ଭୁବନେଶ୍ୱର : ପାଞ୍ଚ ବର୍ଷରୁ କମ୍ ବୟସର ପ୍ରାୟ ଏକ ଚତୁର୍ଥାଂଶ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓଡ଼ିଶାରେ ଭଲ ନାହିଁ । ୨୦୨୬ ମଇ ମାସରେ ପ୍ରକାଶ ପାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୬ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି । ତେବେ ପୂର୍ବ ସର୍ଭେ ରିପୋର୍ଟ ତୁଳନାରେ ଏଥର ସ୍ଥିତି ତୁଳନାତ୍ମକ ଭାବେ ଭଲ ରହିଛି ।
ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଶିଶୁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହୁଛି । ଏହି ରିପୋର୍ଟର ତଥ୍ୟ ମୁତାବକ ୫ବର୍ଷ ବୟସରୁ କମ୍ ଶିଶୁମାନଙ୍କ ଭିତରେ ଓଡ଼ିଶାରେ ଅନ୍ୟୁନ ୨୬.୮ ପ୍ରତିଶତଙ୍କ ବୟସ ତୁଳନାରେ ଉଚ୍ଚତା ଠିକ୍ ନାହିଁ । ଏମାନଙ୍କୁ ‘ଷ୍ଟଣ୍ଟେଡ୍’ ଶିଶୁ ବୋଲି କୁହାଯାଏ । ଓଡ଼ିଶାର ସହରାଞ୍ଚଳରେ ଏହି ଷ୍ଟଣ୍ଟେଡ୍ ଶିଶୁଙ୍କ ହାର ୧୮.୫ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ରହିଛି ୨୮ ପ୍ରତିଶତ । ମୋଟାମୋଟି ଭାବେ ଆମ ରାଜ୍ୟରେ ହାରାହାରି ପ୍ରତି ୧୦୦ଜଣ ଶିଶୁରେ ପାଖାପାଖି ୨୭ଜଣଙ୍କର ବୟସ ତୁଳନାରେ ଉଚ୍ଚତା କମ୍ ରହୁଛି ।
ସେହିଭଳି ଓଡ଼ିଶାରେ ଉଚ୍ଚତା ତୁଳନାରେ ଓଜନ ମଧ୍ୟ ୨୨.୧ ପ୍ରତିଶତ ଶିଶୁଙ୍କର କମ୍ ରହିଛି । ଏମାନଙ୍କୁ ‘ୱେଷ୍ଟେଡ୍’ ଶିଶୁ ବୋଲି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଗ୍ରାମାଞ୍ଚଳରେ ୫ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ମଧ୍ୟରୁ ୨୨.୧ ପ୍ରତିଶତ ଓ ସହରାଞ୍ଚଳରେ ୨୨.୬ ପ୍ରତିଶତଙ୍କର ଓଜନ ଉଚ୍ଚତା ତୁଳନାରେ କମ୍ ରହୁଛି । ତେବେ ଏହି ବୟସର ୫.୮ ପ୍ରତିଶତ ଶିଶୁଙ୍କ ସ୍ୱାସ୍ଥ୍ୟ ‘ସିଭିୟରଲି ୱେଷ୍ଟେଡ୍’ ବୋଲି ଦର୍ଶାଯାଇଛି । ସହରାଞ୍ଚଳରେ ୫.୩ ଓ ଗ୍ରାମାଞ୍ଚଳରେ ୫.୯ ପ୍ରତିଶତ ଶିଶୁ ସିଭିୟରଲି ୱେଷ୍ଟେଡ୍ ପର୍ଯ୍ୟାୟରେ ରହୁଛନ୍ତି ।
