Home News in Odia ଏସ୍‍ଆଇ ମନୋନୟନ ପରୀକ୍ଷା କେବେ?

ଏସ୍‍ଆଇ ମନୋନୟନ ପରୀକ୍ଷା କେବେ?

ଭୁବନେଶ୍ୱର : ସର୍ବଭାରତୀୟ ନିଟ୍‍ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣାର ସିବିଆଇ ତଦନ୍ତ ସହିତ ଆଇନ୍‍ ଅଦାଲତରେ ମାମଲା ଚାଲିଥିବାବେଳେ ଆଗାମୀ ଜୁନ୍‍ ମାସରେ ଏହି ପରୀକ୍ଷା ପୁଣିଥରେ ହେବାକୁ ଯାଉଛି । ଅନ୍ୟପକ୍ଷରେ ଓଡ଼ିଶାରେ ପୁଲିସ ସବ୍‍ ଇନ୍ସିପେକ୍ଟର ନିଯୁକ୍ତି ଲାଗି ପ୍ରାର୍ଥୀ ଚୟନ ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ପ୍ରସଂଗରେ ସିବିଆଇ ତଦନ୍ତ ସହ ମାମଲା ଚାଲିଥିବାବେଳେ ଏହି ପରୀକ୍ଷା କିନ୍ତୁ ହେଉନାହିଁ । ଫଳରେ ଓଡ଼ିଶା ପୁଲିସରେ ଖାଲି ପଡିଥିବା ଏସ୍‍ଆଇ ପଦଗୁଡ଼ିକ ପୂରଣ କରିବା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି ।

ପୁଲିସ ଏସ୍‍ଆଇ ମନୋନୟନ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବହୁ ପରୀକ୍ଷାର୍ଥୀଙ୍କ ସମେତ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା କେତେକ ଘରୋଇ ସଂସ୍ଥା ସହ ସଂପୃକ୍ତ ବ୍ୟକ୍ତି ବିଶେଷକଙ୍କୁ ଗିରଫ କରାଯାଇଥିଲା । ଇତିମଧ୍ୟରେ ଗିରଫ ପରୀକ୍ଷାର୍ଥୀମାନେ ଜାମିନରେ ଆସିସାରିଛନ୍ତି । ଏସ୍‍ଆଇ ମନୋନୟନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ କିଛି ନୂଆ କଥା ନୁହେଁ । ବାରମ୍ବାର ଏଭଳି ଘଟୁଛି । ଏସ୍‍ଆଇ ଚାକିରି ପାଇଁ ବର୍ଷବର୍ଷ ଧରି ପ୍ରସ୍ତୁତି କରିଥିବା ହଜାର ହଜାର ପ୍ରାର୍ଥୀ ଅନିଶ୍ଚିତତା ଭିତରେ ସମୟ କାଟୁଥିବାବେଳେ ଏହି ପରୀକ୍ଷା କେବେ ହେବ ତାହା ଜଣାନାହିଁ ।

ନିଟ୍‍ ପରୀକ୍ଷା ବାତିଲ କରାଯିବାର ୧୫ଦିନ ଭିତରେ ପୁନର୍ବାର ପରୀକ୍ଷା ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୋଇ ସାରିଛି । ବାୟୁସେନା ବିମାନରେ ନିଟ୍‍ ପ୍ରଶ୍ନପତ୍ର ପଠାଯିବ ଏବଂ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପରୀକ୍ଷା ଜୁନ୍‍ ମାସରେ ହେବାକୁ ଯାଉଛି । ଅନୁରୂପ ଭାବେ ଓଡ଼ିଶାରେ ଏସ୍‍ଆଇ ମନୋନୟନ ପରୀକ୍ଷା କିନ୍ତୁ କାହିଁକି କରାନଯାଇ ମାସମାସ ଧରି ଗଡ଼ାଯାଉଛି ସେଥିଘେନି ବହୁ ପ୍ରାର୍ଥୀ ପ୍ରଶ୍ନ କରୁଛନ୍ତି ।

ଓଡ଼ିଶା ପୁଲିସ ରିକୃଟିମେଣ୍ଟ ବୋର୍ଡ ଏସ୍‍ଆଇ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ କରିଥାଏ । ତେବେ ଏହି ସରକାରୀ ସଂସ୍ଥା ପରୀକ୍ଷା ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥାନକୁ ଦେବା ଫଳରେ ବିଭ୍ରାଟ ଉପିଜିଛି । ଘରୋଇ ସଂସ୍ଥାଙ୍କ ଦ୍ୱାରା ଯୋଗ୍ୟ ଏସ୍‍ଆଇ ପ୍ରାର୍ଥୀ ବାଛିବା ପରିବର୍ତ୍ତେ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତୁରନ୍ତ ଏହି ନିଯୁକ୍ତି ପରୀକ୍ଷା କରାଇବା ପାଇଁ ଦାବି ହେଉଛି ।

ନିଯୁକ୍ତିଠାରୁ ପାଠପଢ଼ା ପରୀକ୍ଷା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଘରୋଇ ସଂସ୍ଥାକୁ ନିୟୋଜନ କରାଯିବା ଫଳରେ ବିଭ୍ରାଟ ଦେଖାଦେଉଛି । ନିକଟରେ ପ୍ରକାଶ ପାଇଥିବା ସିବିଏସ୍‍ଇର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାଙ୍କନ ଦାୟିତ୍ୱ ଘରୋଇ ସଂସ୍ଥାକୁ ଦିଆଯାଇଥିଲା । ଏବେ ସୁଦ୍ଧା ୪ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଉତ୍ତରଖାତାର ଫଟୋ କପି ମାଗିବା ସହିତ ପୁନଃ ମୂଲ୍ୟାୟନ ଦାବି କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଉତ୍ତରଖାତାର ଯେଉଁ ପ୍ରତିଲିପି ଦିଆଯାଉଛି ସେଥିରେ ବି ବ୍ୟାପକ ତ୍ରୁଟି ବିଚ୍ୟୁତିର ଅଭିଯୋଗ ଆସୁଛି ।

ଛାତ୍ରଛାତ୍ରୀ ଓ ଚାକିରି ପ୍ରତ୍ୟାଶୀମାନଙ୍କ ଭବିଷ୍ୟତ ସହିତ ଘରୋଇ ସଂସ୍ଥାମାନେ ଜୁଆ ଖେଳୁଛନ୍ତି ବୋଲି ଅନେକ ଅଭିଭାବକ ଖୋଲା ଅଭିଯୋଗ ଆଣିବା ସହିତ ଏହି ପରୀକ୍ଷାଗୁଡ଼ିକର ସରକାରୀ ବୋର୍ଡମାନେ ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭାବେ କରିବା ଲାଗି ଦଳମତ ନିର୍ବିଶେଷରେ ମତ ପ୍ରକାଶ ପାଉଛି । ବହୁ କ୍ଷେତ୍ରରେ ନିଯୁକ୍ତି ପରୀକ୍ଷା ଓ ପ୍ରାର୍ଥୀ ଚୟନରେ ତ୍ରୁଟି ବିଚ୍ୟୁତି ହେଉଥିବା ଅଭିଯୋଗ ଆଣି ଆଇନ୍‍ ଅଦାଲତରେ ମଧ୍ୟ ମାଳମାଳ ମାମଲା ରୁଜୁ ହେଉଛି । ଏମିତିକି ଅଦାଲତଙ୍କ ହସ୍ତକ୍ଷେପ ପରେ ଅନେକ ବଞ୍ôଚତ ପ୍ରାର୍ଥୀ ନିଯୁକ୍ତି ପାଉଥିବା ଓ କେତେକ ସ୍ଥଳରେ ପ୍ରାର୍ଥୀ ଚୟନକାରୀ ସାମ୍ବିଧାନିକ ଓ ସରକାରୀ ସଂସ୍ଥାଙ୍କ ଉପରେ ଅଦାଲତ ମଧ୍ୟ ଆର୍ôଥକ ତଣ୍ଡ ଲାଗୁ କରୁଛନ୍ତି । (ତଥ୍ୟ)