ଭୁବନେଶ୍ୱର : ମଦ ଦୋକାନ ନିଲାମ ବାବଦରେ ୮୪୦ କୋଟି ଟଙ୍କା ପାଇ ସରକାର ଖୁସି ହେଉଥିବାବେଳେ ନୂଆକରି ମଦ ଦୋକାନ ପାଇଥିବା ନିଲାମଧାରୀମାନେ ଏବେ ହଟହଟା ହେବାରେ ଲାଗିଛନ୍ତି । ଅନେକ ସ୍ଥାନରେ ନୂଆ ଦୋକାନ ଖୋଲିବାକୁ ଯାଉଥିବାବେଳେ ସ୍ଥାନୀୟ ଲୋକେ, ବିଶେଷକରି ମହିଳାମାନଙ୍କର କଡା ବିରୋଧର ସମ୍ମୁଖୀନ ହେଉଛନ୍ତି ।
ଚଳିତବର୍ଷ ରାଜ୍ୟ ସରକାର ୧୧ଶହ ମଦଦୋକାନ ପାଇଁ ନିଲାମ ଡାକିଥିଲେ । ଏଥର ନିଲାମ ଡାକରା ପାଇଁ ଜମା ଅର୍ଥ ପରିମାଣକୁ ସରକାର ବଢାଇଥିଲେ । ବିଦେଶୀ ମଦ ଦୋକାନ ପାଇଁ ୩ଲକ୍ଷ ଏବଂ ଦେଶୀ ମଦ ଭାଟି ପାଇଁ ୨ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା । ମଦ ଦୋକାନ ପାଇବାପାଇଁ ଜଣେ ଜଣେ ଆଶାୟୀ ୨୫ଟି ପର୍ଯ୍ୟନ୍ତ ଟେଣ୍ଡର ପକାଇଥିଲେ । ଏହା ଫଳରେ ରାଜକୋଷକୁ ୮୪୦ କୋଟି ଟଙ୍କା ଆସିଥିଲା । ଏହି ଅର୍ଥ ଫେରସ୍ତ ବ୍ୟବସ୍ଥା ନଥିବାରୁ ସରକାର ଏକାଥରକେ ଏତେ ପରିମାଣର ଅର୍ଥ ପାଇଥିଲେ ।
ତେବେ ଯେଉଁମାନେ ନିଲାମରେ ସଫଳ ହୋଇଥିଲେ ସେମାନେ ପ୍ରଥମେ ଖୁସି ମନାଇଥିବାବେଳେ ଏବେ ସେମାନଙ୍କ ମଧ୍ୟରୁ ଅନେକ ସଙ୍କଟରେ ପଡିଛନ୍ତି । ଯେଉଁମାନେ ନିଲାମରେ ହାରିଥିବା ପୁରୁଣା ଦୋକାନୀଙ୍କ ସହିତ ବୁଝାମଣା କରିପାରୁଛନ୍ତି ସେମାନେ ସେହିସବୁ ପୁରୁଣା ସ୍ଥାନରେ ଦୋକାନ ଖୋଲୁଥିବାବେଳେ ନୂଆ ଟେଣ୍ଡରଧାରୀମାନେ କେଉଁଠାରେ ଦୋକାନ ଖୋଲିବେ ତାହା ଜାଣିପାରୁ ନାହାନ୍ତି । କାରଣ ଯେଉଁଠାକୁ ଦୋକାନ ଖୋଲିବାକୁ ଯାଉଛନ୍ତି ସେଠାରେ ଜୋରଦାର ବିରୋଧ ହେଉଛି । ଏଭଳି ବିରୋଧ ପଛରେ ବି କେତେକ ସ୍ଥାନରେ ପୁରୁଣା ଦୋକାନୀମାନେ ରହିଥିବା ନୂଆ ଟେଣ୍ଡରଧାରୀମାନେ ଆଶଙ୍କା କରୁଛନ୍ତି ।
ରାଜ୍ୟରେ ଏବେ ନିଶା ନିବାରଣ ପାଇଁ ଏକାଧିକ ସଂଗଠନ ଅଭିଯାନ ଚଳାଇଥିବାବେଳେ ଏବେ ସରକାରଙ୍କ ନିୟମ ଅନୁଯାୟୀ ଜନବସତି, ମନ୍ଦିର ଓ ବିଦ୍ୟାଳୟ ଆଖପାଖରେ ମଦଦୋକାନ ଖୋଲିବାକୁ ଜୋରଦାର ବିରୋଧ କରୁଛନ୍ତି । ମହିଳାମାନେ ମେଳି ହୋଇ ଯେଭଳି ମଦଦୋକାନ ପ୍ରତିଷ୍ଠାକୁ ବିରୋଧ କରୁଛନ୍ତି ସେଥିରେ କେତେକ ନିଲାମଧାରୀ ଦୋକାନ ଖୋଲିପାରିବେ କି ନାହିଁ ସେହି ଚିନ୍ତାରେ ପଡିଛନ୍ତି ।
ତେବେ ନିଲାମରେ ହାରି ଯାଇଥିବାବେଳେ କେତେକ ମଦ ଦୋକାନୀ ଏବେ ନୂଆ ନିଲାମଧାରୀଙ୍କ ଜରିଆରେ ସେମାନଙ୍କ ବେପାର ବଳବତ୍ତର ପାଇଁ ଲାଗି ପଡିଛନ୍ତି । ନୂଆ ନିଲାମଧାରୀଙ୍କ ଠାରୁ ଠିକା ଆକାରରେ ବ୍ୟବସାୟ ହାତେଇବାରେ ବି କିଛି ଦୋକାନୀ ସଫଳ ହୋଇଛନ୍ତି । ତେବେ ଗୋଟିଏ ପଟେ ମଦ ଦୋକାନ ହାତେଇବାକୁ ଏକାଧିକ ଟେଣ୍ଡର ପକାଇ ଖର୍ଚ୍ଚାନ୍ତ ହୋଇଥିବାବେଳେ ଅନ୍ୟପଟେ ନୂଆ ସ୍ଥାନରେ ମଦଦୋକାନ କରିବା କଷ୍ଟକର ହେଉଥିବାରୁ ମଦ ବ୍ୟବସାୟୀପାଇଁ ଅଣ୍ଟା ଭିଡିଥିବା ଅନେକ ଏବେ ଚିନ୍ତାରେ ପଡିଛନ୍ତି । (ତଥ୍ୟ)

