Home News in Odia ଜିଲ୍ଲା ସଦର ମହକୁମାରେ ହେବ ଆବାସିକ ପ୍ରକଳ୍ପ

ଜିଲ୍ଲା ସଦର ମହକୁମାରେ ହେବ ଆବାସିକ ପ୍ରକଳ୍ପ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପକ୍ଷରୁ ସାରା ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ। ଏଥିପାଇଁ ବିଭିନ୍ନ ବୃହତ ଆବାସିକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାକୁ ଏହି କାର୍ଯ୍ୟକ୍ରମ ସମ୍ପ୍ରସାରିତ କରିବାକୁ ଏକ ରଣନୀତି ପ୍ରସ୍ତୁତ କରାଯାଇଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଓଏସଏଚବିର ଚାଲୁ ରହିଥିବା ଏବଂ ଆଗାମୀ ପ୍ରକଳ୍ପଗୁଡ଼ିକର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ବୋର୍ଡର ଅଗ୍ରଗତି ଏବଂ ଆଗାମୀ ରୋଡମ୍ୟାପ୍‌ ଉପସ୍ଥାପନ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଏସଏଚବିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗଙ୍ଗାଧର ନାୟକ ସୂଚନା ଦେଇଛନ୍ତି ଯେ, ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ ୨୧ଟି ଜିଲ୍ଲାରେ ୩୨,୩୪୩ଟି ଗୃହ, ଦୋକାନ ଗୃହ ଏବଂ ପ୍ଲଟ୍‌ ବିକଶିତ କରାଯାଇଛି। ଏହା ଆର୍ଥିକ ଅନଗ୍ରସର , ନିମ୍ନ ଆୟ , ମଧ୍ୟମ ଆୟ ଏବଂ ଉଚ୍ଚ ଆୟ ଶ୍ରେଣୀର ଲୋକଙ୍କ ଆବଶ୍ୟକତା ପୂରଣ କରୁଛି। କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୦,୦୦୦ରୁ ଅଧିକ ୟୁନିଟ୍‌ ବିକଶିତ କରାଯାଇଛି।

ସମୀକ୍ଷା ଅନୁସାରେ, ବର୍ତ୍ତମାନ ୫୧୭ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୧୪୮୪ଟି ଆବାସିକ ୟୁନିଟ୍‌ ସମ୍ବଳିତ ୫ଟି ପ୍ରମୁଖ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି:

 ଖାରବେଳ ଏନକ୍ଲେଭ , ଜାଗମରା, ଭୁବନେଶ୍ୱରରେ ୬୨.୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୦୪ଟି ଉଚ୍ଚ ଆୟକାରୀ ( ଏଚ୍ ଆଇ ଜି) ଆପାର୍ଟମେଣ୍ଟ ବିଶିଷ୍ଟ ଏହି ପ୍ରକଳ୍ପ ହସ୍ତାନ୍ତର ପର୍ଯ୍ୟାୟରେ ପହଞ୍ଚିଛି ଏବଂ ୩୦ ଜଣ ବ୍ୟକ୍ତିଙ୍କୁ ଆପାର୍ଟମେଣ୍ଟ ହସ୍ତାନ୍ତର କରାଯାଇଛି।

 ଅନୁଗୁଳ ଏନକ୍ଲେଭ: ୧୪.୫୫ କୋଟି ଟଙ୍କା ବିନିଯୋଗରେ ୬୧୩ଟି ଆବାସିକ ଗୃହ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏଥିମଧ୍ୟରୁ ୨୨୮ଟି ୟୁନିଟ୍‌ର ନିର୍ମାଣ ଶେଷ ହୋଇଥିବା ବେଳେ ଡିସେମ୍ବର ୨୦୨୬ ସୁଦ୍ଧା ଏହାର ପୋଜେସନ (ଦଖଲ) ମିଳିବ ବୋଲି ଆଶା କରାଯାଉଛି। ବାକି ୟୁନିଟ୍‌ଗୁଡ଼ିକ ଡିସେମ୍ବର ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସୁଭଦ୍ରା ଏନକ୍ଲେଭ ଡୁମୁଡୁମାରେ ୭୩.୪୦ କୋଟି ଟଙ୍କା ବ୍ୟୟରେ   EWS, LIG ଏବଂ MIG ହିତାଧିକାରୀଙ୍କ ପାଇଁ ୧୯୮ଟି ଗୃହ ନିର୍ମାଣ କାର୍ଯ୍ୟ ସମୟସୀମା ମଧ୍ୟରେ ଆଗେଇ ଚାଲିଛି।

 ବାସୁଦେବ ବିହାର ପ୍ଲଟେଡ୍‌ ଡେଭଲପମେଣ୍ଟ ସ୍କିମ୍ ଅନ୍ଧାରୁଆ ଠାରେ ୨୭.୨୭ କୋଟି ଟଙ୍କା ବ୍ୟୟରେ ୨୦୬ଟି ଆବାସିକ ପ୍ଲଟ ପ୍ରଦାନ କରାଯିବ ଏବଂ ଜୁଲାଇ ୨୦୨୬ରୁ ଏହାର ପୋସେସନ ପ୍ରକ୍ରିୟା ଆରମ୍ଭ ହେବ।

