Home News in Odia ବିଏମ୍ ସି ନିୟୋଜିତ କଲା ରାଟ୍‍

ବିଏମ୍ ସି ନିୟୋଜିତ କଲା ରାଟ୍‍

ଭୁବନେଶ୍ୱର : ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ତଥା ବର୍ଷା ଜନିତ ଜଳ ନିଷ୍କାସନ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ନିୟୋଜିତ କରାଗଲା ରାପିଡ ଆକ୍ସନ ଟିମ୍  (ରାଟ୍) । ଏହି ଟିମ୍ ଆବଶ୍ୟକ ଉପକରଣ, ଯନ୍ତ୍ରପାତି ସହ ୨୪ ଘଣ୍ଟିଆ କାର୍ଯ୍ୟ କରିବ । ବର୍ଷା ଜଳ ଜମା ହେଉଥିବା ଅଂଚଳରେ ତୁରନ୍ତ ପହଞ୍ଚି ଜଳ ନିଷ୍କାସନ ବ୍ୟବସ୍ଥା କରିବ । ଏହି ଟିମକୁ  ଗାଡି, ପାଣି ପମ୍ପ, ଡ୍ରେନ ସଫେଇ ପାଇଁ ଆବଶ୍ୟକ ସଂରଜାମ, ଗଛ କାଟିବା ପାଇଁ ଯନ୍ତ୍ର ଇତ୍ୟାଦି ପ୍ରଦାନ କରାଯାଇଛି ।

ଏହି ଉପଲକ୍ଷେ ଆଜି ବିଏମ୍ ସି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନନୀୟା ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ବହୁ କର୍ପୋରେଟର ସାମିଲ ହୋଇଥିଲେ ।  ଏହି ଅବସରରେ ରାଟ୍ ଟିମ୍ କୁ ବିଭିନ୍ନ ଯନ୍ତ୍ରପାତି ପ୍ରଦାନ କରାଯିବା ସହ ସ୍ୱତନ୍ତ୍ର ଗାଡିକୁ ପତାକା ଦେଖାଇ ଅତିଥିମାନେ ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷାଋତୁ ପାଇଁ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ବିଏମ୍ ସି ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି କମିଶନର ଶ୍ରୀ ରାଣା ।

ସମ୍ପ୍ରତି ବିଏମ୍ ସି ଅଂଚଳରେ ୩୬୦ କିଲୋମିଟର ପ୍ରମୁଖ ଆର୍ ଆଣ୍ଡ ବି ଡ୍ରେନ୍ ଏବଂ ୧୩୦୦ କିଲୋମିଟର ସେକେଣ୍ଡାରୀ ଡ୍ରେନ୍, ସହରର ବର୍ଷା ଜଳ ନିଷ୍କାସନ ପାଇଁ ରହିଛି । ଫଳପ୍ରଦ ମୌସୁମୀ ପ୍ରସ୍ତୁତି ଏବଂ ନିରବଚ୍ଛିନ୍ନ ଜଳ ନିଷ୍କାସନକୁ ସୁନିଶ୍ଚିତ କରିବା ପାଇଁ, 360 କିଲୋମିଟର ପ୍ରମୁଖ ଆର୍ ଆଣ୍ଡ ବି ଡ୍ରେନକୁ ଆଠ ଭାଗରେ ବିଭକ୍ତ କରାଯାଇଛି । ସେବା ଯୋଗାଉଥିବା ଏଜେନ୍ସିମାନେ ଏହି ଡ୍ରେନଗୁଡିକର ବ୍ୟବସ୍ଥିତ ସଫେଇ, ପଙ୍କୋଦ୍ଧାର ଏବଂ ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ଅଛନ୍ତି ।

 ସହରାଞ୍ଚଳ ବନ୍ୟା ଘଟଣାର ତୁରନ୍ତ ମୁକାବିଲା ପାଇଁ ଆଠଟି ରାପିଡ୍ ଆକ୍ସନ୍ ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମରେ ଚାରି ଜଣ ଲେଖାଏଁ ତାଲିମ ପ୍ରାପ୍ତ କର୍ମଚାରୀ ଅଛନ୍ତି । ସମସ୍ତ କର୍ମଚାରୀଙ୍କୁ କ୍ଷେତ୍ର ପରିଚାଳନା ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଇଛି । ଟିମଗୁଡିକ ପୋର୍ଟେବଲ୍ ପମ୍ପସେଟ୍, ମେକାନିକାଲ୍ ଜେଟିଙ୍ଗ୍ ମେସିନ୍, କଂକ୍ରିଟ୍ ବ୍ରେକର୍, ଫୋର୍କ ଏବଂ ଅନ୍ୟାନ୍ୟ ହ୍ୟାଣ୍ଡହେଲ୍ଡ ଉପକରଣ ସହିତ ଜରୁରୀକାଳୀନ ନିୟୋଜନ ପାଇଁ ଆବଶ୍ୟକ ଯାନ, ଲଜିଷ୍ଟିକ୍ ସହାୟତା ସହିତ ପ୍ରସ୍ତୁତ ହୋଇରହିଛନ୍ତି । ରାଟ୍ ଟିମ୍  ସଦାସର୍ବଦା ଜାଗ୍ରତ ରହିବେ ଏବଂ ପ୍ରମୁଖ ସଡକ ଓ ଆଖପାଖ ସମ୍ବେଦନଶୀଳ ଅଂଚଳରେ ପାଣି ଜମା ହେବାମାତ୍ରେ ଜରୁରୀକାଳୀନ ଭିତ୍ତିରେ କାର୍ଯ୍ୟ କରିବେ । ଜଳ ନିଷ୍କାସନ ଏବଂ ତ୍ୱରିତ ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ଏହି ରାଟ୍ ଟିମକୁ ନିୟୋଜିତ କରାଯାଇଛି ବୋଲି କହିଛନ୍ତି କମିଶନର।

ରାଟ୍ ଟିମ ଶୁଭାରମ୍ଭ ଓ ଗାଡି ଲୋକାର୍ପଣ କାର୍ଯ୍ୟକ୍ରମରେ ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ, ଡ୍ରେନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରିୟବ୍ରତ ବେହେରା, ଟିମ୍  ବିଏମ୍ ସି ଏବଂ ରାଟ୍ ଟିମ୍  ସଦସ୍ୟ, ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ ।