Home Judiciary ହାଇକୋର୍ଟର ନାମ ଓଡ଼ିଶା କେବେ?

ହାଇକୋର୍ଟର ନାମ ଓଡ଼ିଶା କେବେ?

ଭୁବନେଶ୍ୱର : ବାଲେଶ୍ୱର ସମେତ ରାଜ୍ୟର କେତେକ ସ୍ଥାନର ଇଂରାଜୀ ବନାନ ରାଜ୍ୟ ସରକାର ସଂଶୋଧନ କରିବା ପରେ ଓଡ଼ିଶାରେ ଥିବା ହାଇକୋର୍ଟର ନାମ କେବେ ସଂଶୋଧନ ହେବ ସେଥିଘେନି ବିଭିନ୍ନ ମହଲରୁ ଆଗ୍ରହ ପ୍ରକାଶ ପାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରାୟ ୧୨ବର୍ଷ ପରେ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ହୋଇଥିଲା କଟକରେ । ସେତେବେଳେ ଓଡ଼ିଶାର ନାମ ଇଂରେଜମାନେ ‘ଓରିଶା’ ବୋଲି ଲେଖୁଥିଲେ । କେବଳ ସେତିକି ନୁହେଁ, ଆମ ଭାଷାର ନାମ ଇଂରାଜୀରେ ‘ଓରିଆ’ ବୋଲି ଲେଖାଯାଉଥିଲା । ଲଗାତାର ଭାବେ ୭୦ ବର୍ଷରୁ ଅଧିକ ସମୟ ଧରି ଏହା ସଂଶୋଧନ କରିବା ଲାଗି ବାରମ୍ବାର ଦାବି ହେଉଥିଲା । ଶେଷରେ କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ ମାନିନେଇ ରାଜ୍ୟର ନାମକୁ ଇଂରାଜୀରେ ଓରିଶାରୁ ଓଡ଼ିଶା ଓ ଭାଷାର ନାମ ଓରିଆରୁ ଓଡ଼ିଆକୁ ସଂଶୋଧନ କରିଥିଲେ । ଏଥିପାଇଁ ସଂସଦରେ ସ୍ୱତନ୍ତ୍ର ବିଧେୟକ ପାରିତ ହୋଇଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲା ଓ ସେହି ଆଧାରରେ ରାଜ୍ୟ ସରକାର ମଧ୍ୟ ବିଜ୍ଞପ୍ତି ପ୍ରକାଶ କରି ସଂଶୋଧନ କରିଥିଲେ ।

ପୂର୍ବରୁ ଓଡ଼ିଶାରେ ପଞ୍ଜିକୃତ ହୋଇଥିବା ମୋଟର ଯାନଗୁଡ଼ିକର ନମ୍ବରରେ ଓଆର୍‍ ଲେଖାଯାଉଥିଲା । ରାଜ୍ୟର ନାମ ସଂଶୋଧିତ ହେବା ପରେ ପଞ୍ଜିକୃତ ହୋଇଥିବା ମୋଟର ଯାନଗୁଡ଼ିକ ନମ୍ବରରେ ଓଡି ଲେଖାଗଲା । ପ୍ରାୟ ୧୪ବର୍ଷ ତଳେ ଏହି ସଂଶୋଧନ କରାଯାଇଥିଲେ ମଧ୍ୟ ଏଯାବତ୍‍ ଆମ ରାଜ୍ୟ ହାଇକୋର୍ଟର ନାମ ଇଂରାଜୀରେ ‘ହାଇକୋର୍ଟ ଅଫ୍‍ ଓରିଶା’ ବୋଲି ଲେଖାଯାଇଛି । ହାଇକୋର୍ଟ ସୌଧ ଉପରେ ଥିବା ଫଳକରେ ଏହା ଜଳଜଳ ଦିଶୁଛି । ଏହାଛଡ଼ା ହାଇକୋର୍ଟଙ୍କ ସମସ୍ତ ରାୟ, ଆଦେଶନାମା ଆଦିରେ ମଧ୍ୟ ଓରିଶା ଲେଖାଯାଉଛି । କେବଳ ସେତିକି ନୁହେଁ, ଆମ ହାଇକୋର୍ଟରେ ଯେତେ ମାମଲା ରୁଜୁ ହେଉଛି ଏବଂ ଯେତେ ସତ୍ୟପାଠ ଦାଖଲ ହେଉଛି ସେଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବେସରକାରୀ ବ୍ୟକ୍ତିମାନଙ୍କ ପକ୍ଷରୁ ଦାଖଲ ହେଉଥିବା ସତ୍ୟପାଠରେ ମଧ୍ୟ ଓରିଶା ବୋଲି ଲେଖାଯାଉଛି ।

ରାଜ୍ୟ ନାମର ଇଂରାଜୀ ବନାନ ସାମ୍ବିଧାନିକ ପ୍ରକ୍ରିୟାରେ ସଂଶୋଧିତ ହୋଇସାରିଥିବାବେଳେ ହାଇକୋର୍ଟଙ୍କ ନାମ କିନ୍ତୁ ଏଯାବତ୍‍ ଓରିଶାରୁ ଓଡ଼ିଶାକୁ ବଦଳି ପାରିନାହିଁ । ହାଇକୋର୍ଟଙ୍କ ନାମ ପରିବର୍ତ୍ତନ କିମ୍ବା ସଂଶେଧନ ପାଇଁ ଯେଉଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ତାହାର ଅନୁପାଳନ କରି ତୁରନ୍ତ ଏହି ସଂଶୋଧନ କରାଇବା ପାଇଁ ପଦକ୍ଷେପ ନେବାକୁ ଜଣାଶୁଣା ଆଇନ୍‍ଜୀବୀ ପ୍ରହଲାଦ କୁମାର ସିଂହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଅତୀତରେ ଏ ପ୍ରସଂଗରେ ଆଇନ୍‍ଜୀବୀ ପରିଷଦ ଏବଂ ବିଭିନ୍ନ ଓକିଲ ସଂଘ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ହାଇକୋର୍ଟଙ୍କ ନାମର ଇଂରାଜୀ ବନାନ ସଂଶୋଧନ ପାଇଁ ପ୍ରସ୍ତାବ ଦେଇ ଆସିଛନ୍ତି । ଆଇନ୍‍ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଆଦି ବହୁ ସମୟରେ ଏ ସଂପର୍କରେ ସକରାତ୍ମକ ବକ୍ତବ୍ୟ ଦେଇଛନ୍ତି । ହାଇକୋର୍ଟ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାର ଯୋଗାଯୋଗ ସ୍ଥାପନ କରି ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଏହି ସଂଶୋଧନ ଆଣିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି । (ତଥ୍ୟ)