Home News in Odia ଦୁଇ ବର୍ଷର ସୂଚନା ଦିଅ

ଦୁଇ ବର୍ଷର ସୂଚନା ଦିଅ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ବିଭାଗମାନେ ନିଜ ନିଜର ସଫଳତା ତାଲିକା ପ୍ରସ୍ତୁତି ଚଳାଇଥିବାବେଳେ ଦୁଇବର୍ଷର ସଫଳତା ଦୁଇ ଦିନରେ ଦେବାପାଇଁ ଅଧିକାରୀମାନଙ୍କୁ କୁହାଯାଇଛି । ଏହି ମର୍ମରେ ପତ୍ର ଲେଖାଯିବା ସହିତ କିଭଳି ଭାବେ ସୂଚନା ପ୍ରଦାନ କରିବେ ସେଥିପାଇଁ ଫର୍ମାଟ ପ୍ରଦାନ କରାଯାଇଛି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏହି ମର୍ମରେ ପତ୍ର ଜାରି କରାଯାଇଛି । ବିଭାଗୀୟ ମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଜୁନ୍‍ ୨ ତାରିଖ ସୁଦ୍ଧା ସଫଳତାର ତାଲିକା ଦେବାପାଇଁ କୁହାଯିବା ପରେ ବିଭାଗୀୟ ଅଧିକାରୀମାନଙ୍କୁ ଦୁଇ ଦିନ ଅର୍ଥାତ୍‍ ଜୁନ୍‍ ଏକ ତାରିଖ ମଧ୍ୟରେ ସୂଚନା ପ୍ରଦାନ କରିବାକୁ କୁହାଯାଇଛି । ଦୁଇ ଦିନ ମଧ୍ୟରୁ ଗୋଟିଏ ଦିନ ରବିବାର ପଡୁଥିବାରୁ ଫର୍ମାଟ ପୂରଣ କରିବ କିଭଳି ସମସ୍ତ ସୂଚନା ପ୍ରଦାନ କରାଯିବ ସେଥିନେଇ ଅଧିକାରୀମାନେ ଏବେ ଚିନ୍ତାରେ ପଡିଛନ୍ତି ।

ତେବେ ଜାରି ହୋଇଥିବା ପତ୍ରରେ ଦର୍ଶାଯାଇଛି ଯେ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମ ଓ ଯୋଜନା, ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଦିଆଯାଇଥିବା ଆର୍ଥିକ ଲକ୍ଷ୍ୟ, ଏହି ଦୁଇଟି ଆର୍ଥିକ ବର୍ଷରେ ନିର୍ଦ୍ଦିଷ୍ଟ ଭାବେ ହୋଇଥିବା ଆର୍ଥିକ ଅଗ୍ରଗତି ସହିତ ୨୦୨୪ ଜୁନ୍‍ ମାସରୁ ୨୦୨୬ ମଇ ୩୧ ତାରିଖ ସୁଦ୍ଧା ଦୁଇବର୍ଷରେ ମିଳିଥିବା ପ୍ରମୁଖ ସଫଳତା ଉଲ୍ଲେଖ ପାଇଁ କୁହାଯାଇଛି । ଯୋଜନାୱାରୀ ବିସ୍ତୃତ ସୂଚନା ପ୍ରଦାନ ଲାଗି ପତ୍ରରେ ଉଲ୍ଲେଖ ରହିଛି ।

ଏଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ଫର୍ମାଟ ପ୍ରଦାନ କରାଯାଇଛି । ବିଭାଗ ପାଇଁ ବଜେଟ୍‍ରେ କେତେ ଅର୍ଥ ବରାଦ ହୋଇଥିଲା ଓ କେତେ ଅର୍ଥ ବ୍ୟୟ ହୋଇଛି ତାହାର ଯୋଜନାୱାରୀ ସୂଚନା ପ୍ରଦାନ କରିବାକୁ କୁହାଯାଇଛି । ଏପରିକି କେତେକ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ଓ ଏହି ଅର୍ଥରେ କାମ କେତେଦୂର ଆଗେଇଛି ତାହା ପ୍ରଦାନ କରିବାକୁ କୁହାଯାଇଛି ।

