ଭୁବନେଶ୍ୱର : ଦୁଇ ବର୍ଷ ଭିତରେ ଓଡିଶାରେ ବିଜେପିର ରାଜ୍ୟସଭା ସଦସ୍ୟ ସଂଖ୍ୟା ୧ ରୁ ବଢି ୫ରେ ପହଞ୍ଚିଲାଣି । ଖୁବ୍ଶୀଘ୍ର ଏହି ସଂଖ୍ୟା ୭କୁ ଟପିବ ବୋଲି ଦଳୀୟ ନେତାମାନେ ଦୃଢତାର ସହ କହୁଛନ୍ତି ।
୨୦୨୪ ଲୋକସଭା ନିର୍ବାଚନ ବେଳକୁ ଓଡିଶାରେ କେବଳ ବିଜେପିର ଜଣେ ମାତ୍ର ରାଜ୍ୟସଭା ସଦସ୍ୟ ଥିଲେ ଅଶ୍ୱିନୀ ବୈଷ୍ଣବ । ସେତେବେଳେ ବିଧାନସଭାରେ ବିଜେପିର ପର୍ଯ୍ୟାପ୍ତ ସଂଖ୍ୟା ନଥିଲା । ବିଜେଡିର ସହାୟତା ନେଇ ଶ୍ରୀ ବୈଷ୍ଣବ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହେବା ସହ କେନ୍ଦ୍ର ପରିଷଦରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ।
ଲୋକସଭା ନିର୍ବାଚନ ପରେ ବିଜେଡିର ଦୁଇଜଣ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଓ ମମତା ମହନ୍ତ ବିଜେଡି ଛାଡିବା ସହ ବିଜେପିରେ ଯୋଗ ଦେଇଥିଲେ ଏବଂ ରାଜ୍ୟସଭା ଆସନରୁ ବି ଇସ୍ତଫା ଦେଇଥିଲେ । ଜଣଙ୍କ ପରେ ଜଣଙ୍କୁ ବିଜେପି ଟିକଟରେ ପରେ ରାଜ୍ୟସଭାକୁ ଉପନିର୍ବାଚନରେ ପଠାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୨୬ରେ ଉଭୟ ସୁଜିତ କୁମାର ମମତା ମହାନ୍ତଙ୍କ କାର୍ଯ୍ୟକାଳ ପୂରିଥିଲା । ବିଜେପି ଗତ ରାଜ୍ୟସଭା ନିର୍ବାଚନରେ ସୁଜିତଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇଥିବାବେଳେ ମମତା ମହାନ୍ତଙ୍କ ରାଜନୈତିକ ଭବିଷ୍ୟତ ପ୍ରଶ୍ନବାଚୀ ଭିତରେ ରହିଛି ।
୨୦୨୬ ରେ ୪ଟି ଆସନ ପାଇଁ ଓଡିଶାରେ ରାଜ୍ୟସଭା ନିର୍ବାଚନ ହୋଇଥିଲା । ଏଥିରୁ ବିଜେଡି ନିଜ ଶକ୍ତି ବଳରେ ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରି ଜିଣାଇଥିବାବେଳେ ବିଜେପି ପ୍ରାର୍ଥୀଭାବେ ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଥିଲେ । ଚତୁର୍ଥ ଆସନ ପାଇଁ କାହା ପାଖରେ ସଂଖ୍ୟା ଗରିଷ୍ଠତା ନଥିଲା । ଏ ପରିପ୍ରେକ୍ଷୀରେ ବିଜେଡି ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସ୍ୱାଧୀନ ପ୍ରାର୍ଥୀ ଘୋଷଣା କରିଥିବାବେଳେ କଂଗ୍ରେସ ତାଙ୍କୁ ସମର୍ଥନ ଦେଇଥିଲା । ତେବେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ନିର୍ବାଚନ ମଇଦାନକୁ ଅବତରଣ କରିବାପରେ ସବୁ ହିସାବ ଗଡବଡ ହୋଇଯାଇଥିଲା ।
