ଭୁବନେଶ୍ୱର : ବହୁତଳ ଆପାର୍ଟମେଣ୍ଟ, ଡାକ୍ତରଖାନା, ହୋଟେଲ୍, ବ୍ୟବସାୟିକ ପ୍ରତିଷ୍ଠାନ ଆଦିରେ ବାରମ୍ବାର ଅଗ୍ନିକାଣ୍ଡ ଘଟି ବହୁ ଧନଜୀବନ ନଷ୍ଟ ହେଉଥିବାବେଳେ ଏଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକଣା ଭାବେ ଯାଞ୍ଚ ହେଉଛି କି ନାହିଁ ସେଥିଘେନି ସର୍ବସାଧାରଣରେ ପ୍ରଶ୍ନବାଚୀ ଉଠୁଛି । ବିଶେଷକରି ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ବାୟୁ ଓ ଆଲୋକ ଚଳାଚଳ ବ୍ୟବସ୍ଥାକୁ ଆଖି ଆଗରେ ରଖି ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ନିର୍ମିତ ହେଉଛି କି ନାହିଁ ଏବଂ ଏହାର ନିର୍ମାଣ ପାଇଁ ଯେଉଁ ସରକାରୀ ସଂସ୍ଥା ପ୍ଲାନ୍ ଅନୁମୋଦନ କରୁଛନ୍ତି ସେମାନେ ନିଜ ନିଜର ଦାୟିତ୍ୱ ଠିକଣା ଭାବେ ନିର୍ବାହ କରୁଛନ୍ତି କି ନାହିଁ ସେ ଦିଗରେ ସରକାର ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।
ଦିଲ୍ଲୀରେ ଏବେ ଏକ ହୋଟେଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୧ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଆଉ ଅନେକ ଗୁରୁତର ଆହତ ଜୀବନ ମରଣ ସନ୍ଧିକ୍ଷଣରେ ସଂଘର୍ଷ କରୁଛନ୍ତି । ଏବେ ଜଣାପଡୁଛି ଯେ ଏହି ହୋଟେଲ୍ର ଅନୁମତି ପତ୍ରରେ ତ୍ରୁଟି ରହିଛି । ଓଡ଼ିଶାର ବିଭିନ୍ନ ସରକାରୀ ମେଡିକାଲ୍ କଲେଜ୍ରେ କିଛିବର୍ଷ ଭିତରେ ବାରମ୍ବାର ଅଗ୍ନି ଦୁର୍ଘଟଣା ଘଟିଛି । ଏମିତିକି କେତେକ ଆପାର୍ଟମେଣ୍ଟ ନିଆଁ ଲାଗି ମଧ୍ୟ ଲୋକେ ମରିଛନ୍ତି । ଏଭଳି ସ୍ଥିତିରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ସହିତ ଆପାର୍ଟମେଣ୍ଟ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଉପଯୋଗ ପ୍ରମାଣପତ୍ରର ବୈଧତା ଉପରେ ପ୍ରଶ୍ନବାଚୀ ଉଠୁଛି ।
କିଛିବର୍ଷ ତଳେ ନୋଏଡାର କେତେକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟକୁ ଭାଙ୍ଗି ଦିଆଯାଇଥିଲା । ଆପାର୍ଟମେଣ୍ଟଗୁଡ଼ିକ ଯୋଗୁ ଆଖପାଖରେ ଆଇନ୍ ସମ୍ମତ ଭାବେ ଘର କରି ରହିଥିବା ଅନେକ ଲୋକ ମୁକ୍ତ ବାୟୁ ଓ ଆଲୋକ ପାଇପାରୁନଥିଲେ । ଶେଷରେ କର୍ତ୍ତୃପକ୍ଷ ତ୍ରୁଟି ସ୍ୱୀକାର କରି କୋଟି କୋଟି ଟଙ୍କାରେ ନିର୍ମିତ ଏହି ଆପାର୍ଟମେଣ୍ଟଗୁ୍ଡ଼ିକୁ ମାଟିରେ ମିଶାଇଥିଲେ ।
ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏବେ ବହୁ ସଂଖ୍ୟକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ଗଢ଼ି ଉଠିଛି । ଏମିତିକି ଛୋଟଛୋଟ ଆବାସିକ ପ୍ଲଟ୍ରେ ବି ବଡ଼ବଡ଼ ଆପାର୍ଟମେଣ୍ଟ ଛିଡ଼ା ହେଉଛି । ଏହି ଆପାର୍ଟମେଣ୍ଟଗୁଡ଼ିକର ଚାରିପଟେ ଦମକଳ ଗାଡ଼ି ବୁଲିବା ପାଇଁ ଯାଗା ବି ରହୁନାହିଁ । ଏମିତିକି କେତେକ ଆପାର୍ଟମେଣ୍ଟ ଯୋଗୁ ପଡ଼ୋଶୀ ପ୍ଲଟ୍ର ବାସିନ୍ଦାମାନଙ୍କ ଘରକୁ ବାୟୁ ଓ ଆଲୋକ ଚଳାଚଳ ବାଧାପ୍ରାପ୍ତ ହେଉଛି । ଏହାର କୁପ୍ରଭାବ ବି ସ୍ୱରେଜ୍ ଓ ବିଦ୍ୟୁତ ବ୍ୟବସ୍ଥା ଉପରେ ପଡୁଛି । ଛୋଟଛୋଟ ଆବାସିକ ପ୍ଲଟରେ ବଡ଼ବଡ଼ ଆପାର୍ଟମେଣ୍ଟ ନିର୍ମାଣ କରିବା ପାଇଁ କିଭଳି ପ୍ଳାନ୍ ଅନୁମୋଦନ ହେଉଛି ଏବଂ ସେତେବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହିତ ପଡ଼ୋଶୀ ପ୍ଲଟଗୁଡ଼ିକୁ ଏହି ଆପାର୍ଟମେଣ୍ଟ ଯୋଗୁ ଆଲୋକ ଓ ବାୟୁ ଚଳାଚଳ ବାଧାପ୍ରାପ୍ତ ହେଉଛି କି ନାହିଁ ସେଥିପ୍ରତି କର୍ତ୍ତୃପକ୍ଷ ବହୁ ସ୍ଥଳରେ ଆଖିବୁଜି ଦେଉଛନ୍ତି ।
ଆପାର୍ଟମେଣ୍ଟ ନିର୍ମାଣ ପରେ ଏଗୁଡ଼ିକ କର୍ତ୍ତୃପକ୍ଷଙ୍କଠାରୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଓ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ହାସଲ କରିବା କଥା । କିନ୍ତୁ ଅନେକ କ୍ଷେତ୍ରରେ ତ୍ରୁଟିପୂର୍ଣ୍ଣ ନିର୍ମାଣ ସତ୍ତ୍ୱେ ସାର୍ଟିଫିକେଟ୍ ମିଳିଯାଉଛି ଏବଂ ଆଉ କେତେକ ସ୍ଥଳରେ ବିନା ସାର୍ଟିଫିକେଟ୍ରେ ଲୋକେ ଆପାର୍ଟମେଣ୍ଟରେ ରହୁଛନ୍ତି । ଓଡ଼ିଶାରେ ଥିବା ଅନେକ ଛୋଟବଡ଼ ହୋଟେଲ୍, ଅତିଥି ଭବନ ଆଦିର ନିରାପତ୍ତା ସଂକ୍ରାନ୍ତରେ ବି ପ୍ରଶ୍ନବାଚୀ ରହିଛି । କେବଳ ସେତିକି ନୁହେଁ, ଆପାର୍ଟମେଣ୍ଟ, ବ୍ୟବସାୟିକ ପ୍ରତିଷ୍ଠାନ ଆଦିକୁ ଅନୁମତି ଦିଆଯିବା ବେଳେ ସେମାନଙ୍କର ଗାଡ଼ି ପାର୍କିଂ, ସବୁଜ ଜୋନ୍ ଓ ଅନ୍ୟାନ୍ୟ ମୌଳିକ ସୁବିଧାମାନ ଅଛି କି ନାହିଁ ତାହା ଉପରେ ଧ୍ୟାନ ଦିଆଯାଉ ନାହିଁ । ବିଶେଷକରି ଅନେକ ଆପାର୍ଟମେଣ୍ଟ ବେଆଇନ୍ ଭାବେ ଭୂତଳ ଜଳ ଉତ୍ତୋଳନ କରୁଥିବାରୁ ଜଳ ସ୍ତର ଉପରେ କୁପ୍ରଭାବ ପଡୁଛି । ଏହା ଆଗାମୀ ଦିନରେ ପାନୀୟ ଜଳ ସଂକଟକୁ ଉତ୍କଟ କରିପାରେ ବୋଲି ପରିବେଶ ପ୍ରେମୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଶତାଧିକ ବେଆଇନ୍ ଆପାର୍ଟମେଣ୍ଟକୁ କର୍ତ୍ତୃପକ୍ଷ ଚିହ୍ନଟ କରିଥିଲେ ମଧ୍ୟ ସେଗୁଡ଼ିକୁ ଭାଙ୍ଗିବା ପାଇଁ ସେମିତି କିଛି ପଦକ୍ଷେପ ନିଆଯାଉ ନାହିଁ । (ତଥ୍ୟ

