ତଳର କୋଭିଡ୍‍ ସଂକ୍ରମଣ ଜନିତ କରୁଣ ପରିସ୍ଥିତି ଏବେ ବି ଲୋକଙ୍କ ମନରେ ତାଜା ହୋଇ ରହିଛି ।

ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଘଟଣା ଉପରେ ସତର୍କ ଦୃଷ୍ଟି ରଖିଛି । ଡାକ୍ତରମାନେ କହୁଛନ୍ତି ଯେ ଭିଡ଼ ନିୟନ୍ତ୍ରଣ କରିବା ସେମାନଙ୍କ କାମ ନୁହେଁ । କିନ୍ତୁ ଲୋକେ ଭିଡ଼ ଭିତରକୁ ନଯିବା ପାଇଁ ପରାମର୍ଶ ଦେବା ହେଉଛି ସେମାନଙ୍କ କାମ । ଯଦି ରଥଯାତ୍ରା ପରିପ୍ରେକ୍ଷୀରେ ପୁରୀ ସମେତ ଅନ୍ୟାନ୍ୟ ସ୍ଥାନରେ କୋଭିଡ୍‍ ବ୍ୟାପେ ତା’ହେଲେ ସ୍ଥିତି ଅସମ୍ଭାଳ ହୋଇପଡ଼ିବ । ଏହାକୁ ଆଖି ଆଗରେ ରଖି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିକାରତ୍ମକ ପଦକ୍ଷେପ ଗ୍ରହଣ ଲାଗି ବ୍ୟାପକ ବ୍ୟବସ୍ଥା ହେଉଛି ଏବଂ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଏ ଦିଗରେ ସଜାଗ ଦୃଷ୍ଟି ରଖିଥିବା କୁହାଯାଉଛି ।