ଭୁବନେଶ୍ୱର : କରୋନା ମାଡ଼ରେ ଓଡ଼ିଶାର ପ୍ରାୟ ୩ଲକ୍ଷ ବୁଣାକାର ଓ ହସ୍ତଶିଳ୍ପୀଙ୍କ ଜୀବିକା ବୁଡ଼ି ଯାଉଥିବା ବେଳେ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଉତ୍କର୍ଷ କଳାର ଭୂମି ଭାବେ ଓଡ଼ିଶାର ଅନ୍ୟ ନାମ ଉତ୍କଳ ହୋଇଥିବା ବେଳେ ଏହି କାରଗରମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆନଗଲେ କରୋନା ଏହି କୌଳିକ କଳାକୁ ଡୁବାଇ ଦେବାର ଆଶଙ୍କା ଉପୁଜିଛି ।
ବରଗଡ଼, ସୋନପୁର, କଟକ, ସମ୍ବଲପୁର, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ସମେତ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ହସ୍ତତନ୍ତମାନ ରହିଛି । ଏହା ଉପରେ ପ୍ରାୟ ୧ଲକ୍ଷ ୨୦ହଜାର ବଣାକାର ପରିବାର ନିର୍ଭରଶୀଳ । ରାଜ୍ୟରେ ସୂତାକଳ ସବୁ ବନ୍ଦ ହୋଇଯାଇଥିବାରୁ ଏହି ବୁଣାକାର ପରିବାରମାନେ ଅନ୍ୟ ରାଜ୍ୟରେ ପ୍ରସ୍ତୁତ ସୂତା ସଂଗ୍ରହ କରି ତନ୍ତରେ ଲୁଗା ବୁଣିଥାନ୍ତି ଏବଂ ଓଡ଼ିଶା ହସ୍ତତନ୍ତ ବେଶ୍ ଉନ୍ନତମାନର ଥିବାରୁ ଦେଶ ବିଦେଶରେ ଏହାର ଚାହିତା ରହିଥାଏ ।
ବିଭିନ୍ନ ଡିଜାଇନ୍ ହସ୍ତତନ୍ତ ଲୁଗା ପ୍ରସ୍ତୁତ କରିବାରେ ଓଡ଼ିଶାର ଦକ୍ଷ ବୁଣାକାରମାନେ ମାହିର୍ । ତେବେ ଗତବର୍ଷ କରୋନା ମାଡ଼ରେ ବୁଣାକାରମାନଙ୍କ ଅଣ୍ଟା ଭାଙ୍ଗି ଯାଇଥିଲା ବେଳେ ସେମାନେ ପୁଣି ସଳଖି ଛିଡ଼ା ହେବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଣି ଦି’ମାସ ହେବ କରୋନା ସେମାନଙ୍କୁ କଲବଲ କରୁଛି ।
କଞ୍ଚାମାଲ ଅଭାବରୁ କେଉଁଠି ତନ୍ତ ବନ୍ଦ ହୋଇଗଲାଣି ତ ଆଉ କେଉଁଠି ବୁଣାହୋଇ ରହିଥିବା ଲୁଗା ବେପାରୀ ନେଉନାହାନ୍ତି । ବିବାହ ଋତୁରେ ହସ୍ତତନ୍ତ ଶାଢ଼ୀର ଚାହିଦା ବହୁତ ଥାଏ । ଏହାଛଡ଼ା ବିଭିନ୍ନ ପୂଜା ପାର୍ବଣରେ ବି ହସ୍ତତନ୍ତ ସାମଗ୍ରୀ ଭଲ ବିକ୍ରି ହୋଇଥାଏ । ଏବେ ଲକ୍ଡାଉନ୍, ସଟ୍ଡାଉନ୍ ଆଦି ପରିପ୍ରେକ୍ଷୀରେ ଦୋକାନ ବଜାର ବନ୍ଦ ରହୁଥିବାରୁ ବେପାରୀମାନେ ବୁଣାକାରଙ୍କଠାରୁ ଲୁଗା ଉଠାଉନାହାନ୍ତି । ଫଳରେ ଅନେକ ବୁଣାକାର ପରିବାର ଏବେ ଅର୍ଦ୍ଧାହାର ଓ ଅନାହାରରେ କାଳାତିପାତ କରୁଛନ୍ତି । ଅନେକ କ୍ଷେତ୍ରରେ ସେମାନେ ଯାଚି ଗୁଞ୍ଜି ଅଧାରୁ କମ୍ ଦାମ୍ରେ ସୁନ୍ଦର ହସ୍ତତନ୍ତ ଲୁଗା ବିକିବାକୁ ବାଧ୍ୟ ହେଉଛନ୍ତି ।
