ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଗଠିତ ବିଜେପି ସରକାର ଆଜି ରାଜ୍ୟରେ ଦୁଇ ବର୍ଷ ପୂର୍ଣ୍ଣ କରି ତୃତୀୟ ବର୍ଷରେ ପାଦ ଦେଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜେ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ବର୍ଷର ସରକାରର ସଫଳତା ଓ ଉପଲବ୍ଧି ସମ୍ପର୍କରେ ବିସ୍ତ୍ରୁତ ତଥ୍ୟ ରଖିବା ସହ ଗତ ୨୪ ବର୍ଷର ତଥାକଥିତ ବିଜେଡିର ସୁଶାନକୁ କଟୁ ସମାଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୁଇଟି ବଡ ଘୋଷଣା କରିଛନ୍ତି। ଆଜିଠାରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଲାଗୁ ହେବ। ଏଥିସହିତ ସରକାର ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସାର୍ବଜନୀନ ମାଗଣା କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଆଜିଠୁ ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣ ଯୋଜନା। ଏହି ଯୋଜନାରେ ହିତାଧିକାରୀଙ୍କୁ ଆହୁରି ୫ କିଲୋ ଅତିରିକ୍ତ ମାଗଣା ଚାଉଳ ମିଳିବ। ପୂର୍ବରୁ ସେମାନଙ୍କୁ ୫ କେଜି ମାଗଣା ଚାଉଳ ମିଳୁଥିବା ବେଳେ ଏବେ ୧୦ କେଜି ମିଳିବ। ଏହାଦ୍ୱାରା ରାଜ୍ୟର ୩ କୋଟି ୨୮ ଲକ୍ଷ ୫୨ ହଜାର ହିତାଧିକାରୀ ଉପକୃତ ହେବେ। ସମୁଦାୟ ଜନସଂଖ୍ୟାର ପ୍ରାୟ ୮୦ ପ୍ରତିଶତ ଯୋଜନାର ସୁଫଳ ପାଇପାରିବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୮ ହଜାର ୮୧୩ କୋଟି ଟଙ୍କା ଖର୍ଚ୍ଚ କରିବେ।
ସେହିଭଳି କେଜିରୁ ପିଜି ଶିକ୍ଷା ସମ୍ପୁର୍ଣ୍ଣ ଭାବେ ଦେୟମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ କରାଯିବ। ଏହାଦ୍ଵାରା ରାଜ୍ୟର ସମସ୍ତ ଶିକ୍ଷାର୍ଥୀ, ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗର ଛାତ୍ରୀମାନେ ଉପକୃତ ହେବେ। ଶିକ୍ଷା କ୍ଷେତ୍ରରେ ଏପରି ଏକ ପଦକ୍ଷେପ ସାରା ଦେଶରେ ଓଡିଶାରେ ପ୍ରଥମଥର ପାଇଁ କାର୍ଯ୍ୟକାରୀ ହେବ। ରାଜ୍ୟରେ ଶିକ୍ଷାର ବିକାଶକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଚଳିତ ବଜେଟରେ ୪ ଟି ନୂଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦୁଇ ବର୍ଷ ମଧ୍ୟରେ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି । ଆଗାମୀ ଦିନରେ ଓଡିଶାକୁ ପୂର୍ବ ଭାରତର ଉଚ୍ଚ ଶିକ୍ଷା ରାଜଧାନୀ ଭାବେ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।
ରାଜନୈତିକ କାରଣରୁ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ଓଡିଶାରେ କାର୍ଯ୍ୟକାରୀ କରାଯାଉନଥିଲା। ବିଜେପି ସରକାର ଆସିବା ପରେ ଶିକ୍ଷାର୍ଥୀମାନେ ଏହି ନୀତିର ସୁଫଳ ପାଉଛନ୍ତି। ସେହିଭଳି ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ଥାପିତ ହେବାକୁ ଥିବା ୨୨ ଶହ ବିଦ୍ୟାଳୟରୁ ବର୍ତ୍ତମାନ ସୁଦ୍ଧା ୩୨୨ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ୨୬ ହଜାର ୬୧୫ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଗାମୀ ୩ ବର୍ଷରେ ଆଉ ୪୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଦୁଇ ବର୍ଷରେ ଚାଷୀଙ୍କ ଦୁଇ ଗୁଣା ବିକାଶ ହୋଇଛି। ଚାଷୀଙ୍କୁ ସିଏମ୍ ଓ ପିଏମ୍ କିଷାନ ଯୋଜନାର ଲାଭ ମିଳୁଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ସୁରକ୍ଷା ଦିଆଯାଉଛି। ଚଳିତ ବର୍ଷ ୭୩.