ଭୁବନେଶ୍ୱର : ରାଜଧାନୀରେ ଥିବା ଉଭୟ ସରକାରୀ ଘରୋଇ ଡାକ୍ତରଖାନାଗୁଡିକରେ ଏବେ ପାର୍କିଂ ପାଇଁ ସ୍ଥାନ ସଙ୍କଟ । ଯେତିକି ବି ସ୍ଥାନ ରହିଛି ସେଥିରେ ସମ୍ପୃକ୍ତ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀଙ୍କ ଗାଡିମୋଟର ରଖିବାକୁ ବି ସ୍ଥାନ ଅଭାବ ପଡୁଛି ।
ସହରରେ ଏବେ ଛୋଟ ବଡ ହୋଇ ୭୦ରୁ ଅଧିକ ଡାକ୍ତରଖାନା ରହିଛି । ବଡ ବଡ ଡାକ୍ତରଖାନାଗୁଡିକ ନିଜ ପାଇଁ ପାର୍କିଂସ୍ଥାନ ରଖିଥିବାବେଳେ ଛୋଟ ଓ ମଧ୍ୟମ ବର୍ଗର ଚିକିତ୍ସାଳୟଗୁଡିକ ପାଇଁ ସର୍ବସାଧାରଣଙ୍କ ରାସ୍ତା ପାର୍କିଂସ୍ଥଳ ପାଲଟିଛି । ରୋଗୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତେ ରାସ୍ତାକଡରେ ଗାଡିମୋଟର ରଖୁଛନ୍ତି ।
ତେବେ ବଡ ବଡ ଘରୋଇ ଡାକ୍ତରଖାନାଗୁଡିକରେ ଦିନକୁ ଦିନ ପାର୍କିଂ ସମସ୍ୟା ଉତ୍କଟ ହେବାରେ ଲାଗିଛି । ସ୍ଥାନର ପରିସୀମା ବଢୁନଥିବାବେଳେ ଗାଡିମୋଟର ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି । ଡାକ୍ତରଙ୍କ ସହିତ ଅଧିକାଂଶ କର୍ମଚାରୀ ଚାରିଚକିଆ ଯାନ ଧରି ଆସୁଥିବାରୁ ସେମାନଙ୍କ ଗାଡିମୋଟର ପାର୍କିଂ ପାଇଁ ସ୍ଥାନ ଅଭାବ ପଡୁଛି । ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ରାସ୍ତା ଉପରେ ଗାଡିମୋଟର ରଖିବାକୁ ବାଧ୍ୟ ହେଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଡାକ୍ତରଖାନା ନିକଟରେ ନିଜର ଆମ୍ବୁଲାନ୍ସ ରଖିବାପାଇଁ ବି ସ୍ଥାନ ଟିକେ ମିଳୁନାହିଁ ।
ରାଜଧାନୀରେ ଥିବା ମୁଖ୍ୟ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ସମାନ ସ୍ଥିତି । ଏଠାରେ ଥିବା ଖାଲି ସ୍ଥାନରେ କୋଠାବାଡି ନିର୍ମାଣ ହେବାରେ ଲାଗିଛି । ଫଳରେ ଡାକ୍ତର ହୁଅନ୍ତୁ କି ରୋଗୀ, ସମସ୍ତଙ୍କ ପାଇଁ ପାର୍କିଂ ଏବେ ମୁଖ୍ୟ ସମସ୍ୟା । ବର୍ତ୍ତମାନ କ୍ୟାପିଟାଲ ଆଖପାଖରେ ଥିବା ରାସ୍ତା ପାଶ୍ୱର୍, ଗଳି କନ୍ଦି ଆଦି ଗାଡିମୋଟର ପାର୍କିଂସ୍ଥାନ ପାଲଟିଛି । ଡାକ୍ତରଖାନା ଭିତରେ ଥିବା ଅଳ୍ପ ପାର୍କିଂ ସ୍ଥାନକୁ ଡାକ୍ତରଖାନାର ଚିକିତ୍ସକ, କର୍ମଚାରୀମାନେ ଦଖଲ କରିନେଉଛନ୍ତି । ତୁରନ୍ତ ଏଠାରେ ପାର୍କିଂ ସମସ୍ୟାର ସମାଧାନ ନହେଲେ ରୋଗୀସେବା ବାଧକରେ ଏହା ପ୍ରମୁଖ କାରଣ ପାଲଟିବ ବୋଲି କୁହାଯାଉଛି ।
ଏହାଛଡା ସହରରେ କିଛି ଡାକ୍ତରଖାନା ଏବେ ଆବାସିକ ଅଞ୍ଚଳ ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନରେ ଭଡାଘରେ ଖୋଲୁଥିବାରୁ ସେହିସବୁ ଅଞ୍ଚଳରେ ପାର୍କିଂ ସମସ୍ୟା ଅତି ଉତ୍କଟ ହେବାରେ ଲାଗିଛି । ଏପରିକି ଘର ଆଗରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଗାଡି ପାର୍କିଂ ଯୋଗୁଁ ଲୋକେ ନିଜ ନିଜ ଘରକୁ ପ୍ରବେଶ କରିପାରୁ ନାହାନ୍ତି ।
ଚିକିତ୍ସାଳୟ ଖୋଲିବାପାଇଁ ସରକାର ଅନୁମତି ଦେବା ସମୟରେ ପାର୍କିଂ ସ୍ଥାନ ପ୍ରତି ସେତେଟା ଗୁରୁତ୍ୱ ଦେଉନଥିବାରୁ କେତେକ ଡାକ୍ତରଖାନା ଏବେ ରାସ୍ତାକଡରେ ଥିବା ଜମିକୁ ଦଖଲ କରିବାରେ ଲାଗିଛନ୍ତି । ନିଜ ନିଜ କର୍ମଚାରୀଙ୍କ ପାଇଁ ସ୍ଥାନ ମାଡିବସୁଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଉଭୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି ଧ୍ୟାନ ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)

