Home Excise ପ୍ରମାଣ ଅଭାବରୁ ଖସୁଛନ୍ତି

ପ୍ରମାଣ ଅଭାବରୁ ଖସୁଛନ୍ତି

ଭୁବନେଶ୍ୱର : ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ଚୋରା ନିଶା ସାମଗ୍ରୀ ଜବତ ଓ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିବା ସମ୍ବାଦ ପ୍ରକାଶ ପାଉଥିବାବେଳେ ଆଇନ୍‍ ଅଦାଲତରେ କିନ୍ତୁ ପ୍ରମାଣ ଅଭାବରୁ ଅଧିକାଂଶ ମାମଲରେ ଅଭିଯୁକ୍ତ ଖଲାସ ହୋଇଯାଉଛନ୍ତି । ଅଳ୍ପ କେତୋଟି ହାତଗଣତି ମାମଲାରେ ଅଭିଯୁକ୍ତଙ୍କ ପ୍ରତି ତଳ କୋର୍ଟରେ ଦଣ୍ଡବିଧାନ ହେଉଥିବାବେଳେ ସେମାନେ ଉପରକୋର୍ଟକୁ ଅପିଲରେ ଯାଉଛନ୍ତି । ଏଥିରୁ ଚୋରା ନିଶା କାରବାର ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସବଳ କି ଦୁର୍ବଳ ତାହାର ସ୍ଥିତି ଜଳ ଜଳ ହୋଇ ଜଣାପଡୁଛି ।

ରାଜ୍ୟରେ ଚାରିଟି ଏକ୍ସାଇଜ୍‍ ଇଣ୍ଟଲିଜେନ୍ସ ଓ ଏନଫୋର୍ସମେଣ୍ଟ ବ୍ୟୁରୋ ରହିଛି । ଏହି ୪ଟି ଯାକ ବ୍ୟୁରୋର ଯେତେ ମାମଲା ୨୦୨୦-୨୧ ରୁ ୨୦୨୪-୨୫ ମଧ୍ୟରେ ଫଏସଲା ହୋଇଛି ସେଥିରୁ ଗୋଟିକରେ ହେଲେ ବି ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯାଇ ନାହିଁ । ଅନ୍ୟ ପକ୍ଷରେ ଉକ୍ତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଡିଭିଜନ ବ୍ୟୁରୋର ୬୬୩ଟି ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବାବେଳେ ଉତ୍ତରାଞ୍ଚଳ ଡିଭିଜନର ୭୯ଟି, ଦକ୍ଷିଣାଞ୍ଚଳ ଡିଭିଜନର ୨୨୪୯ଟି ଏବଂ ଏକ୍ସାଇଜ୍‍ ଇଣ୍ଟଲିଜେନ୍ସ ଆଣ୍ଡ ଏନଫୋସମେଣ୍ଟ ବ୍ୟୁରୋର ପ୍ରଥମ ୟୁନିଟ୍‍ର ମାମଲାଗୁଡିକ ମଧ୍ୟରୁ ୧୧୩୩ରେ ଅଭିଯୁକ୍ତମାନେ ଖସିଯାଉଛନ୍ତି ।

ମୋଟାମୋଟି ଭାବେ ଉକ୍ତ ପାଞ୍ଚବର୍ଷରେ ବିଚାରାଧିନ ଥିବା ପ୍ରାୟ ୩ଲକ୍ଷ ୧୮ହଜାର ଅବକାରୀ ମାମଲାରୁ ୨୦ପ୍ରତିଶତ ବି ଫଏସଲା ହୋଇନାହିଁ ଏବଂ ଯେତେ ମାମଲା ଫଏସଲା ହୋଇଛି ସେଥିରୁ ଦଣ୍ଡବିଧାନ ହାର ୧ ପ୍ରତିଶତରୁ କମ୍‍ ରହିଛି ।

