Home News in Odia କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବ ଯୁବ କଂଗ୍ରେସ

କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବ ଯୁବ କଂଗ୍ରେସ

ଭୁବନେଶ୍ୱର: ଜୁନ ୧୭ ତାରିଖ ଦିନ ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ଦେବା ଦାବୀରେ କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ସୂଚନା ସୂଚନା ଦେଇଛନ୍ତି ।

ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି କହିଛନ୍ତି ଯେ ଜଣେ ସଂଗ୍ରାମୀ, ସାହାସିନୀ ଏବଂ ଜନପ୍ରିୟ ମହିଳା ଯୁବ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧିରେ ମୋହନ ସରକାରଙ୍କର ସମଗ୍ର ପ୍ରଶାସନ ଲାଗିପଡିବା ଦୁର୍ଭାଗ୍ୟଜନକ । ସେ ତାଙ୍କ ପଞ୍ଚାୟତର ସମସ୍ୟାକୁ ନେଇ ମହାକାଳପଡା ବିଡ଼ିଓଙ୍କ ପାଖରେ ଉପସ୍ଥାପନ କରୁଥିବାବେଳେ ବିଡିଓ ତାଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରିଛନ୍ତି । ସ୍ଥାନୀୟ ବିଧାୟକଙ୍କ ଚାପରେ ବିଡିଓ ଉଦ୍ଦେଶ୍ୟମୂଳକ ଭାବେ ସରପଞ୍ଚ ଚାମେଲୀଙ୍କୁ ହଇରାଣ ହରକତ କରୁଥିଲେ । ତାଙ୍କୁ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ନିର୍ବାହରେ ବିଡିଓ ବାଧକ ସାଜିଥିଲେ । ସେଦିନ ବିଧାୟକଙ୍କ ଇଙ୍ଗିତରେ ବ୍ଲକ କାର୍ଯ୍ୟାଳୟରେ କିଛି ବିଜେପି ଗୁଣ୍ଡା ଚାମେଲୀଙ୍କୁ ଫୋନ ଛଡାଇବାସହ ତାଙ୍କୁ ର୍ଦୁବ୍ୟବହାର କରିଥିଲେ । ଚାମେଲୀଙ୍କ ଫୋନରେ କଣ ଏପରି କଥା ରହିଛି ଯେ ଚାମେଲୀଙ୍କ ଫୋନକୁ ପୁଲସ ଜବତ କରିଛ । ଅନ୍ୟପକ୍ଷରେ ଚାମେଲୀଙ୍କ ସାନ ଭାଇ ବିନା କାରଣରେ ଜେଲରେ ଭର୍ତ୍ତି କରାଯାଇଛି ।

ଚାମେଲୀଙ୍କୁ ବ୍ଲକରେ ଅପମାନିତ କରାଯାଇ ବଳପୂର୍ବକ ଥାନା ଭିତରକୁ ଅଣାଗଲା ଏବଂ ଥାନାରେ ଚାମେଲୀଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଛି । ଅନ୍ୟପକ୍ଷରେ ପୁଲିସ ନିଜ ଦୋଷକୁ ଘୋଡାଇବା ପାଇଁ ଚାମେଲୀଙ୍କ ନାମରେ ପୁଲିସକୁ କାମୁଡିଦେବା ଏବଂ ଧମକ ଦେବା ଭଳି ମିଥ୍ୟା ଅଭିଯୋଗ ପୁଲିସ ଯୋଡିଛି । ବାସ୍ତବରେ ମହାକାଳପଡା ବିଜେପି ବିଧାୟକ, ମହାକାଳପଡା ବିଡ଼ିଓ, ଥାନା ଅଧିକାରୀଙ୍କ ଚକ୍ରବିହ୍ୱରେ ଚାମେଲୀଙ୍କୁ ଫସେଇ ଦିଆଯାଇଛି ।

ଚାମେଲୀ ମହାକାଳପଡା ବିଧାୟକ ନାମରେ ଯେଉଁ ସଂଗୀନ ଅଭିଯୋଗ ଆଣିଛନ୍ତି ସେ କଥାକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚୀବ ଓ ଡିଜିପି ବିଚାରକୁ ନେଲେ ନାହିଁ । ଜଣେ ମହିଳା ସରପଞ୍ଚକୁ ବିଜେପି ବିଧାୟକ କେଉଁଭଳି ଭାବରେ ଲାଞ୍ଛିତ, ହଇରାଣ ହରକତ କରୁଥିଲେ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିଲେ ତାହା ଖୋଲାଖୋଲି ସରପଞ୍ଚ ଚାମେଲୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଚାମେଲୀଙ୍କ ଦେହ ସାରା କ୍ଷତ ଥିବାବେଳେ ଏବଂ ଚାମେଲୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ହେଉଥିବାବେଳେ ଜିଲ୍ଲା ପୁଲିସ୍ ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସଲାସୁତୁରାରେ ଚାମେଲୀଙ୍କ ଉପରେ ଆକ୍ରମଣର କୌଣସି ପ୍ରମାଣ ନାହିଁ ବୋଲି ପ୍ରକାଶ କରାଯିବା ଦୁର୍ଭାଗ୍ୟଜନକ । ଚାମେଲୀଙ୍କୁ ଡାକ୍ତରଖାନାରୁ ଘୋଷାରି ଘୋଷାରି ଜୋର ଜବରଦସ୍ତ କୋର୍ଟକୁ ନେବା ଘଟଣାକୁ ଓଡ଼ିଶାବାସୀ ଗଣମାଧ୍ୟମ ଦେଖିଛନ୍ତି । ଚାମେଲୀ ନିଜର ଜୀବନ ପ୍ରତି ବିପଦ ଅଛି ବୋଲି ଚାମେଲୀ ବାରମ୍ବାର ଗଣମାଧ୍ୟମରେ କହୁଛନ୍ତି । ସୁତରାଂ ନାରୀଶକ୍ତି ବନ୍ଦନର ଡିମ୍‌ଡିମ୍ ପିଟୁଥିବା ବିଜେପିର ଅସଲ ମୁଖା ଏହି ଘଟଣାରେ ପର୍ଦ୍ଦାଫାସ ହୋଇଛି ।

ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ସୁଦୀପ ସାମଲ କହିଛନ୍ତି ଯେ ଯୁବ କଂଗ୍ରେସ ପକ୍ଷରୁ ଚାମେଲୀ ଓଝାଙ୍କୁ ନିସର୍ତ୍ତ ଖଲାସ କରାଯାଉ । ତାଙ୍କ ବିରୋଧରେ ସମସ୍ତ ମିଥ୍ୟା ଅଭିଯୋଗକୁ ପ୍ରତ୍ୟାହାର କରାଯାଉ । ଘଟଣାର ନ୍ୟାୟୀକ ତଦନ୍ତ କରି ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ । ତଦନ୍ତ ପରିସରରେ ମହାକାଳପଡାର ବିଧାୟକ, ବିଡିଓ, ଥାନା ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉ । ଯୁବ କଂଗ୍ରେସର ଆନ୍ଦୋଳନ ପ୍ରସ୍ତୁତି ପାଇଁ କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସର ସଭାନେତ୍ରୀ ସୁଶ୍ରୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ କେଦାର ଦଳାଇ ଉପସ୍ଥିତ ଥିଲେ ।