Home Excise ଓଡିଶାରେ ରେକର୍ଡ ନିଶାଡି

ଓଡିଶାରେ ରେକର୍ଡ ନିଶାଡି

ଭୁବନେଶ୍ୱର : ଓଡ଼ିଶାରେ ନିଶାଡ଼ିଙ୍କ ହାର ଅନ୍ୟ ବହୁ ରାଜ୍ୟ ଠାରୁ ଆଗରେ । ମଦ ପିଇବା ହେଉ କିମ୍ବା ତମାଖୁ ସେବନ କରିବା ହେଉ ଓଡିଶା ଲୋକମାନେ ରେକର୍ଡ କରିଛନ୍ତି । ଏମିତିକି ଦିଲ୍ଲୀ, ଜାମ୍ମୁ-କାଶ୍ମୀର, ଗୁଜରାଟ, ବିହାର, ଆନ୍ଧ୍ରପ୍ରଦେଶ, ଆସାମ, ପଞ୍ଜାବ, ହରିଆନା, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟର ନିଶା ସେବନକାରୀଙ୍କୁ ପଛରେ ପକାଇ ଦେଇଛନ୍ତି ।

ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୬ ରିପୋର୍ଟରୁ ଜଣାଯାଇଛି ଯେ ୧୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଭିତରୁ ଦେଶରେ ୧୮.୯% ପୁରୁଷ ଓ ୧.୧% ମହିଳା ଆଲ୍‍କହଲ୍‍ ସେବନ କରୁଥିବାବେଳେ ୩୬.୩% ପୁରୁଷ ଓ ୮.୪ % ମହିଳା ତମାଖୁ ସେବନ କରୁଛନ୍ତି । ଏହି ରିପୋର୍ଟରେ ସମସ୍ତଙ୍କୁ ଚମକାଇ ଦେବା ଭଳି ତଥ୍ୟ ଓଡ଼ିଶାର ଏ କ୍ଷେତ୍ରରେ ରହିଛି । ଏହି ବୟସର ୨୬.୮% ପୁରୁଷ ଓ ୩.୧% ମହିଳା ଓଡ଼ିଶାରେ ଆଲ୍‍କହଲ୍‍ ସେବନ କରୁଥିବାବେଳେ ୪୮.୩% ପୁରୁଷ ଓ ୨୨.୮% ମହିଳା ତମାଖୁ ସେବନ କରୁଛନ୍ତି ।

ଓଡ଼ିଶାରେ ପୁରୁଷମାନଙ୍କ ଭିତରୁ ୨୬.୮% ଆଲ୍‍କହଲ୍‍ ସେବନ କରୁଥିବାବେଳେ ଗୁଜରାଟରେ ମାତ୍ର ୫.୨% ଓ ବିହାରରେ ୧୬.୫% ତଥାପି ବି ଆଲ୍‍କହଲ୍‍ ସେବନ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏ ଦୁଇଟି ରାଜ୍ୟର ସରକାର ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ କରି ଅବକାରୀ ରାଜସ୍ୱକୁ ଛି କରିଦେଇଛନ୍ତି । ନିଶା ନିବାରଣ ପୂର୍ବରୁ ଏହି ଦୁଇ ରାଜ୍ୟରେ ବି ମଦୁଆଙ୍କ ହାର ଢେର ଅଧିକ ରହୁଥିଲା ଏବଂ ସେହି ଅନୁପାତରେ ବିଭିନ୍ନ କିସମର ଅପରାଧ, ରୋଗବ୍ୟାଧି, ଦୁର୍ଘଟଣା ଆଦି ବି ବଢ଼ୁଥିଲା ।

ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ମୁତାବକ କର୍ଣ୍ଣାଟକରେ ୧୫.୬% ପୁରୁଷ ଆଲ୍‍କହଲ୍‍ ସେବନ କରୁଥିବାବେଳେ ମହାରାଷ୍ଟ୍ରରେ ୧୨.୨, ପଞ୍ଜାବରେ ୨୨.୯, ରାଜସ୍ଥାନରେ ୧୦.୭, ଆନ୍ଧ୍ରରେ ୨୩.୩, ତାମିଲନାଡୁରେ ୨୩.୫, ଉତ୍ତରପ୍ରଦେଶରେ ୧୮.୭, ପଶ୍ଚିମବଙ୍ଗରେ ୧୬, ଦିଲ୍ଲରେ ୧୬.୧ ପ୍ରତିଶତ ପୁରୁଷ ଆଲ୍‍କହଲ୍‍ ସେବନ କରିଥାନ୍ତି । ଏହି ରାଜ୍ୟଗୁଡ଼ିକରେ ମହିଳାମାନଙ୍କ ଆଲ୍‍କହଲ୍‍ ସେବନ ହାର ଢେର କମ୍‍ । ଏମିତିକି କେତେକ ରାଜ୍ୟରେ ଏହା ୧% ରୁ ବି କମ୍‍ ରହୁଛି ।

ତମାଖୁ ସେବନ କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠାରୁ ଢେର ଆଗରେ ରହିଛି । ଏ କ୍ଷେତ୍ରରେ ଓଡ଼ିଶା ମଧ୍ୟ ବିହାର, ଗୁଜରାଟ, କେରଳ, ମହାରାଷ୍ଟ୍ର, ପଞ୍ଜାବ, ହରିଆନା, ତାମିଲନାଡୁ, ତେଲେଙ୍ଗାନା ଆଦି ରାଜ୍ୟକୁ ବହୁ ପଛରେ ପକାଇଥିବା ଉକ୍ତ ରିପୋର୍ଟର ତଥ୍ୟରୁ ଜଳଜଳ ହୋଇ ଦିଶୁଛି । ଓଡ଼ିଶାରେ ଗୁଟ୍‍ଖା ଓ ନିକୋଟିନ୍‍ ଯୁକ୍ତ ପାନ ମସଲାର ଉତ୍ପାଦନ, ବିପଣନ, ପରିବହନ ଓ ବ୍ୟବହାର ଉପରେ ବାରମ୍ବାର ନିଷେଧାଦେଶ ଜାରି କରାଯାଇଛି । ଏହା ସତ୍ୱେ ବି ରାଜ୍ୟରେ ତମାଖୁ ସେବନ କମିବା ପରିବର୍ତ୍ତେ ବଢ଼ିବଢ଼ି ଚାଲୁଛି ।(ତଥ୍ୟ)