ନୂଆଦିଲ୍ଲୀ : ସାରା ଦେଶରେ ଆଜି ଶୃଙ୍ଖଳିତ ଭାବେ ନିଟ ପୁନଃପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ଦେଶର ପ୍ରାୟ ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରୁ ପ୍ରଶ୍ନପତ୍ର ଲିକ କିମ୍ବା ଅନ୍ୟ ବିଭ୍ରାଟ ଅଭିଯୋଗ ଆସିନଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଡାଇରେକ୍ଟର ଜେନେରାଲ ଅଭିଶେଖ ସିଂ କହିଛନ୍ତି। ଦେଶର ୫୪୪୦ ପରୀକ୍ଷା କେନ୍ଦ୍ର ଓ ଦେଶ ବାହାରେ ୧୪ଟି କେନ୍ଦ୍ରରେ ପରୀକ୍ଷା ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା ଏବଂ ସମ୍ପୁର୍ଣ୍ଣ ଭାବେ ସିସିଟିଭି ନଜରେ ୧୩ଟି ଭାଷାରେ ପରୀକ୍ଷା ହୋଇଥିବା ସେ କହିଛନ୍ତି।
ଏହାରି ଭିତରେ ଜଣେ ଛାତ୍ରୀଙ୍କ କାହାଣୀ ସାମନାକୁ ଆସିଛି । ଛାତ୍ରୀ ଜଣକ ବଡ଼ ଦୁର୍ଘଟଣାର ଶିକାର ହେବା ପରେ ବି ହାର ନ ମାନି ନିଟ୍ ପରୀକ୍ଷା ଦେବାକୁ ଆସିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଏହି ଛାତ୍ରୀଙ୍କ ନିବେଦନକୁ ଗ୍ରହଣ କରିଥିଲେ ଏବଂ ଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ଅଲଗା ରୁମ୍ ବ୍ୟବସ୍ଥା କରିଥିଲେ । ଦୁର୍ଘଟଣାରେ ଶରୀର ୯ ପଞ୍ଜାର ଭାଙ୍ଗିବା ପରେ ବି ସୃଷ୍ଟି ଦୁବେ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ତାଙ୍କର ଏହି ନିଷ୍ପତ୍ତିରେ ପ୍ରଶାସନ ମଧ୍ୟ ପୂର୍ଣ୍ଣ ସହଯୋଗ କରିଥିଲା। ଘଟଣାଟି କୋଲକାତାର ଧାକୁରିଆ କେନ୍ଦ୍ରରେ ଘଟିଛି। ବିନୋଦିନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବାପା ଶିଶରାମ ଦୁବେ କହିଛନ୍ତି ଯେ ତାଙ୍କ ଝିଅ ଜୁନ୍ ୧୪ ତାରିଖରେ ଏକ ଗୁରୁତର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲା, ଯେଉଁଥିରେ ନଅଟି ପଞ୍ଜରା ଭାଙ୍ଗିଯାଇଥିଲା । ଏପରିକି ତା’ର ଫୁସଫୁସ ମଧ୍ୟ ଗୁରୁତର ଭାବରେ ଆଘାତ ହୋଇଛି । ଦୁର୍ଘଟଣା ପରେ, ତାଙ୍କର ଏକ ବଡ଼ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ସେ କିଛି ଦିନ ପାଇଁ ଭେଣ୍ଟିଲେଟରରେ ଥିଲେ । ବର୍ତ୍ତମାନ ଭେଣ୍ଟିଲେଟର ବାହାରକୁ ଆସିଛନ୍ତି ଏବଂ ଅବସ୍ଥା ସୁଧୁରୁଛି ।
ସୃଷ୍ଟି ଯେତେବେଳେ ତାଙ୍କ ବାପାଙ୍କୁ କହିଥିଲେ ଯେ ସେ ନିଟ୍ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ସେ ଶିକ୍ଷା ମନ୍ତ୍ରୀଙ୍କୁ ଆବେଦନ କରିଥିଲେ । ତାଙ୍କ ଚିଠିରେ ସେ ଲେଖିଛନ୍ତି, ‘ଆଇଏଲଏସ୍ ହସ୍ପିଟାଲ ଆମକୁ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଏବଂ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସମେତ ଚିକିତ୍ସା ସହାୟତା ଯୋଗାଇବାକୁ ପ୍ରସ୍ତୁତ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୟାକରି ମୋ ଝିଅକୁ ପରୀକ୍ଷା ଦେବାକୁ ଅନୁମତି ଦିଅନ୍ତୁ । ଯଦି ଆପଣ ପରୀକ୍ଷା କେନ୍ଦ୍ରକୁ ଜଣାଇପାରିବେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇପାରିବ। ସେ ମେଡିକାଲ୍ ଡ୍ରେସରେ ହିଁ ପରୀକ୍ଷା ଦେବେ । ଏହା ସହିତ, ତାଙ୍କୁ ଚିକିତ୍ସା ଉପକରଣ ସହିତ ପରୀକ୍ଷା ଦେବାକୁ ଅନୁମତି ଦିଆଯିବା ଉଚିତ’।
ଛାତ୍ରୀଙ୍କ ବାପା କରିଥିବା ଆବେଦନ ପରେ, ଶିକ୍ଷା ମନ୍ତ୍ରୀ ମାନବୀୟ ପଦକ୍ଷେପ ନେଇଥିଲେ ଏବଂ ପରୀକ୍ଷା କେନ୍ଦ୍ରରେ ଛାତ୍ରୀଙ୍କ ପାଇଁ ଏକ ଅଲଗା ରୁମ୍ ବ୍ୟବସ୍ଥା କରିଥିଲେ । ଏହା ବ୍ୟତୀତ, ପରୀକ୍ଷା କେନ୍ଦ୍ର ବାହାରେ ଚିକିତ୍ସା ସହାୟତା ଏବଂ ଏକ ଆମ୍ବୁଲାନ୍ସ ରଖାଯାଇଥିଲା। ସମସ୍ତ ବ୍ୟବସ୍ଥା ପାଇଁ ସୃଷ୍ଟିଙ୍କ ବାପା-ମାଆ ଫୋନ୍ ମାଧ୍ୟମରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ରସ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ସେପଟେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ନିଷ୍ପତ୍ତିକୁ ନେଇ ସବୁ ଆଡେ ଚର୍ଚ୍ଚା। ଆଜି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ ସାରି ଦିନ ୧ଟା ୧୫ ମିନିଟରେ ଦିଲ୍ଲୀ ପହଞ୍ଚିଥିଲେ। ଏହା ପରେ ସେଠାରୁ ସେ ନିଜ ବାସଭବନ ଯାଇଥାନ୍ତେ। ମାତ୍ର ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ସେ ଏୟାରପୋର୍ଟରେ ହିଁ ଅଟକିଥିଲେ। ପ୍ରାଧାନମନ୍ତ୍ରୀଙ୍କ କାରକେଡ ଯୋଗୁ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଆଶାୟୀଙ୍କୁ ଯେପରି କୌଣସି ପ୍ରକାରର ଟ୍ରାଫିକ୍ ଜାମର ଅସୁବିଧା ନହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ଦିନ ୨ଟା ପର୍ଯ୍ୟନ୍ତ ଏୟାରପୋର୍ଟରେ ରହିଥିଲେ। ଆଉ ଦିନ ୨ଟାରେ ପରୀକ୍ଷା ଆରମ୍ଭ ହେବା ପରେ ମୋଦୀ ନିଜ ବାସଭବନକୁ ଯାଇଥିଲେ।

