ଭୁବନେଶ୍ୱର : ରାଜଧାନୀର ବାସୁଆଘାଇଠାରେ ନବନିର୍ମିତ ଓଡ଼ିଶା ଅର୍ବାନ୍ ଏକାଡେମୀର ନବନିର୍ମିତ ହଷ୍ଟେଲ୍ର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଆଧୁନିକ ଆବାସିକ ଗୃହକୁ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ‘ୱାଟକୋ’ ର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ସମାରୋହରେ ଓଡ଼ିଶା ଅର୍ବାନ୍ ଏକାଡେମୀର ବାର୍ଷିକ ପ୍ରଶିକ୍ଷଣ କ୍ୟାଲେଣ୍ଡର ମଧ୍ୟ ଉନ୍ମୋଚିତ ହୋଇଛି, ଯାହା ସହରାଞ୍ଚଳ କ୍ଷେତ୍ରରେ ନିରନ୍ତର ଶିକ୍ଷା, ବୃତ୍ତିଗତ ବିକାଶ ଏବଂ ପ୍ରତିଷ୍ଠାନିକ ଶ୍ରେଷ୍ଠତା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି।
୯.୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଓଡ଼ିଶା ଅର୍ବାନ୍ ଏକାଡେମୀ ହଷ୍ଟେଲ୍କୁ ଏକ ସ୍ୱତନ୍ତ୍ର ଆବାସିକ ସୁବିଧା ଭାବେ ବିକଶିତ କରାଯାଇଛି। ଏହା ଏକାଡେମୀ ଦ୍ୱାରା ଆୟୋଜିତ ବିଭିନ୍ନ ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଗବେଷଣା ଏବଂ ଜ୍ଞାନ ଆଦାନପ୍ରଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ପ୍ରଶିକ୍ଷକ, ପ୍ରଶିକ୍ଷାର୍ଥୀ, ସହରାଞ୍ଚଳ ବିଶେଷଜ୍ଞ, ନିର୍ବାଚିତ ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସହାୟତା ପ୍ରଦାନ କରିବ।
ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏକ ଆରାମଦାୟକ, କାର୍ଯ୍ୟୋପଯୋଗୀ ଏବଂ ଶିକ୍ଷା-ଅନୁକୂଳ ପରିବେଶ ଯୋଗାଇଦେବାକୁ ଦୃଷ୍ଟିରେ ରଖି ଏହି ହଷ୍ଟେଲ୍ ନିର୍ମାଣ କରାଯାଇଛି। ଏଠାରେ ୨୮ଟି ଟ୍ୱିନ୍-ସେୟାରିଂ (ଦୁଇ ଜଣିଆ) ରୁମ୍ ଜରିଆରେ ମୋଟ ୫୬ ଜଣ ଅନ୍ତେବାସୀ ରହିପାରିବେ। ଏଥିମଧ୍ୟରେ ୨୪ଟି ଷ୍ଟାଣ୍ଡାର୍ଡ ରୁମ୍ ଏବଂ ୪ଟି ପ୍ରିମିୟମ୍ ରୁମ୍ ରହିଛି, ଯେଉଁଥିରେ ଆଟାଚ୍ଡ୍ ଶୌଚାଳୟ ଏବଂ ବାଲକୋନି ରହିଛି। ଏହାଛଡ଼ା ଏହି ବିଲ୍ଡିଂରେ ରିସେପ୍ସନ ଓ ପ୍ରଶାସନିକ କ୍ଷେତ୍ର, ୪୦ ଜଣ ବସିବା ଭଳି କ୍ଷମତା ସମ୍ପନ୍ନ ଡାଇନିଂ ହଲ୍, ମଡ୍ୟୁଲାର୍ କିଚେନ୍, ଗେଷ୍ଟ ରୁମ୍, କମନ୍ ୟୁଟିଲିଟି ସ୍ପେସ୍, ପ୍ରଶସ୍ତ ଲବି ଏବଂ ସାମାଜିକ ଆଲୋଚନା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି।
ଉଚ୍ଚମାନର ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ କର୍ମଶାଳା ପରିଚାଳନା ପାଇଁ ଏହି ହଷ୍ଟେଲ୍ ପରିସରରେ ଏକ ସମସ୍ତ ସୁବିଧା ସୁଯୋଗ ଥିବା କନଫରେନ୍ସ ହଲ୍ ସହ ଏକ ବ୍ୟାୟାମଶାଳା ଏବଂ ଇନଡୋର ମନୋରଞ୍ଜନ ବ୍ୟବସ୍ଥା କରାଯାଇଛି, ଯାହା ପ୍ରଶିକ୍ଷାର୍ଥୀମାନଙ୍କୁ ଏକ ସାମଗ୍ରିକ ଅନୁଭୂତି ପ୍ରଦାନ କରିବ।

