Home Finance ବିକାଶ ସହ ଋଣ ବ୍ୟବସ୍ଥାକୁ ସୁଦୃଢ କର

ବିକାଶ ସହ ଋଣ ବ୍ୟବସ୍ଥାକୁ ସୁଦୃଢ କର

ଭୁବନେଶ୍ୱର : ସମସ୍ତ କ୍ଷେତ୍ରରେ ସନ୍ତୁଳିତ ଓ ସମାବେଶୀ ଅଭିବୃଦ୍ଧି ପାଇଁ ଋଣ ପ୍ରବାହକୁ ଅଧିକ ସୁଦୃଢ଼ କରିବା ଉପରେ ଆଜି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ଓଡ଼ିଶାର ଭିଜନ୍ ଡକ୍ୟୁମେଣ୍ଟ ସହ ସମନ୍ୱୟ ରଖି ସମସ୍ତ କ୍ଷେତ୍ରକୁ ଋଣ ପ୍ରଦାନ କରାଯିବା ସହ ପର୍ଯ୍ୟଟନ, କୃଷି ଉଦ୍ୟୋଗୀକରଣ, ଗଭୀର ସମୁଦ୍ର ମତ୍ସ୍ୟଚାଷ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଭଳି ନୂତନ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ପରବର୍ତ୍ତୀ ପର୍ଯ୍ୟାୟର ବିକାଶରେ ସେବା କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦେଇ ଋଣ ପ୍ରଦାନ ସହ ନିବେଶ ଓ ଉଦ୍ୟୋଗ ବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ ବା ‘ବ୍ୟବସାୟ ଅନୁକୂଳ ପରିବେଶ’ ସୃଷ୍ଟି କରିବା ପରି ପଦକ୍ଷେପଗୁଡ଼ିକୁ ଅଧିକ ସକ୍ରିୟ ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସେହିଭଳି ମହିଳା ଉଦ୍ୟୋଗୀମାନଙ୍କୁ ଅଧିକ ଋଣ ସହାୟତା ପ୍ରଦାନ କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ରୂପାନ୍ତରିତ ହେବାକୁ ପ୍ରୋତ୍ସାହିତ କରିବାକୁ ବ୍ୟାଙ୍କମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନିମନ୍ତେ ସମସ୍ତ ନିୟନ୍ତ୍ରକ ବ୍ୟାଙ୍କ୍, ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର, ବିଭାଗ ଏବଂ ଜିଲ୍ଲା ପ୍ରଶାସନଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରାଯାଇଥିଲା।

ସେହିପରି ନିବେଶକ-ଅନୁକୂଳ ଋଣ ପ୍ରବାହ ସୁନିଶ୍ଚିତ କରିବା ପାଇଁ ‘ରେଡ୍ ଟେପ୍ ଠାରୁ ରେଡ୍ କାର୍ପେଟ୍’ ଆଭିମୁଖ୍ୟ ଗ୍ରହଣ କରିବାକୁ ଗୁରୁତ୍ଵ ଦିଆଯାଇଥିଲା। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ସମ୍ପୂର୍ଣ୍ଣ ଭାବେ ସିକେଓ୍ବାଇସି ପ୍ରଣାଳୀର ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଶାଳିନୀ ପଣ୍ଡିତ ରାଜ୍ୟର କ୍ୟାସ ଡିପୋଜିଟ ହାରକୁ ଜାତୀୟ ହାର ସହ ସମକକ୍ଷ କରିବା ପାଇଁ ଉନ୍ନତି ଆଣିବାର ଆବଶ୍ୟକତା ଉଲ୍ଲେଖ କରିଥିଲେ।