ଭୁବନେଶ୍ୱର : ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତତଃ ପକ୍ଷେ ବର୍ଷକ ପାଇଁ ସୁନା ଖରିଦ ନକରିବାକୁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ସୁନାପ୍ରେମୀମାନେ ଏକ ପ୍ରକାର ଭୁଲି ଗଲେଣି । ରାଜଧାନୀର ସୁନା ଦୋକାନଗୁଡିକରେ ଲାଗିଥିବା ଭିଡକୁ ଦେଖିଲେ ଏହା ହିଁ ପ୍ରତୀୟମାନ ହେଉଛି ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଦେଶର ଆର୍ଥିକ ସ୍ୱାର୍ଥ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କେତେଗୁଡିଏ ଆହ୍ୱାନ ଦେଇଥିଲେ । ସେଗୁଡିକରେ ମଧ୍ୟରେ ରହିଥିଲା କମ୍ ଇନ୍ଧନ ଖର୍ଚ୍ଚ କରିବା, ବର୍ଷକ ପାଇଁ ସୁନା ନକିଣିବା ଓ ଖାଇବାତେଲର ବ୍ୟବହାର କମ୍ କରିବା । କାରଣ ଏହିସବୁ ସାମଗ୍ରୀ ବିପୁଳ ପରିମାଣରେ ବିଦେଶରୁ ଆମଦାନୀ ହେଉଥିବାବେଳେ ଏଥିପାଇଁ ଭାରତ ସରକାରଙ୍କୁ ବୈଦେଶିକମୁଦ୍ରା ବ୍ୟୟ କରିବାକୁ ହୋଇଥାଏ ।
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ପରେ କେନ୍ଦ୍ର ସରକାର ସୁନା ଉପରେ ଆମଦାନୀ ଟିକସ ବୃଦ୍ଧି କରିଥିଲେ । ଏହା ୬ ପ୍ରତିଶତରୁ ବୃଦ୍ଧି ପାଇଁ ୧୫ ପ୍ରତିଶତରେ ପହଞ୍ଚିଥିଲା । ଏହା ପରେ ପରେ ଦେଶରେ ସୁନାର ଦର ବଢିଥିଲା । ସରକାର ଆଶା ରଖିଥିଲେ ଯେ ସୁନାର ଦର ବୃଦ୍ଧିହେଲେ ଚାହିଦା ହ୍ରାସ ପାଇବ ଓ ସୁନା ଆମଦାନୀ ବାବଦରେ ଖର୍ଚ୍ଚ ହେଉଥିବା ବୈଦେଶିକ ମୁଦ୍ରାକୁ ସୁରକ୍ଷିତ ରଖାଯାଇ ପାରିବ ।
ହେଲେ ଗତ କିଛିଦିନ ହେଲା ସୁନାର ଦର ହ୍ରାସ ପାଇବାରେ ଲାଗିଛି । ଦଶ ଗ୍ରାମ ସୁନାର ଦରରେ ପ୍ରାୟ ୧୦ରୁ ୧୫ ହଜାର ଟଙ୍କା ହ୍ରାସ ପାଇଲା ପରେ ଲୋକେ ଏବେ ସୁନା କିଣିବାପାଇଁ ଗହଣା ଦୋକାନରେ ଭିଡି ଲଗାଇଛନ୍ତି । ବର୍ଷକ ପାଇଁ ସୁନା ନକିଣିବା ସକାଶେ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଥିଲେ ଲୋକେ ତାହାକୁ ଏକ ପ୍ରକାର ପାଶୋରୀ ଦେଇଛନ୍ତି । ଏହାଛଡା କେତେକ ଗଣମାଧ୍ୟମରେ ସୁନାର ଦର ଚଳିତବର୍ଷ ଶେଷସୁଦ୍ଧା ଆଉ ୪୦ ପ୍ରତିଶତ ବଢିବ ବୋଲି ଖବର ପ୍ରକାଶିତ ହେବାପରେ ସୁନାପ୍ରେମୀମାନେ ଏବେ ଅଧିକରୁ ଅଧିକ ପରିମାଣରେ ସୁନା ଗହଣା କିଣିବାରେ ଲାଗିଛନ୍ତି ।
କେବଳ ସୁନା ନୁହେଁ ଇନ୍ଧନ ସଞ୍ଚୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ବି ଲୋକେ ଭୁଲି ଗଲେଣି । ଅଳ୍ପ କିଛି ଦିନର ପ୍ରେଟ୍ରୋଲ ଅଭାବ ଜନିତ ଧାଁ ଦଉଡ ଆଉ ପ୍ରାୟତଃ କାହାର ମନେ ନାହିଁ । ତୈଳ ସଞ୍ଚୟ ଉପଦେଶ ମାନି ଯେଉଁମାନେ ଚାରିଚକିଆ ଛାଡି ଦୁଇ ଚକିଆ ଓ ମୋଟରସାଇକେଲ ଛାଡି ସାଇକେଲକୁ ଆଦିରି ନେଇଥିଲେ ସେମାନେ ଏବେ ପୂର୍ବାବସ୍ଥାକୁ ଫେରି ଆସିଲେଣି । ଯଦିଓ ସରକାର ଇତି ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ଓଡିଶାରେ ୮ଟଙ୍କା ଦର ବୃଦ୍ଧି କରିଛନ୍ତି, କିନ୍ତୁ ତାହାକୁ ଦୁଇ ଚକିଆ ଠାରୁ ଚାରିଚକିଆ ପର୍ଯ୍ୟନ୍ତ କେହି ଖାତିର କରୁନାହାନ୍ତି । ପେଟ୍ରୋଲ ଭୟରେ ଇଭି ବିକ୍ରୟ କେନ୍ଦ୍ରରେ ଲାଗୁଥିବା ଭିଡ ବି ଆଉ ପରିଲକ୍ଷିତ ହେଉନାହିଁ ।
ସେହିଭଳି ଖାଇବା ତେଲ ଦର ଯଦିଓ ଲିଟର ପ୍ରତି ୧୦ ରୁ ୧୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ତାହାର ଅବସ୍ଥା ବି ପେଟ୍ରୋଲ ଡିଜେଲ ଭଳି ହୋଇଛି । ଲୋକେ ପ୍ରଥମେ କିଛି ଦିନ ଖାଦ୍ୟ ପ୍ରସ୍ତୁତିରେ କାଣ୍ଟଛାଣ୍ଟ କରିଥିବାବେଳେ ଏବେ ଯଥା ପୂର୍ବଂ ତଥା ପରଂ ଅବସ୍ଥା ।
ତେବେ ଗାଡି ଓ ଖାଦ୍ୟ କଟକଣାକୁ କିନ୍ତୁ ଟପିଯାଇଛି ସୁନା କଟକଣାକୁ ଫୁ କରିଦେବା । ସୁନାପ୍ରେମୀମାନେ ପ୍ରତିଦିନ ଦରକୁ ଲକ୍ଷ୍ୟକରି ସୁନା କିଣିବାରେ ଲାଗିଛନ୍ତି । ସୁନା ଦୋକାନୀମାନେ ବି ଗ୍ରାହକଙ୍କୁ ଆକର୍ଷିତ କଲାଭଳି ବିଜ୍ଞାପନ ଦେଉଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)

