ଭୁବନେଶ୍ୱର : ଜମି ମାଫିଆମାନେ କେବଳ ସହରାଞ୍ଚଳର ମୂଲ୍ୟବାନ ଜମିକୁ ଜବରଦଖଲ କରୁନାହାନ୍ତି, ଏମାନେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜଙ୍ଗଲ ଜମିକୁ ବି ମାଡି ବସୁଛନ୍ତି । ଯେଉଁଠାରେ ଘରୋଇ ଶିଳ୍ପ କିମ୍ବା ସରକାରୀ ଉଦ୍ୟୋଗ ହେବାର ସୂଚନା ପାଉଛନ୍ତି ସେହିସବୁ ଅଞ୍ଚଳରେ ରାତାରାତି ଜଙ୍ଗଲ ଜମିକୁ ଜବରଦଖଲ କରୁଛନ୍ତି ।
ରାଜ୍ୟର ୩୦ଟି ଜିଲ୍ଲାରେ ୩୪ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଜମି ଜବରଦଖଲରୁ ଏହା ଜଳ ଜଳ ହୋଇ ଦିଶୁଛି । ଯଦିଓ ଏହିସବୁ ଜବରଦଖଲ ଜମିକୁ ମୁକୁଳାଇବାପାଇଁ ସରକାର ମାମଲା ରୁଜୁ କରି ଅଦାଲତରେ ଲଢେଇ କରୁଛନ୍ତି, କିନ୍ତୁ ଜବରଦଖଲ ଜଙ୍ଗଲ ଜମିକୁ ସେଭଳି ଭାବେ ମୁକୁଳାଇ ପାରୁ ନାହାନ୍ତି ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ଶିଳ୍ପ ପ୍ରତିଷ୍ଠା ସହିତ ଜାତୀୟ ରାଜପଥ, ରେଳପଥ, ବିମାନବନ୍ଦର, ବିଭିନ୍ନ ଖଣି ଖନନ ସହିତ ଜଳସେଚନ ପ୍ରକଳ୍ପ ଆଦି ନିର୍ମାଣ ହେଉଛି । ଏଥିପାଇଁ ହଜାର ହଜାର କୋଟି ଟଙ୍କର ବ୍ୟୟବରାଦ ରହୁଛି । ତେବେ ଏହିସବୁ ପ୍ରକଳ୍ପ ର୍ନିମାଣ ପାଇଁ ଘରୋଇ ଜମି ସହିତ ଜଙ୍ଗଲ ଜମି ବି ଆବଶ୍ୟକ ହେଉଛି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରୁ ଅନୁମତି ପାଇଲାପରେ ଏଠାରେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
ତେବେ ଯେଉଁସବୁ ଅଞ୍ଚଳରେ ଏଭଳି ପ୍ରକଳ୍ପ ନିର୍ମାଣର ସୂଚନା ମିଳୁଛି ସେଠାରେ ଜମି ମାଫିଆମାନେ ଆଗତୁରା ଜଙ୍ଗଲ ଜମିକୁ ଜବରଦଖଲ କରିବା ସହିତ ସେଠାରେ ସ୍ଥାନୀୟ ଲୋକଙ୍କୁ ଥଇଥାନ କରିଦେଉଛନ୍ତି । ପରବର୍ତ୍ତୀ ସମୟରେ ଜବରଦଖଲକାରୀମାନେ ସେଠାରେ ନେତା ପାଲଟି ଲୋକଙ୍କୁ ଧରି ପ୍ରକଳ୍ପ ବିରୁଦ୍ଧରେ ଲଢେଇ କରୁଛନ୍ତି ଓ କାରଖାନା ମାଲିକମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି ।
ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଜଙ୍ଗଲ ଜମି ଜବରଦଖଲ ବେକାବୁ ହେବାରେ ଲାଗିଛି । ନବରଙ୍ଗପୁର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୨୦ହଜାର ହେକ୍ଟରରୁ ଅଧିକ ଜମି ଜବରଦଖଲ ହୋଇଥିବାବେଳେ କଳାହାଣ୍ଡି ଉତ୍ତର ଡିଭିଜନରେ ୨ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଜମି ଜବରଦଖଲ ହୋଇଛି । କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନରେ ଏହା ଦେଢ ହଜାର ହେକ୍ଟର ଥିବା ରେକର୍ଡ ହୋଇଛି । ସୁନ୍ଦରଗଡ ଜିଲ୍ଲାରେ ଜବରଦଖଲ ଜଙ୍ଗଲ ଜମିର ପରିମାଣ ୨୭୬୦ ହେକ୍ଟରରୁ ଅଧିକ ରହିଛି ।
ଏତେ ପରିମାଣର ଜଙ୍ଗଲ ଜମି ଜବରଦଖଲ ହୋଇଥିବାବେଳେ ଏହାକୁ ମୁକୁଳାଇବାପାଇଁ ସରକାର ୧୫ହଜାରରୁ ଅଧିକ ମାମଲା ରୁଜୁ କରି ଲଢୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୩ହଜାର ହେକ୍ଟର ଜବରଦଖଲ ଜମି ବି ମୁକୁଳାଯାଇ ପାରିନାହିଁ । ସମସ୍ତ ଜମି ମୁକୁଳାଇବା ଏତେଟା ସହଜ ନୁହେଁ ବୋଲି ମତପ୍ରକାଶ ପାଉଛି ।
ତେବେ ଜଙ୍ଗଲ ଅଞ୍ଚଳରେ ଏହି ମାଫିଆମାନଙ୍କ ପାଇଁ ଖଣି ଠାରୁ ଆରମ୍ଭ କରି ଶିଳ୍ପ ପର୍ଯ୍ୟନ୍ତ ବହୁ ପ୍ରକଳ୍ପ ପ୍ରଭାବିତ ହେବାରେ ଲାଗିଛି । ଏମାନେ ଜବରଦଖଲ ଜମିକୁ ବିଭିନ୍ନ ଲୋକଙ୍କ ନାମରେ ବେଆଇନ୍ ଭାବେ ପଞ୍ଜିକୃତ କରାଇ ଆଇନ୍ ଅଦାଲତରେ ମାମଲା ରୁଜୁ କରୁଛନ୍ତି । ପରବର୍ତ୍ତୀ ସମୟରେ ପରିବେଶ ଓ ଅନ୍ୟାନ୍ୟ ଆଳ ଦେଖାଇ ଆନ୍ଦୋଳନକୁ ଓହ୍ଲାଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ବାଧକ ସାଜୁଛନ୍ତି । ତେଣୁ ଜଙ୍ଗଲ ଜମିକୁ ଜବରଦଖଲ କରୁଥିବା ଏହି ମାଫିଆମାନଙ୍କ ଉପରେ ନଜର ରଖିବା ସହିତ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)