ସେହିଭଳି ରାଜ୍ୟରେ ଖଦି ଶିଳ୍ପର ଦୂରବସ୍ଥା । ଅଧିକାଂଶ ଖଦି ସୋସାଇଟିରେ ଏବେ ତାଲା ଝୁଲୁଛି । ଏହି ସୋସାଇଟିଗୁଡ଼ିକ ବୁଣିଥିବା ଲୁଗା କେଉଁଠି କିପରି ବିକିବେ ସେଥିଘେନି ସମସ୍ୟାରେ ପଡ଼ିଛନ୍ତି । ଏବେ ବଜାର ନାହିଁ କି ବିକ୍ରିବଟା ପାଇଁ ପ୍ରଦର୍ଶନୀ ବି ହେଉନାହିଁ । ତେଣୁ ଖଦି ଓ ଗ୍ରାମୋଦ୍ୟୋଗ ଏକପ୍ରକାର ବନ୍ଦ ହୋଇଯାଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ସୁପାରିଶ କ୍ରମେ ଯେଉଁସବୁ ସଂସ୍ଥା ଖଦି ଓ ଗ୍ରାମୋଦ୍ୟୋଗ ୟୁନିଟ୍ ପାଇଁ ବ୍ୟାଙ୍କମାନଙ୍କରୁ ଋଣ ନେଇଛନ୍ତି ସେମାନେ ଋଣର କିସ୍ତି ପରିଶୋଧନ ପରିପାରୁନଥିବାରୁ ଚକ୍ରବୃଦ୍ଧି ହାରରେ ଋଣରାଶି ବଢ଼ିଚାଲିଛି ।
ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ହସ୍ତଶିଳ୍ପ କାରିଗତମାନେ ଅଛନ୍ତି । ଏମାନଙ୍କ ସଂଖ୍ୟା ଦେଢ଼ଲକ୍ଷରୁ ଅଧିକା ହେବ । ପଥରା କାଠ, ବେତ, ବାଉଁଶ, ପିତ୍ତଳ ଆଦିରେ ଏମାନେ ସୂକ୍ଷ୍ମ କାରୁକାର୍ଯ୍ୟ କରି ଯେଉଁ ଉନ୍ନତମାନର ସାମଗ୍ରୀମାନ ପ୍ରସ୍ତୁତ କରନ୍ତି ତାହା ବେଶ୍ ଆକର୍ଷଣୀୟ ଦେଖାଯାଏ । ଓଡ଼ିଶା ହସ୍ତଶିଳ୍ପର ମଧ୍ୟ ଦେଶ ବିଦେଶରେ ଚାହିଦା ରହିଛି । ଗତବର୍ଷ ମାର୍ଚ୍ଚରୁ ସଂଖ୍ୟାଧିକ ହସ୍ତଶିଳ୍ପୀ ପ୍ରସ୍ତୁତ କରିଥିବା ସାମଗ୍ରୀ ଗଦା ହୋଇ ପଡ଼ିରହିଛି ।
ଏଗୁଡ଼ିକର ବିକ୍ରିବଟା ସୁଯୋଗକୁ କରୋନା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ତେଣେ ଆର୍ଥିକ ମାନ୍ଦାବସ୍ତା ଯୋଗୁ ହସ୍ତଶିଳ୍ପ ସାମଗ୍ରୀ ବିପଣନ କ୍ଷେତ୍ରରେ ସମସ୍ୟା ଉପୁଜୁଛି । ହସ୍ତଶିଳ୍ପୀମାନଙ୍କ ଋଣ ଚାପ ବଢ଼ି ଚାଲିଥିବା ବେଳେ ମାନସିକ ଚାପ ବି ବଢ଼ୁଛି । ପିପିଲି ଚାନ୍ଦୁଆଠାରୁ ଆରମ୍ଭ କରି ରଘୁରାଜପୁରର ବିରଳ ପଟ୍ଟଚିତ୍ର ଶିଳ୍ପୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏହାଛଡ଼ା କରୋନା ପାଇଁ ହସ୍ତଶିଳ୍ପୀମାନଙ୍କ ହାତକୁ ଅନ୍ୟାନ୍ୟ କାମ ଆସୁନଥିବାରୁ ସେମାନଙ୍କର ଉଭୟ ଜୀବନ ଓ ଜୀବିକା ଏବେ କରୋନା ପାଖରେ ଏପ୍ରକାର ବନ୍ଧା ପଡ଼ିଯାଇଛି । (ତଥ୍ୟ)