କଂଗ୍ରେସ ଓ ବିଜେଡିର କେତେକ ସଦସ୍ୟ ଦଳର ନିର୍ଦ୍ଦେଶ ନମାନି ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ ଏବଂ ବିଜେପିର ବଳକା ଭୋଟ ଏଥିସହ ମିଶିବା ଫଳରେ ଶ୍ରୀ ରାୟ ରାଜ୍ୟସଭାକୁ ନିର୍ବାଚିତ ହେବାରେ ସଫଳ ହୋଇଛନ୍ତି ।
ଏବେ ବିଜେଡିର ରାଜ୍ୟସଭା ସଦସ୍ୟ ଥିବା ଦେବାଶିଷ ସାମନ୍ତରାୟ ଦଳ ଛାଡିବା ସହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ଏବେ ଦେବାଶିଷ ବିଜେପି ପ୍ରାର୍ଥୀଭାବେ ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ସଂଖ୍ୟାଗଣିତ ଦୃଷ୍ଟିରୁ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଦେଇ ଜିଣିବା ମୁସ୍କିଲ । ତେଣୁ ପୂର୍ବରୁ ଯେଭଳି ସୁଜିତ ଓ ମମତା ରାଜ୍ୟସଭା ଉପନିର୍ବାଚନ ଜିଣିଥିଲେ ସେହିପରି ଏଥର ଦେବାଶିଷ ପୁଣି ରାଜ୍ୟସଭାକୁ ଯିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।
ଲୋକସଭାରେ ଏବେ ଓଡିଶାରୁ ବିଜେଡିର କେହି ସାଂସଦ ନାହାନ୍ତି । କଂଗ୍ରେସର ଜଣେମାତ୍ର ସାଂସଦ ଥିବାବେଳେ ବିଜେପିର ୨୦ଜଣ ରହିଛନ୍ତି । ଅନ୍ୟ ପକ୍ଷରେ ବିଜେଡିର ରାଜ୍ୟସଭା ସାଂସଦ ସଂଖ୍ୟା ୯ରୁ କମି କମି ଏବେ ୫ରେ ପହଞ୍ଚିଲାଣି । ବିଜେପିର ନୀତି ନିର୍ଦ୍ଧାରକମାନେ ଆଶା ରଖୁଛନ୍ତି ଯେ ଜଣକ ପରେ ଜଣେ ଆଉ ଦୁଇଜଣ ବିଜେଡି ରାଜ୍ୟସଭା ସଦସ୍ୟ ଦଳ ଛାଡି ବିଜେପିରେ ମିଶିବେ ଏବଂ ସଂଖ୍ୟାଗଣିତ ଆଧାରରେ ସେମାନଙ୍କୁ ଜଣଙ୍କ ପରେ ଜଣେ ବିଜେପି ଟିକଟରେ ରାଜ୍ୟସଭାକୁ ପଠାଯାଇପାରିବ ।
ସମ୍ବିଧାନ ସଂଶୋଧନ ବିଲ୍ କାଟ୍ ଖାଇଯିବା ପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେପି ତାହାର ଆସନ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି । ଓଡିଶାରୁ ତିନି ଜଣ ବିଜେଡି ସାଂସଦଙ୍କୁ କରାୟତ କରିବାପରେ ଆଉ ଦୁଇ ଜଣ କିଏ ସେଥିଘେନି ରାଜନୈତିକ ମହଲରେ ଆଲୋଚନା ଚାଲିଛି । ପଶ୍ଚିମବଙ୍ଗ, ତାମିଲନାଡୁ ଭଳି ରାଜ୍ୟରେ କିଛି ସାଂସଦଙ୍କୁ ବିଜେପି ନିଜ କବଜାକୁ ଆଣିବାପାଇଁ ଉଦ୍ୟମ ଚଳାଇଛି । ଏଥିରେ ଓଡିଶାର ଯୋଗଦାନ ରହୁଥିବାରୁ ପ୍ରମୁଖ ବିରୋଧିଦଳ ବିଜେଡିର ରାଜ୍ୟସଭାରେ ସଂଖ୍ୟା ହ୍ରାସ ଘଟିବାରେ ଲାଗିଛି । (ତଥ୍ୟ)