୪୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଶ୍ବେତ ବିପ୍ଲବ ସହ ୮୩୦୦ କୋଟି ବ୍ୟୟରେ ହେବ ଗୁରୁତ୍ବପୂର୍ଣ୍ଣ ସଡ଼କ ଭିତ୍ତିଭୂମି। ପ୍ରତ୍ୟେକ ଜିଲ୍ଲାରେ କ୍ରୀଡ଼ା ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଡବଲ୍ ଇଞ୍ଜିନ ସରକାରର ଡବଲ ପ୍ରଭାବ ପଡ଼ିଛି । ୨ ବର୍ଷରେ ରାଜ୍ୟର ବିଜେପି ସରକାର ୧୨୧ଟି ନୂଆ ଯୋଜନା ଓ ପଦକ୍ଷେପ ଘୋଷଣା କରିଛନ୍ତି, ଯାହା ରାଜ୍ୟ ସରକାରଙ୍କ ସମୃଦ୍ଧ ଓଡିଶା ଲକ୍ଷ୍ୟ ନିକଟତର କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମିଶନ ପାୱାରରେ ମିଶନ ମୋଡରେ ସରକାର ଲୋକଙ୍କ ସବୁ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ଉଦ୍ୟମ କରୁଛନ୍ତି। ସରକାର ଗଠନର ପ୍ରଥମ ଦିନରେ ହିଁ ମହିଳାଙ୍କ ପାଇଁ ପ୍ରଥମ ଯୋଜନା ଥିଲା ସୁଭଦ୍ରା ସହାୟତା। ଏହି ଦୁଇ ବର୍ଷରେ ୨୦ହଜାର ୬୦୦ଶହ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ୧୩ଶହ କନ୍ୟାଙ୍କୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୂହିକ ବିବାହ କରିଛନ୍ତି ସରକାର। ୨୩ଲକ୍ଷ ୫୦ହଜାର ଲକ୍ଷପତି ଦିଦି ସୃଷ୍ଟି କରି ଦେଶରେ ରେକର୍ଡ କରିଛୁ। ସମୃଦ୍ଧ ଓଡିଶା ଗଠନ ପାଇଁ ଶିଳ୍ପର ବିକାଶ ଜରୁରୀ। ୨ ବର୍ଷରେ ରାଜ୍ୟ ସରକାର ୨୦ଲକ୍ଷ କୋଟିର ନିବେଶ ପ୍ରସ୍ତାବ ପାଇଛନ୍ତି। । ୧୭କୋଟି ଲକ୍ଷ କାର୍ଯ୍ୟକାରୀ ହୋଇଛି ।
ବିଭିନ୍ନ ଦେଶ ଓ ରାଜ୍ୟରେ ରୋଡ ଶୋ ସରକାର କରି ଏ ସଫଳତା ହାସଲ କରିଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ହେବ ଶିଳ୍ପ, ଏହା ସରକାରଙ୍କ ସଂକଳ୍ପ। ରାଜ୍ୟର ଆଇନ ଶୃଙ୍ଖଳା ଏବେ ରାଜନୈତିକ ରୂପ ଧାରଣ କରିଛି। ପୂର୍ବରୁ ୨୦୨୩ରେ ମହିଳା ବିରୋଧୀ ହିଂସାରେ ଦଣ୍ଡବିଧାନ ହାର ଥିଲା ୬.୭ ପ୍ରତିଶତ। ୨୦୨୫ରେ ଦଣ୍ଡବିଧାନ ହାର ୬୨ ପ୍ରତିଶତ ହୋଇଛି। ରାଜନୈତିକ କାରଣରୁ ଆୟୁଷ୍ମାନ ଭାରତ ଲାଗୁ କରାଯାଉନଥିଲା। ଏହି ଯୋଜନାରେ ଦୁଇ ବର୍ଷରେ ରାଜ୍ୟର ୩ କୋଟି ୪୬ ଲକ୍ଷ ହିତାଧିକାରୀ ଦେଶର ୩୨ ହଜାର ପ୍ରତିଷ୍ଠିତ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇଛନ୍ତି। ଇତି ମଧ୍ୟରେ ଯାଜପୁର, ତାଳଚେର ଓ କନ୍ଧମାଳ ମେଡିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହୋଇଛି । ସେହିପରି ନବରଙ୍ଗପୁର ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ଖୁବ୍ ଶୀଘ୍ର ଜଗତସିଂହପୁର, ଢେଙ୍କାନାଳ ଓ ଭଦ୍ରକରେ ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

