Home Education କର୍ମଚାରୀ ଯୋଗାଇବ ଉଚ୍ଚଶିକ୍ଷା ବିଭାଗ

କର୍ମଚାରୀ ଯୋଗାଇବ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର : ସରକାରୀ କଲେଜ କର୍ତ୍ତୃପକ୍ଷ ଆଉ ନିଜ ଆବଶ୍ୟକ ଅନୁଯାୟୀ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ସମେତ କୌଣସି ଠିକା କର୍ମଚାରୀ ରଖିପାରିବେ ନାହିଁ । ସେମାନଙ୍କର ଆବଶ୍ୟକତା ଜଣାଇଲେ ବିଭାଗ ପକ୍ଷରୁ ସେମାନଙ୍କୁ କର୍ମଚାରୀ ଯୋଗାଇ ଦିଆଯିବ ।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ କଲେଜକୁ ଏଭଳି ନିର୍ଦ୍ଦେଶନାମା ପଠାଯାଇଛି । ଏହା ପାଇଲା ପରେ କଲେଜ କର୍ତ୍ତୃପକ୍ଷ ଆବଶ୍ୟକ ଅନୁଯାୟୀ ନିଯୁକ୍ତି କରିବା ବଦଳରେ ଏବେ କେଉଁ କେଉଁ ବର୍ଗର କର୍ମଚାରୀ ଆବଶ୍ୟକ ତାହାର ଏକ ତାଲିକା ପ୍ରସ୍ତୁତ କରିବାରେ ଲାଗିଛନ୍ତି ।

ତେବେ ବିଭାଗ ପକ୍ଷରୁ ଲେଖାଯାଇଥିବା ପତ୍ରରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ରହିବେ କି ନାହିଁ ସେ ସଂକ୍ରାନ୍ତରେ ସଠିକ୍‍ ଭାବେ କିଛି ଉଲ୍ଲେଖ ନଥିବାବେଳେ କଲେଜ କର୍ତ୍ତୃପକ୍ଷ କିନ୍ତୁ ନିଜଆଡୁ ଏବେ ଏହି କର୍ମଚାରୀଙ୍କୁ ବିଦା କରିବାରେ ଲାଗିଛନ୍ତି । ରାଜ୍ୟ ଅନ୍ୟ କେଉଁ ସ୍ଥାନ ନୁହେଁ, ଖୋଦ୍‍ ରାଜଧାନୀରେ ଥିବା ବିଜେବି କଲେଜ କର୍ତ୍ତୃପକ୍ଷ ସରକାରଙ୍କ ଚିଠି ପାଇଲା ପରେ ଠିକା ଝାଡୁଦାର ଓ ଅନ୍ୟ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ବିଦା କରିଛନ୍ତି । ଆହୁରି ଅନେକ ଠିକା କର୍ମଚାରୀ ଏବେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି ।

ଝାଡୁଦାରମାନଙ୍କୁ ହଟାଇ ଦିଆଯିବା ପରେ ବିଜେବି କଲେଜ ଶ୍ରେଣୀଗୃହ ଓ ଦପ୍ତରରେ ତିନି ହେଲା ଝାଡୁ ମରାଯାଇ ନାହିଁ । ବିଭିନ୍ନ ସ୍ଥାନରେ ଅଳିଆ ଗଦା ହେବାରେ ଲାଗିଲାଣି । ଏହା କିଭଳି ସଫା ହେବ ସେହି ଚିନ୍ତା ଏବେ କଲେଜ କର୍ତ୍ତୃପକ୍ଷଙ୍କ ଘାରିଛି । କେବଳ ବିଜେବି କଲେଜ ନୁହେଁ, ରାଜ୍ୟର ପ୍ରାୟ ଅଧିକାଂଶ ସରକାରୀ କଲେଜରେ ସମାନ ଅବସ୍ଥା ।

ଉଲ୍ଲେଖନୀୟ ଯେ ସରକାରୀ ସ୍ତରରେ ଦୀର୍ଘଦିନ ଧରି ନିୟମିତ ନିଯୁକ୍ତି ହେଉନଥିବାରୁ ନିଜ ନିଜ ଆବଶ୍ୟକତା ଅନୁଯାୟୀ କଲେଜ କର୍ତ୍ତୃପକ୍ଷ ଅସ୍ଥାୟୀ ଠିକା କର୍ମଚାରୀ ରଖିଥାନ୍ତି । ବିଶେଷକରି ଝାଡୁଦାର, ସୁରକ୍ଷାକର୍ମୀ, ପିଅନ ଆଦିଙ୍କୁ ରଖାଯିବା ସହିତ ଦୈନିକ ମଜୁରୀ ହିସାବରେ ସେମାନଙ୍କୁ ପାଉଣା ଦିଆଯାଏ । ଏମାନେ ପ୍ରାୟତଃ ମାସକୁ ୧୦ ରୁ ୧୨ ହଜାର ଟଙ୍କାରେ କାମ କରୁଛନ୍ତି । ଏହାଛଡା ଦାପ୍ତରିକ କାର୍ଯ୍ୟ ଚଳାଇବାପାଇଁ ମଧ୍ୟ କେତେକ କଲେଜରେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଏମାନେ ମାସିକ ୧୫/୧୭ ହଜାର ଟଙ୍କା ମଜୁରୀରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଛନ୍ତି । କାଳେ କେତେବେଳେ ସରକାର ଏମାନଙ୍କ ଉପରେ ଶୁଭଦୃଷ୍ଟି ପକାଇ ନିୟମିତ କରିଦେବେ ସେହି ଆଶାରେ ଅଳ୍ପ ପାଉଣାରେ କାମ ଜାରିରଖିଛନ୍ତି ।

ଏବେ ଉଚ୍ଚଶିକ୍ଷା ବିଭାଗର ଚିଠିକୁ ଭିନ୍ନ ଭିନ୍ନ ଭାବେ ତର୍ଜମା କରି କଲେଜଗୁଡିକ ପଦକ୍ଷେପ ଗ୍ରହଣ ଆରମ୍ଭ କରିଛନ୍ତି । ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ କାମ ବନ୍ଦ ହୋଇଥିବାବେଳେ ଆଗକୁ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ବି ହଟାଇବ ବୋଲି ଗୁଜବ ପ୍ରଚାର ହେଉଛି । ଏହାକୁ ନେଇ ଏବେ ସମ୍ପୃକ୍ତ କର୍ମଚାରୀମାନେ ଚିନ୍ତାରେ ପଡିଛନ୍ତି ।

ତେବେ ଉଚ୍ଚଶିକ୍ଷା ବିଭାଗ ଫାସିଲିଟି ମ୍ୟାନେଜମେଣ୍ଟ ସର୍ଭିସ ବ୍ୟବସ୍ଥାରେ କର୍ମଚାରୀ ଯୋଗାଣ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାହା ଟେଣ୍ଡର ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ଢେର ସମୟ ଲାଗିବ । ସେହି ସମୟ ପର୍ଯ୍ୟନ୍ତ କଲେଜ କର୍ତ୍ତୃପକ୍ଷ କିଭଳି କାମ ଚଳାଇବେ ତାହାକୁ ନେଇ ଚିନ୍ତାରେ ପଡିଥିବାବେଳେ ଉଚ୍ଚଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)