Home News in Odia ଓଡ଼ିଶାର ପରିମଳ ମଡେଲକୁ ବିଶ୍ୱସ୍ତରୀୟ ସ୍ୱୀକୃତି

ଓଡ଼ିଶାର ପରିମଳ ମଡେଲକୁ ବିଶ୍ୱସ୍ତରୀୟ ସ୍ୱୀକୃତି

ଭୁବନେଶ୍ୱର : ସହରାଞ୍ଚଳ ପରିମଳ କ୍ଷେତ୍ର ପାଇଁ ଏକ ଗୌରବମୟ ସଫଳତା ଏବଂ ‘ସାଉଥ୍-ସାଉଥ୍ କୋଅପରେସନ୍’ (ଦକ୍ଷିଣ-ଦକ୍ଷିଣ ସହଯୋଗ) କ୍ଷେତ୍ରରେ ଏକ ଗର୍ବର ମୁହୂର୍ତ୍ତ ସ୍ୱରୂପ, ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ଓଡବ୍ଲ୍ୟୁଏସଏସବି) ଜାତିସଂଘ-ହାବିଟାଟ୍ ଦ୍ୱାରା ସମର୍ଥିତ ଏକ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅଧୀନରେ ନାଇଜେରିଆର ‘ଲାଗୋସ ଷ୍ଟେଟ୍ ୱେଷ୍ଟୱାଟର ମ୍ୟାନେଜମେଣ୍ଟ ଅଫିସ’କୁ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ମନୋନୀତ ହୋଇଛି।

‘ଗ୍ଲୋବାଲ ୱାଟର ଅପରେଟର୍ସ ପାର୍ଟନରସିପ୍ ଆଲାଇନ୍ସ’ ମାଧ୍ୟମରେ ପରିଚାଳିତ ଏହି ପାଞ୍ଚ ବର୍ଷିଆ ଭାଗୀଦାରିତା (୨୦୨୬-୨୦୩୦), ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ଏବଂ ତଥ୍ୟ-ଆଧାରିତ ଶାସନ ପ୍ରଣାଳୀ ଆପଣାଇବା ମାଧ୍ୟମରେ ଲାଗୋସ ରାଜ୍ୟରେ ପରିମଳ ସେବା ପ୍ରଦାନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବ।

ଓଡବ୍ଲ୍ୟୁଏସଏସବିର ଏହି ଚୟନ ଡିଜିଟାଲ ପରିମଳ ପରିଚାଳନା ଏବଂ ସହରବ୍ୟାପୀ ମଳ ଏବଂ ସେପ୍ଟେଜ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶାର କାର୍ଯ୍ୟକୁ ମିଳିଥିବା ଆନ୍ତର୍ଜାତୀୟ ସ୍ୱୀକୃତିକୁ ପ୍ରତିଫଳିତ କରୁଛି। ଏହି ସହଯୋଗିତାର ରୋଡମ୍ୟାପ୍ ସମୀକ୍ଷା ଏବଂ ଆଗାମୀ ପଦକ୍ଷେପ ଗୁଡ଼ିକର ରୂପରେଖ ପ୍ରସ୍ତୁତ କରିବା ପାଇଁ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ବିଭାଗୀୟ ଆର୍ଥିକ ପରାମର୍ଶଦାତା ତଥା ସ୍ୱତନ୍ତ୍ର ସଚିବ ଶିଖା ବିଶ୍ୱାଳ, ଓଡବ୍ଲ୍ୟୁଏସଏସବିର ଇଞ୍ଜିନିୟର-ଇନ୍-ଚିଫ୍ ତଥା ଅତିରିକ୍ତ ସଚିବ ଭାଗ୍ୟଧର ମହାନ୍ତି, ୱାଟକୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି, ପିଏଚଇଓର ଇଞ୍ଜିନିୟର-ଇନ୍-ଚିଫ୍ ବିଳାସ ବେହେରା, ଓଡ଼ିଶା ଅର୍ବାନ ଏକାଡେମୀର ନିର୍ଦ୍ଦେଶକ ସୁବେନ୍ଦୁ ଉପସ୍ଥିତ ଥିଲେ। ଏହି ଅଂଶୀଦାରିତା ଅଧୀନରେ, ଓଡବ୍ଲ୍ୟୁଏସଏସବି ଓଡ଼ିଶାର ସଫଳ ‘ଡିଜିଟ’ ପ୍ଲାଟଫର୍ମର କାର୍ଯ୍ୟକାରିତା ଏବଂ ପରିମଳ ପ୍ରଶାସନ, ସେବା ପ୍ରଦାନ ଓ ନାଗରିକ ସହଭାଗିତାର ଉନ୍ନତି ପାଇଁ ଡିଜିଟାଲ ଟୁଲ୍ସ ବ୍ୟବହାରର ଅଭିଜ୍ଞତାକୁ ଆଧାର କରି ରଣନୀତିକ ମାର୍ଗଦର୍ଶନ ପ୍ରଦାନ କରିବ।