 ଗାଡ଼କଣ ଗୃହ ନିର୍ମାଣ ପ୍ରକଳ୍ପ ଭୁବନେଶ୍ୱରରେ ୧୮୯.୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ପ୍ରକଳ୍ପରେ ୩୩ଟି ଆବାସିକ ୟୁନିଟ୍‌ ସହ ବ୍ୟବସାୟିକ କ୍ଷେତ୍ର ଉପଲବ୍ଧ ହେବ। ବୈଧାନିକ ମଞ୍ଜୁରୀ ଏବଂ ଓରେରା  ପଞ୍ଜୀକରଣ ଶେଷ ହେବା ପରେ ଜୁଲାଇ ୨୦୨୬ରେ ଏହାର ଶୁଭାରମ୍ଭ କରାଯିବ।

ସମୀକ୍ଷା ବୈଠକରେ ବୋର୍ଡର ଆର୍ଥିକ ପ୍ରଦର୍ଶନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଓଏସଏଚବି ଏକ ଋଣମୁକ୍ତ ସଂସ୍ଥା ଭାବେ ଉଭା ହୋଇଛି। ଆର୍ଥିକ ବର୍ଷ ୨୦୨୪-୨୫ରେ ବୋର୍ଡ ୧୮.୪୦ କୋଟି ଟଙ୍କାର ବଳକା ଲାଭ ରେକର୍ଡ କରିଥିବା ବେଳେ ଆର୍ଥିକ ବର୍ଷ ୨୦୨୫-୨୬ ରେ ଅସ୍ଥାୟୀ ଭାବେ ୨୫.୫୦ କୋଟି ଟଙ୍କାର ବଳକା ଲାଭ କରିଛି। ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ବୋର୍ଡ ପାଖରେ ୩୭.୪୨ କୋଟି ଟଙ୍କାର ପାଣ୍ଠି ଉପଲବ୍ଧ ରହିଛି।

ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷରେ ପ୍ରାୟ ୬,୮୭୭ଟି ଆବାସିକ ୟୁନିଟ୍‌ ନିର୍ମାଣ ପାଇଁ ୪ଟି ପ୍ରମୁଖ ପ୍ରକଳ୍ପ ପ୍ରସ୍ତାବିତ ରହିଛି । ସେ ଗୁଡିକ ସୁଆଙ୍ଗୋ ପିପିପି ପ୍ରକଳ୍ପ , ଏମସ୍‍  ଭୁବନେଶ୍ୱର ନିକଟରେ ୧୨.୯ ଏକର ଜମିରେ ୨,୮୬୭ଟି ଗୃହ ନିର୍ମାଣ କରାଯିବ, ଯେଉଁଥିରେ ୧,୦୩୪ଟି ଶସ୍ତା/ସୁଲଭ ଗୃହ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପରୁ ବୋର୍ଡକୁ ସର୍ବନିମ୍ନ ୨୧୦ କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି ଆଶା କରାଯାଉଛି।

 ରଣସିଂହପୁରରେ ଇପିସି ଗୃହ ନିର୍ମାଣ ପ୍ରକଳ୍ପ ୫.୭୮ ଏକର ଜମିରେ ପ୍ରାୟ ୩୯୭ କୋଟି ଟଙ୍କାର ଆନୁମାନିକ ବିନିଯୋଗରେ ୧,୨୬୨ଟି ଗୃହ ନିର୍ମାଣ କରାଯିବ। ପାତ୍ରପଡ଼ା ଗୃହ ନିର୍ମାଣ ପ୍ରକଳ୍ପ  ଇ-ବିଡିଂ  ମାଧ୍ୟମରେ ୧୧.୫ ଏକର ଜମିରେ ୨,୫୧୦ଟି ଗୃହ ନିର୍ମାଣ କରାଯିବ, ଯେଉଁଥିରେ ୮୨୦ଟି ସୁଲଭ ଆବାସିକ ଗୃହ ରହିବ।

 ରାଉରକେଲା ବାସନ୍ତୀ କଲୋନୀ ଯୁଗ୍ମ ଉଦ୍ୟୋଗ ଆପାର୍ଟମେଣ୍ଟ ପ୍ରକଳ୍ପରେ ୨୩୮ଟି ଏମଆଇଜି ଏବଂ ଏଚଆଇଜି ଆପାର୍ଟମେଣ୍ଟ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି।

ଏହି ପ୍ରସ୍ତାବର ସମୀକ୍ଷା କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ଜମି ଚିହ୍ନଟ, ପ୍ରକଳ୍ପ ମଡେଲ ଏବଂ ହିତାଧିକାରୀଙ୍କୁ ସ୍ପଷ୍ଟ ଭାବେ ଦର୍ଶାଇ ଏକ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଓଏସଏଚବିକୁ ନିର୍ଦ୍ଦେଶ ଦେଇଛନ୍ତି।