ବୟସ ଅନୁପାତରେ ବି ୩୧.୬ ପ୍ରତିଶତ ଶିଶୁଙ୍କର ଓଜନ ଓଡ଼ିଶାରେ କମ୍ ରହିଛି । ଏମାନଙ୍କୁ ଭାରତ ସରକାରଙ୍କ ରିପୋର୍ଟରେ ‘ଅଣ୍ଡର ୱେଟ୍’ ଭାବେ ଦର୍ଶାଯାଇଛି । ଗ୍ରାମାଞ୍ଚଳରେ ୩୨.୯ ଓ ସହରାଞ୍ଚଳରେ ୨୨.୧ ପ୍ରତିଶତ ଶିଶୁଙ୍କର ବୟସ ତୁଳନାରେ ଓଜନ କମ୍ ରହୁଛି । ଅନ୍ୟପକ୍ଷରେ ୫ବର୍ଷରୁ କମ୍ ବୟସର ଶିଶୁଙ୍କ ଭିତରୁ ଓଡ଼ିଶାରେ ୨.୧ ପ୍ରତିଶତଙ୍କ ଓଜନ ବୟସ ତୁଳନାରେ ଅଧିକ ବା ‘ଓଭର ୱେଟ୍’ ରହୁଛି । ଗ୍ରାମାଞ୍ଚଳରେ ୧.୮ ଓ ସହରାଞ୍ଚଳରେ ୪.୪ ପ୍ରତିଶତ ଶିଶୁ ଆମ ରାଜ୍ୟରେ ଓଭର ୱେଟ୍ ଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଓଡ଼ିଶାରେ ୬ରୁ ୨୩ ମାସର ଶିଶୁଙ୍କ ଭିତରୁ ମାତ୍ର ୧୪.୯ ପ୍ରତିଶତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଉଛନ୍ତି । ୬୬.୭ ପ୍ରତିଶତ ଶିଶୁ ଏଠାରେ ମା’କ୍ଷୀର ସହିତ ଅନ୍ୟ ଖାଦ୍ୟ ଗ୍ରହଣ କରୁଛନ୍ତି । ସେହିପରି ପ୍ରାୟ ୬୦.୯ ପ୍ରତିଶତ ଶିଶୁ ଜନ୍ମ ହେବାର ଘଣ୍ଟାକ ଭିତରେ ମା’କ୍ଷୀର ଖାଇଥିବା ଏଥିରେ ଦର୍ଶାଯାଇଛି । ମୋଟାମୋଟି ଭାବେ ୬ମାସରୁ କମ୍ ବୟସର ପ୍ରାୟ ୯୫ ପ୍ରତିଶତ ଶିଶୁ ଓଡ଼ିଶାରେ ମା’କ୍ଷୀର ଉପରେ ନିର୍ଭରଶୀଳ । ୯୦ ପ୍ରତିଶତରୁ ଅଧିକ ଶିଶୁ ଜନ୍ମର ୨୪ମାସ ମଧ୍ୟରେ ପୋଲିଓ, ବିସିଜି ଭଳି ବିଭିନ୍ନ କିସମର ପ୍ରତିଷେଧକ ଟୀକା ନେଉଛନ୍ତି ।
ସେହିପରି ଡାକ୍ତରଖାନାରେ ପାଖାପାଖି ୯୪ ପ୍ରତିଶତ ସନ୍ତାନ ପ୍ରସବ କରାଯାଉଛି । ଜନ୍ମ ହେଉଥିବା ଶିଶୁଙ୍କ ମଧ୍ୟରୁ ୨୯.୪ ପ୍ରତିଶତ ଅସ୍ତ୍ରୋପଚାର ମାଧ୍ୟମରେ ଦୁନିଆ ଦେଖୁଛନ୍ତି । ସେହିଭଳି ଗର୍ଭବତୀ ମହିଳାଙ୍କ ଭିତରୁ ଅଧିକାଂଶଙ୍କୁ ଆଇରନ୍ ଫୋଲିକ୍ ଏସିଡ୍, ଟିଟାନସ୍ ଇଞ୍ଜେକ୍ସନ୍ ଆଦି ଠିକଣା ସମୟରେ ନେଉଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଓଡ଼ିଶାର ୧୫ରୁ ୪୯ ବର୍ଷ ବୟସ୍କ ଲୋକଙ୍କ ଭିତରୁ ୪୩.୯ ପ୍ରତିଶତ ମହିଳା ଓ ୪୯.୧ ପ୍ରତିଶତ ପୁରୁଷ ବିଦ୍ୟାଳୟରେ ୧୦ବର୍ଷ କିମ୍ବା ତଦୁର୍ଦ୍ଦ ସମୟ ପାଠ ପଢ଼ୁଥିବା ଏଥିରେ ଦର୍ଶାଯାଇଛି । (ତଥ୍ୟ)