ସୁବର୍ଣ୍ଣପୁର, ସମ୍ବଲପୁର, ରାଉରକେଲା, ରାୟଗଡା, ପୁରୀ, ନୟାଗଡ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଖୋରଧା, କେନ୍ଦୁଝର, କେନ୍ଦ୍ରାପଡା, କନ୍ଧମାଳ, କଳାହାଣ୍ଡି, ଯାଜପୁର, ଜଗତ୍‍ସିଂହପୁର, ଢେଙ୍କାନାଳ, କଟକ, ଭୁବନେଶ୍ୱର, ଭଦ୍ରକ, ବ୍ରହ୍ମପୁର, ବରଗଡ ଓ ବାଲେଶ୍ୱର ଅବକାରୀ ଜିଲ୍ଲାରେ ମଧ୍ୟ ଉକ୍ତ ୫ବର୍ଷରେ ଗୋଟିଏ ହେଲେ ମାମଲାରେ ଅଭିଯୁକ୍ତ ଚୋରା ନିଶା ବେପାରୀମାନେ ଦଣ୍ଡିତ ହୋଇନଥିବାବେଳେ ମାଳ ମାଳ ମାମଲାରେ କିନ୍ତୁ ସେମାନେ ଦୋଷମୁକ୍ତ ହୋଇଛନ୍ତି । ଅନ୍ୟ ଯେଉଁ ଅବକାରୀ ଜିଲ୍ଲାଗୁଡିକରେ ଦଣ୍ଡବିଧାନ ହୋଇଛି ତାହା ତୁଳନାରେ ଖଲାସ ହୋଇଥିବା ଆସାମୀଙ୍କ ସଂଖ୍ୟା ଢେର ଅଧିକ । ମୋଟାମୋଟି ଭାବେ ଏହି ୫ବର୍ଷ ଭିତରେ ପ୍ରାୟ ୨୨୧ଟି ଅବକାରୀ ମାମଲାରେ ଆସାମୀଙ୍କ ପ୍ରତି ତଳ କୋର୍ଟରେ ଦଣ୍ଡବିଧାନ ହୋଇଥିବାବେଳେ ୫୭ହଜାରରୁ ଅଧିକ ମାମଲାରେ କିନ୍ତୁ ସେମାନେ ଖସିଯିବା ବ୍ୟବସ୍ଥାର ପାରିବା ପଣିଆକୁ ଆହ୍ୱାନ କରୁଛି ।

ଅତୀତରେ ଏ ସଂକ୍ରାନ୍ତରେ ଭାରତବର୍ଷର ମହାଲେଖାକାର ତାଙ୍କର ଏକ ରିପୋର୍ଟରେ ଗଭୀର ଉଦବେଗ ପ୍ରକାଶ କରିଥିଲେ ମଧ୍ୟ ତାହାର ବିଶେଷ କିଛି ପ୍ରଭାବ ପଡିଥିବାଭଳି ମନେ ହେଉନାହିଁ । ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ ବିଭାଗୀୟ ଅଧିକାରୀମାନେ ଠିକଣା ଭାବେ ତଦନ୍ତ ନକରିବା, ଜବତ ହେଉଥିବା ନିଶା ସାମଗ୍ରୀକୁ ଅଦାଲତରେ ଉପସ୍ଥାପନ ନକରିବା ଏବଂ ସର୍ବୋପରି ଅନେକ କ୍ଷେତ୍ରରେ ଜବତ ହେଉଥିବା ସାମଗ୍ରୀ ନିଶାଯୁକ୍ତ ବୋଲି ପ୍ରମାଣ କରିପାରୁନଥିବା ଅବକାରୀ ମାମଲାରେ ସରକାର ହାରିବାର ଅନ୍ୟତମ କାରଣ ବୋଲି ସିଏଜି ଦର୍ଶାଇଥିଲେ ।

ଦଣ୍ଡବିଧାନ ହାର ନଗଣ୍ୟ ରହୁଥିବାରୁ ଅପାରାଧିମାନେ ଉତ୍ସାହିତ ହେଉଛନ୍ତି ଏବଂ ଯେତେସବୁ ମାମଲାରେ ଚୋରା ନିଶା ବେପାରୀମାନେ ଖସିଯାଉଛନ୍ତି ସେଥିରୁ ଅଧିକାଂଶରେ ବିଭାଗୀୟ କର୍ତ୍ତୃପକ୍ଷ ଉପର ଅଦାଲତରେ ଅପିଲ୍‍ କରୁନଥିବା ଘଟଣା ଘେନି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିବା ସହିତ ଏଥିଯୋଗୁଁ ବ୍ୟାପକ ରାଜସ୍ୱ ହାନି ହେବା ଘଟଣାରେ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । (ତଥ୍ୟ)