Home Administration ବଦଳି ପାଇଁ ହଟହଟା ହେଉଛନ୍ତି ଶାରୀରିକ ଭିନ୍ନକ୍ଷମ

ବଦଳି ପାଇଁ ହଟହଟା ହେଉଛନ୍ତି ଶାରୀରିକ ଭିନ୍ନକ୍ଷମ

ଭୁବନେଶ୍ୱର : ଶାରିରୀକ ଭିନ୍ନକ୍ଷମ ସରକାରୀ କର୍ମଚାରୀମାନଙ୍କୁ ଅନ୍ୟ କର୍ମଚାରୀଙ୍କ ଭଳି ବଦଳି ନକରିବା ଲାଗି ପୂର୍ବରୁ ବ୍ୟବସ୍ଥା ରହିଆସିଛି । ତେବେ ବହୁ କ୍ଷେତ୍ରରେ ଏହାର ଠିକଣା ଅନୁପାଳନ କରାଯାଉନଥିବାରୁ ଅନେକ ଭିନ୍ନକ୍ଷମ କର୍ମଚାରୀ ବଦଳି ଯୋଗୁଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।

ରାଜ୍ୟ ସରକାରଙ୍କ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଙ୍କଳ୍ପପତ୍ର ମୁତାବକ ଶାରୀରିକ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ସ୍ଥାନର ନିକଟରେ ରଖିବା ଏବଂ ନିହାତି ଦରକାର ହେଲେ ନିଜ ଜିଲ୍ଲା ମଧ୍ୟରେ ବଦଳି ହେବାକଥା । ଏମିତିକି ଯେଉଁ ସରକାରୀ କର୍ମଚାରୀଙ୍କର ପରିବାରରେ ଭିନ୍ନକ୍ଷମ ସନ୍ତାନ କିମ୍ବା ପତି/ପତ୍ନୀ ଆଦି ଥିବେ ସେମାନଙ୍କୁ ବି ସ୍ୱାସ୍ଥ୍ୟ ଓ ଶିକ୍ଷା ଦୃଷ୍ଟିରୁ ଆଖିବୁଜା ବଦଳି କରାଯିବାକଥା ନୁହେଁ । ଯେତେଦୂର ସମ୍ଭବ ଏଭଳି ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ସେମାନଙ୍କ ପସନ୍ଦ ମୁତାବକ ସ୍ଥାନରେ କାର୍ଯ୍ୟ କରିବାପାଇଁ ସୁଯୋଗ ଦିଆଯିବାକଥା ।

ପୂର୍ବରୁ ବିଭିନ୍ନ ବର୍ଷରେ ଜାରି କରାଯାଇଥିବା ରାଜ୍ୟ ସରକାରଙ୍କ ବାର୍ଷିକ ବଦଳି ନୀତିରେ ଭିନ୍ନକ୍ଷମ କର୍ମଚାରୀଙ୍କ ପାଇଁ କୋହଳ ବ୍ୟବସ୍ଥା ରଖାଯାଉଥିବାବେଳେ ୨୨/୦୫/୨୦୨୬ରେ ସରକାରୀ କର୍ମଚାରୀଙ୍କ ବଦଳି ସଂକ୍ରାନ୍ତୀୟ ମାର୍ଗଦର୍ଶିକାରେ କିନ୍ତୁ ଭିନ୍ନକ୍ଷମ କର୍ମଚାରୀଙ୍କ ପ୍ରସଙ୍ଗରେ କିଛି ଉଲ୍ଲେଖ ନାହିଁ । ତେବେ ସର୍ବସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ, ପ୍ରଶାସନିକ କାରଣରୁ ଏବଂ ଅତି କଠିନ ଘଟଣାରେ ବଦଳି କରୁଥିବା ଅଧିକାରୀମାନେ ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରି ଏ କ୍ଷେତ୍ରରେ କୋହଳ ବ୍ୟବସ୍ଥା ଅନୁସରଣ କରିପାରିବେ ବୋଲି ଉଲ୍ଲେଖ କରାଯାଇଛି ।

ଏପ୍ରିଲ ୧୫ରୁ ଜୁନ୍‍ ୧୫ ମଧ୍ୟରେ ସରକାରୀ କର୍ମଚାରୀଙ୍କ ବାର୍ଷିକ ବଦଳି କରାଯିବା ଲାଗି ଏହି ନୀତିରେ ଉଲ୍ଲେଖ ରହିଛି । ତେଣୁ ଅନେକ ବିଭାଗ ଓ ଦପ୍ତରରେ ଏବେ ବାରମ୍ବାର ବିଭିନ୍ନ କ୍ୟାଡର ଲାଗି ବଦଳି ଆଦେଶମାନ ବାହାରୁଛି । ସରକାରଙ୍କ ନୂଆ ବଦଳି ନୀତିରେ ନିର୍ଦ୍ଦିଷ୍ଟ ଭାବେ ଭିନ୍ନକ୍ଷମ କର୍ମଚାରୀଙ୍କ କଥା ଉଲ୍ଲେଖ ନଥିବାରୁ ଏମାନଙ୍କୁ ବି ