Home News in Odia ତାଳଚେର-ବିମଳାଗଡ଼ ରେଳପଥ କେବେ?

ତାଳଚେର-ବିମଳାଗଡ଼ ରେଳପଥ କେବେ?

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ କାର୍ଯ୍ୟକ୍ଷମ ହେଲେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଦୂରତା ପ୍ରାୟ ୧୦୦ କିଲୋମିଟର କମିଯିବ । ଯାତ୍ରୀମାନେ ଏଥିରେ ବହୁ ଭାବରେ ଉପକୃତ ହେବେ ଏବଂ ମାଲ୍‍ ପରିବହନ ବାବଦ ଖର୍ଚ୍ଚ ବି କମିବ ।

ପ୍ରାୟ ୫୦ବର୍ଷ ଧରି ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ ଦାବି ହୋଇଆସୁଛି । ଏଥିଲାଗି ବାରମ୍ବାର ଆନ୍ଦୋଳନ ବି ହୋଇଛି । ଶେଷରେ ବାସ୍ତବତାକୁ ହୃଦୟଙ୍ଗମ କରି ପ୍ରାୟ ୧୫୦ କିଲୋମିଟର ଦୈର୍ଘ୍ୟର ଏହି ନୂଆ ରେଳ ପ୍ରକଳ୍ପ ପାଇଁ ୨୦୦୩-୦୪ ବର୍ଷରେ ମଞ୍ଜୁରୀ ମିଳିଥିଲା । ତେବେ ଜମି ଅଧିଗ୍ରହଣ, ପରିବେଶ ମଞ୍ଜୁରୀ, ପାଣ୍ଠିର ଅଭାବ ଆଦି ବିଭିନ୍ନ କାରଣରୁ ଏହି ରେଳପଥ ନିର୍ମାଣ କାମ ବହୁ ବର୍ଷ ଧରି ଧିମା ପଡ଼ିଥିଲା ।

୨୦୦୪-୦୫ ଓ ୦୫-୦୬ ବର୍ଷରେ ଏହି ପ୍ରକଳ୍ପ ଲାଗି ୫ କୋଟି ଟଙ୍କା କରି ଅର୍ଥ ମଞ୍ଜୁର ହୋଇଥିଲା । ମୋଟାମୋଟି ଭାବେ ୨୦୦୪-୦୫ରୁ ୨୦୧୭-୧୮ ମଧ୍ୟରେ ଏହି ପ୍ରକଳ୍ପ ଲାଗି ୫୩୯ କୋଟି ଟଙ୍କାମିଳିଥିଲା । ତେବେ୨୦୧୮-୦୯ରେ ଏଥିପାଇଁ କେନ୍ଦ୍ର ସରକାର ୩୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ ଓ ତତ୍‍ପରବର୍ତ୍ତୀ ବର୍ଷଗୁଡ଼ିକରେ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ବ୍ୟବସ୍ଥା ହୋଇଆସୁଛି ।

ଅନୁଗୁଳ ଜିଲ୍ଲାରେ ୭୯ କିଲୋମିଟର, ଦେଓଗଡ଼ ଜିଲ୍ଲାରେ ୩୨ କିଲୋମିଟର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୩୯ କିଲୋମିଟର ରେଳପଥ ଏହି ପ୍ରକଳ୍ପରେ ନିର୍ମିତ ହେବା କଥା । ଦୀର୍ଘବର୍ଷ ଧରି ଏହି ପ୍ରକଳ୍ପର କାମ ଧିମା ପଡ଼ିବା ପରେ ପୁଣି ଏବେ ଆଗେଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଦିଲ୍ଲୀପ ରାୟ ଏହି ପ୍ରକଳ୍ପ କାମକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦେଉଛନ୍ତି ।

ତାଳଚେର ପଟୁ ସୁନା ଖଣି ରେଳ ଷ୍ଟେସନ୍‍ ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର କାମ ସଂପୂର୍ଣ୍ଣ ହୋଇଛି ଏବଂ ସୁନାଖଣିରୁ ପରବିଲ୍‍ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାମ ଆଗଉଛି । ବରୁଆଁ ପାହାଡ଼ର ବୁକୁ ଚିରି ପ୍ରାୟ ୮୪୦ ମିଟର ଦୈର୍ଘ୍ୟର ଏକ ରେଳ ସୁଡ଼ଙ୍ଗ ବା ଟନେଲ୍‍ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ସୁନ୍ଦରଗଡ଼ ଓ ଦେଓଗଡ଼ ଜିଲ୍ଲାରେ ଭୂମି ଅଧିଗ୍ରହଣରେ ବିଳମ୍ବ ଓ କେତେକ ସ୍ଥଳରେ ଜଙ୍ଗଲ ଜମିରେ ନିର୍ମାଣ ପାଇଁ ପରିବେଶ ମଞ୍ଜୁରୀ ବାଧକ ହୋଇଥିବାରୁ ତାଳଚେର-ବିମଳାଗଡ଼ ରେଳପଥ କାମ ବାଧାପ୍ରାପ୍ତ ହୋଇଥିଲା । ତେବେ ବରୁଆଁ ରେଳ ଟନେଲ୍‍ କାର୍ଯ୍ୟ ଚୂଡ଼ାନ୍ତ ହେବା ପରେ ତାଳଚେରରୁ ସମଲ ଷ୍ଟେସନ୍‍ ପର୍ଯ୍ୟନ୍ତ ରେଳ ଚଳାଚଳ କରିବାରେ ଅସୁବିଧା ରହିବ ନାହିଁ ।

ପ୍ରକଳ୍ପ ମଞ୍ଜୁରୀର ଇତିମଧ୍ୟରେ ୨୩ବର୍ଷ ଅତିକ୍ରାନ୍ତ କରିଥିôବାବେଳେ ମାତ୍ର ୧୫୦ କିଲୋମିଟର ଦୈର୍ଘ୍ୟର ଏହି ରେଳପଥ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ତାଳଚେର-ବିମଳାଗଡ଼ ମଧ୍ୟରେ ରେଳପଥ ନିର୍ମାଣ ହେଲେ ରାଉରକେଲାରୁ ତାଳଚେର ମଧ୍ୟରେ ଦୂରତା ପ୍ରାୟ ୧୨୬ କିଲୋମିଟର କମିବ ବୋଲି କୁହାଯାଉଛି ।

ଏବେ ସୁନ୍ଦରଗଡ଼ ଜିଲ୍ଲାରୁ ଉତ୍ତୋଳିତ ହେଉଥିବା ଖଣିଜ ସାମଗ୍ରୀ ଅନ୍ୟ ରାଜ୍ୟର ବନ୍ଦର ଦେଇ ବିଦେଶକୁ ରପ୍ତାନୀ ହେଉଛି । କିନ୍ତୁ ତାଳଚେର-ବିମଳାଗଡ଼ ରେଳପଥରେ ଯାତ୍ରୀବାହୀ ଓ ମାଲବାହୀ ରେଳଗାଡ଼ି ଯାତାୟାତ କଲେ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରର ମାଲ ପରିବହନ ବୃଦ୍ଧି ପାଇବ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ୨୦୨୭ରୁ କାର୍ଯ୍ୟକ୍ଷମ ହେବାକୁ ଯାଉଥିବାବେଳେ ତାଳଚେର-ବିମଳାଗଡ଼ ରେଳପଥରେ କେବେ ରେଳଗାଡ଼ି ଗଡ଼ିବ ସେ ସଂକ୍ରାନ୍ତରେ କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେହି କିଛି କହୁନାହାନ୍ତି ।(ତଥ୍ୟ)