ଭୁବନେଶ୍ୱର : ନୂଆଦିଲ୍ଲୀ ଠାରେ ନୂତନ ଓଡିଶା ଭବନର ନିର୍ମାଣ କାର୍ଯ୍ୟ ଆଗଉନି । ଫଳରେ ୨୦୨୮ ଏପ୍ରିଲ୍ ସୁଦ୍ଧା ଏହାର ନିର୍ମାଣ ସାରିବାକୁ ଯେଉଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ତାହା ପୂରଣ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ଦେଶର ରାଜଧାନୀରେ ଥିବା ପୁରୁଣା ଓଡିଶା ଭବନ ସ୍ଥାନରେ ନୂତନ ଓଡିଶା ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତବର୍ଷ ଫେବୃୟାରୀ ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୯୩.୨୭ କୋଟି ଟଙ୍କା ବ୍ୟୟରେ ୭ମହଲା ବିଶିଷ୍ଟ ଓଡିଶା ଭବନ ନିର୍ମାଣ ସହିତ ସେଥିରେ ୪୫ଟି ସୁଟ୍ ରହିବ ବୋଲି ସ୍ଥିର ହୋଇଛି । ନୂତନ ଓଡିଶା ଭବନରେ ଓଡିଶାର କଳା ସଂସ୍କୃତିର ଛାପ ସହିତ ଆଧୁନିକତା ବି ରହିବ ।
ତେବେ ଫେବୃଆରୀ ମାସରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ଏପ୍ରିଲ୍ ମାସରୁ କାର୍ଯ୍ୟ ଆରମ୍ଭ ହେବ ଏବଂ ଠିକ୍ ୨ବର୍ଷ ଭିତରେ ଏହାର ନିର୍ମାଣ ସରିବ ବୋଲି କୁହାଯାଇଥିଲା । ହେଲେ ନିର୍ମାଣ ଦାୟିତ୍ୱ ନେଇଥିବା ସଂସ୍ଥା ଯେଭଳି ଭାବେ କାର୍ଯ୍ୟ ଚଳାଇଛି ସେଥିରେ ଦୁଇବର୍ଷ ଭିତରେ କାମ ସରିବନାହିଁ ବୋଲି କୁହାଗଲାଣି । କାରଣ ଚାଣକ୍ୟପୁରୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରିବା ଏତେଟା ସହଜ ନଥିବାବେଳେ ନିର୍ମାଣକାରୀ ସଂସ୍ଥା ଅତ୍ୟନ୍ତ ମନ୍ଥରତା ପ୍ରଦର୍ଶନ କରୁଛି ।
ଉଲ୍ଲେଖନୀୟ ଯେ ନୂଆଦିଲ୍ଲୀର ଭିଭିଆଇପି ଅଞ୍ଚଳରେ ଥିବା ଓଡିଶା ଭବନରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅଫିସରମାନେ ନୂଆଦିଲ୍ଲୀ ଗସ୍ତ ସମୟରେ ଅବସ୍ଥାନ କରିଥାନ୍ତି । ବର୍ତ୍ତମାନ ଏହା ଭଙ୍ଗା ଯାଇଥିବାରୁ ଦିଲ୍ଲୀ ଗସ୍ତ କରୁଥିବା ଅଫିସରମାନଙ୍କୁ ରାଜ୍ୟ ସରକାର ଅଶୋକା ଭଳି ଦାମୀ ହୋଟେଲରେ ରଖୁଛନ୍ତି ଏବଂ ଏ ବାବଦରେ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି ।
ଓଡିଶା ଭବନର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ସରିବ ବୋଲି ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ କୁହାଯାଇଥିଲେ ମଧ୍ୟ କାର୍ଯ୍ୟର ମନ୍ଥରତା ଉପରେ କେହି ଧ୍ୟାନ ଦେଉନଥିବା କୁହାଯାଉଛି । ଯେଉଁ ଢଙ୍ଗରେ ର୍ନିମାଣ କାର୍ଯ୍ୟ ଚାଲୁଛି ତାହା ସମ୍ପୂର୍ଣ୍ଣ ହେବାକୁ ଦୁଇ ବର୍ଷରୁ ବହୁ ବିଳମ୍ବ ହେବ ଏବଂ ବ୍ୟୟବରାଦ ମଧ୍ୟ ଆକାଶଛୁଆଁ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ତେଣୁ ରାଜ୍ୟ ସରକାର ତୁରନ୍ତ ନିର୍ମାଣ କାର୍ଯ୍ୟର ସମୀକ୍ଷା ସହିତ ଏହା କିଭଳି ଭାବେ ତ୍ୱରାନ୍ୱିତ ହେବ ସେ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି ।
ଗୋଟିଏ ପଟେ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାବେଳେ ଅନ୍ୟପଟେ ଓଡିଶା ସରକାରଙ୍କର ନିଜସ୍ୱ ଆବାସସ୍ଥଳୀ ନଥିବାରୁ ବହୁ ସମୟରେ ନୂଆଦିଲ୍ଲୀ ଗସ୍ତ କରୁଥିବା ଅଧିକାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବହୁ ସମୟରେ ଏମାନଙ୍କ ପାଇଁ ହୋଟେଲ ଯୋଗାଡ କରିବା କାଠିକରପାଠ ହେଉଛି । ତେଣୁ ଓଡିଶା ଭବନ ନିର୍ମାଣକାର୍ଯ୍ୟ ଯେତେଶୀଘ୍ର ସରିବ ତାହା ଓଡିଶାର ସ୍ୱାର୍ଥ ପାଇଁ ସେତେ ଭଲ ହେବ ବୋଲି ବରିଷ୍ଠ ଅଧିକାରୀମାନେ ମତ ଦେଉଛନ୍ତି । (ତଥ୍ୟ)