ସେହିଭଳି ବିଧାନସଭାରେ ବିଭାଗର ପ୍ରଦର୍ଶନ କ’ଣ ସବୁ ରହିଛି ଓ କି କି ଆଇନ୍‍ ପ୍ରଣୟନ ଦିଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଦର୍ଶାଇବାକୁ କୁହାଯାଇଛି । ଦୁଇଟି ଆର୍ଥିକ ବର୍ଷ ମଧ୍ୟରେ ବିଭାଗୀୟ ମନ୍ତ୍ରୀ କେତେ ଥର ବିଧାନସଭାରେ ଉପସ୍ଥିତ ରହିଛନ୍ତି ତାହାର ଅଧିବେଶନୱାରୀ ତାଲିକା ଦେବାକୁ କୁହାଯାଇଛି । ବିଧାନସଭାରେ କେଉଁ କେଉଁ ନୂଆ ବିଧେୟକ ଆଗତ କରାଯାଇଛି, କେଉଁ ପ୍ରସଙ୍ଗରେ ବିଧାନସଭାରେ କେତେଦିନ ହଟଗୋଳ ହୋଇଛି ତାହା ଦର୍ଶାଇବା ସହିତ ପ୍ରଶ୍ନୋତ୍ତର କାଳ କିମ୍ବା ଶୂନ୍ୟକାଳରେ ଗୃହ ବନ୍ଦ ରହିଛି ତାହା ଉଲ୍ଲେଖ କରିବେ । ବିଭାଗ କିମ୍ବା ମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି ସ୍ୱତନ୍ତ୍ର ମୋସନ ଆଗତ ହୋଇଥିଲେ ତାହା ଉଲ୍ଲେଖ କରିବେ ।

ସେହିଭଳି ମନ୍ତ୍ରୀମାନେ ଏହି ସମୟରେ କେତେ ସଂଖ୍ୟକ ଅଭିଯୋଗର ଶୁଣାଣି କରିଛନ୍ତି ଓ କେତେ ସଂଖ୍ୟକ ଅଭିଯୋଗର ସମାଧାନ ହୋଇଛି ତାହା ଦର୍ଶାଇବା ସହିତ ନିଜେ ସିଧାସଳଖ କେତେ ଅଭିଯୋଗ ଶୁଣିଛନ୍ତି ଓ ଜନ ଶୁଣାଣି ପୋର୍ଟାଲ ଓ ସୋସିଆଲ ମିଡିଆରେ ଆସିଥିବା କେତେ ଅଭିଯୋଗର ଶୁଣାଣି କରିଛନ୍ତି ତାହା ଉଲ୍ଲେଖ କରିବେ ।

ସେହିଭଳି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀମାନେ ଜିଲ୍ଲାଗସ୍ତରେ ଯାଇ କେଉଁ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଓ କେତେ ବୈଠକ କରିଛନ୍ତି ତାହାର ଗସ୍ତୱାରୀ ସୂଚନା ପ୍ରଦାନ କରିବାକୁ କୁହାଯାଇଛି । ଏଥି ସହିତ ପ୍ରଶାସନିକ ନିଷ୍ପତ୍ତି ନେବାପାଇଁ ବିଭାଗୀୟ ଅଧିକାରୀମାନେ କେତେ ସମୟ ନେଇଛନ୍ତି ଓ ଏହା କିଭଳି କାର୍ଯ୍ୟକାରୀ ହୋଇଛି ତାହା ଜଣାଇବାକୁ କୁହାଯାଇଛି । ଏହିସବୁ ସୂଚନା ମିଳିଲା ପରେ ତାହାକୁ ଏକତ୍ର କରି ବିଭାଗୀୟ ମନ୍ତ୍ରୀଙ୍କୁ ଜୁନ୍‍ ୨ ତାରିଖ ସୁଦ୍ଧା ପ୍ରଦାନ କରାଯିବ । (ତଥ୍ୟ)