ଭୁବନେଶ୍ୱର : ବିଦ୍ୟାଳୟରେ ଏବେ ତ୍ରୁଟିପୂର୍ଣ୍ଣ ପୁସ୍ତକର ସଂଶୋଧନ କାର୍ଯ୍ୟ ଚାଲିଥିବାରୁ ପାଠପଢା ବନ୍ଦ । ଓସେପା କର୍ତ୍ତୃପକ୍ଷ ବିଦ୍ୟାଳୟଗୁଡିକୁ ପଠାଇଥିବା ସଂଶୋଧିତ ତାଲିକାକୁ ଧରି ଶିକ୍ଷକ ଶିକ୍ଷୟତ୍ରୀମାନେ ପିଲାଙ୍କ ବହିରେ ଥିବା ତ୍ରୁଟିଗୁଡିକୁ ସୁଧାରିବାରେ ଲାଗିଛନ୍ତି ।
ପ୍ରଥମରୁ ଅଷ୍ଟମଶ୍ରେଣୀର ଛାତ୍ରଛାତ୍ରୀଙ୍କ ପୁସ୍ତକରେ ଦୁଇ ହଜାରରୁ ଅଧିକ ତ୍ରୁଟି ବାହାରିବାପରେ ସରକାର ସବୁଆଡୁ ସମାଲୋଚନାର ଶିକାର ହୋଇଥିଲେ । ଏହାପରେ ତ୍ରୁଟି ସୁଧାରିବାପାଇଁ ଏବେ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ଓସେପା ପକ୍ଷରୁ ପ୍ରତ୍ୟେକ ବିଦ୍ୟାଳୟକୁ ୧୨୨ ପୃଷ୍ଠାର ତାଲିକା ପଠାଇ ଦିଆଯାଇଛି । ଏଗୁଡିକୁ ଦେଖି ପୁସ୍ତକରେ ଥିବା ତ୍ରୁଟିକୁ ସଂଶୋଧନ ପାଇଁ କୁହାଯାଇଛି ।
ଏହି ତାଲିକା ଡିଜିଟାଲ ଫର୍ମାଟରେ ଥିବାରୁ ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜ ନିଜ ମୋବାଇଲରେ ତାହାକୁ ଖୋଲି ଶ୍ରେଣୀର ଜଣେ ପିଲାଙ୍କ ବହିରେ ଥିବା ତ୍ରୁଟିକୁ ସଂଶୋଧନ କରୁଛନ୍ତି । ଏହାପରେ ସମ୍ପୃକ୍ତ ପିଲାର ବହିକୁ ଦେଖି ଅନ୍ୟ ପିଲାମାନେ ସୋମନଙ୍କ ପୁସ୍ତକରେ ଥିବା ତ୍ରୁଟିକୁ ସୁଧାରିବାପାଇଁ ଯୋଜନା ରହିଛି । ଚଳିତମାସ ଆଠ ତାରିଖ ସୁଦ୍ଧା ସମସ୍ତ ତ୍ରୁଟି ସୁଧାରିବାପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସମୟସୀମା ଦିଆଯାଇଛି ।
ଫଳରେ ବିଦ୍ୟାଳୟରେ ପ୍ରାର୍ଥନା ସରିବାମାତ୍ରେ ଶିକ୍ଷକ ଶିକ୍ଷୟତ୍ରୀମାନେ ପୁସ୍ତକ ସଂଶୋଧନ କାମରେ ଲାଗି ପଡୁଛନ୍ତି । ଏହି ସମୟରେ ଛାତ୍ରଛାତ୍ରୀମାନଙ୍କ ପାଠପଢା ବନ୍ଦ । କିଏ ଖେଳିବାକୁ ଯାଉଛି ତ ଆଉ କିଏ ବାହାରେ ବୁଲୁଛି । ଯେହେତୁ ପୁସ୍ତକରେ ତ୍ରୁଟି ସଂଶୋଧନ ହୋଇନାହିଁ ତେଣୁ ଶିକ୍ଷକ ଶିକ୍ଷୟତ୍ରୀମାନେ ବି ପିଲାଙ୍କୁ ପାଠ ପଢିବାପାଇଁ ତାଗିଦା କରିପାରୁ ନାହାନ୍ତି ।
ପ୍ରଥମେ ଶିକ୍ଷକ ଶିକ୍ଷୟତ୍ରୀମାନେ ଶ୍ରେଣୀର ଗୋଟିଏ ପୁସ୍ତକର ତ୍ରୁଟି ସଂଶୋଧନ କଲାପରେ ଛାତ୍ରଛାତ୍ରୀମାନେ ନିଜ ହାତରେ ନିଜ ନିଜ ପୁସ୍ତକୁ ସଂଶୋଧନ କରିବେ । ତେବେ ଓସେପା କର୍ତ୍ତୃପକ୍ଷ ଯେଉଁ ୧୨୨ ପୃଷ୍ଠାର ସଂଶୋଧିତ ତାଲିକା ପଠାଇଛନ୍ତି ତାହାକୁ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବା କାଠିକରପାଠ ବୋଲି ଶିକ୍ଷକମାନେ ମତ ଦେଉଛନ୍ତି । ଅବଶ୍ୟ ଯେଉଁସବୁ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି ସେଠାରେ ତ୍ରୁଟି ସଂଶୋଧନ ଜୋରସୋରରେ ଚାଲିଛି । ହେଲେ ଯେଉଁଠାରେ କମ୍ ସଂଖ୍ୟକ ଶିକ୍ଷକ ରହିଛି ସେମାନେ କିଭଳି ତ୍ରୁଟି ସୁଧାରିବେ ସେହି ଚିନ୍ତାରେ ପଡିଛନ୍ତି ।
ଓସେପା କର୍ତ୍ତୃପକ୍ଷ ବିଦ୍ୟାଳୟକୁ ଯେଉଁ ତାଲିକା ପଠାଇଛନ୍ତି ସେଥିରେ କେତେକ ସ୍ଥାନରେ ଭୁଲ୍ ଓ ଠିକ୍କୁ ସମାନ ଦେଖାଯାଇଥିବାବେଳେ ଆଉ କେତେକ ଶବ୍ଦ ରହିଛି ଯାହାକୁ ଶିକ୍ଷକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ସରକାର କଣ୍ଟ ଦେଇଥିବାରୁ ଏବେ ସବୁ କାମ ଛାଡି ତ୍ରୁଟି ସଂଶୋଧନରେ ଲାଗି ପଡିଛନ୍ତି । ପ୍ରଥମେ ଶିକ୍ଷକ ଶିକ୍ଷୟତ୍ରୀ ଓ ପରେ ଛାତ୍ରଛାତ୍ରୀ ସମସ୍ତେ ମିଶି କେବେ ପୁସ୍ତକରେ ଥିବା ମାଳ ମାଳ ତ୍ରୁଟିକୁ ସୁଧାରିବେ ଓ କେବେ ସଂଶୋଧିତ ପୁସ୍ତକକୁ ଧରି ପାଠପଢିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)

