Home General ପଞ୍ଚାୟତ ନିର୍ବାଚନରେ ପାନୀୟଜଳ ଅସ୍ତ୍ର

ପଞ୍ଚାୟତ ନିର୍ବାଚନରେ ପାନୀୟଜଳ ଅସ୍ତ୍ର

ଭୁବନେଶ୍ୱର : ଆଗାମୀ ପଞ୍ଚାୟତ ନିର୍ବାଚନରେ ଜଳ ଯୋଗାଣକୁ ଅସ୍ତ୍ର କରିବ ଶାସକଦଳ । ପ୍ରତି ଘରକୁ ଟ୍ୟାପ୍‍ ଯୋଗେ ପାନୀୟଜଳ ଯୋଗାଇ ଭୋଟରଙ୍କ ହୃହଦ ଜିତିବ । ଏଥିପାଇଁ ପାନୀୟଜଳ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ।

ରାଜ୍ୟରେ ପାଇପ୍‍ ଯୋଗେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ଫଳବତୀ ହୋଇପାରିନାହିଁ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ପାନୀୟଜଳ ପାଇବାପାଇଁ ଲୋକେ ଆନ୍ଦୋଳନ କରୁଛନ୍ତି । ମେଗା ପାନୀୟଜଳ ପ୍ରକଳ୍ପକାର୍ଯ୍ୟ ଏବେ ବି ଜାରି ରହିଛି । ଅନେକ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହୋଇପାରି ନାହିଁ ।

୨୦୨୭ ମାର୍ଚ୍ଚ ସୁଦ୍ଧା ସମସ୍ତ ଘରକୁ ପାନୀୟଜଳ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିବାବେଳେ ଏହା ପୂର୍ବରୁ ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ସମସ୍ତ ମେଗା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଏଥିପାଇଁ ଅର୍ଥର ଅଭାବ ବି ରହିବନାହିଁ । କାରଣ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ତାଙ୍କର ଅଂଶଧନ ବାବଦକୁ ଥିବା ୨୭୦୦ କୋଟି ଟଙ୍କା ଯୋଗାଇ ଦେବାର ଆଶ୍ୱାସନା ପ୍ରଦାନ କରିଛନ୍ତି ।

ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଷର ପ୍ରଥମାର୍ଦ୍ଧରେ ହେବାକୁ ଥିବା ପାନୀୟଜଳ ଯୋଗାଣ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ସରକାର ବିଚାରୁଛନ୍ତି । ତେଣୁ ଏହି ମଉକାକୁ ହାତଛଡା ନକରିବାପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ଯେଭଳି ସମସ୍ତ ଘରେ ପାଇପ୍‍ ଯୋଗେ ପାନୀୟଜଳ ପହଞ୍ଚିବ ସେଥିପାଇଁ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଉଲ୍ଲେଖନୀୟ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୭୭ ପ୍ରତିଶତ ପରିବାରକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଇଛି । ଅବଶିଷ୍ଟ ପରିବାରକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପାନୀୟଜଳ ଯୋଗାଇଦେବାକୁ ହେଲେ ମେଗା ପାନୀୟଜଳ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେବା ନିହାତି ଆବଶ୍ୟକ । ଏଥି ସହିତ ଅନ୍ୟ ଛୋଟ ଛୋଟ ପାନୀୟଜଳ ପ୍ରକଳ୍ପ କାମ ବି ସାରିବାକୁ ପଡିବ । ଏଥିପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏହାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।

କେବଳ ଘରକୁ ପାନୀୟଜଳ ଯୋଗାଣ ନୁହେଁ, ବର୍ତ୍ତମାନ ସୁଦ୍ଧା ୭୪ ପ୍ରତିଶତ ବିଦ୍ୟାଳୟ ଓ ୬୪ ପ୍ରତିଶତ ଅଙ୍ଗନବାଡି କେନ୍ଦ୍ରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଛି । ଛାତ୍ରଛାତ୍ରୀ ଓ ଛୋଟ ଛୋଟ ପିଲାମାନେ ଦିନସାରା ଏଠାରେ ପାନୀୟଜଳ ଆବଶ୍ୟକ କରୁଥିବାରୁ ଧାର୍ଯ୍ୟ ସମୟରେ ଏସବୁକୁ ମଧ୍ୟ ପାନୀୟଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି ।

କର୍ତ୍ତୃପକ୍ଷ ବିଚାରୁଛନ୍ତି ଯେ ବିଗତ ସରକାର ଅମଳରେ ମେଗାପାନୀୟଜଳ ପ୍ରକଳ୍ପ ନିର୍ମାତାମାନଙ୍କୁ ଲଗାମଛଡା କରାଯିବା ଫଳରେ ପ୍ରକଳ୍ପ ନିର୍ମାଣ ଧାର୍ଯ୍ୟ ସମୟରେ ହୋଇପାରି ନାହିଁ । ବର୍ତ୍ତମାନ ସରକାର ଯଦି ଆସନ୍ତା ମାର୍ଚ୍ଚ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରି ଶତ ପ୍ରତିଶତ ପରିବାରକୁ ପାନୀୟଜଳ ଯୋଗାଇଦେବେ ତେବେ ପଞ୍ଚାୟତ ନିର୍ବାଚନରେ ଏହା ସରକାରଙ୍କ ପାଇଁ ସବୁଠାରୁ ସଫଳତାର ସବୁଠାରୁ ବଡ ଅସ୍ତ୍ର ହୋଇପାରିବ । (ତଥ୍ୟ)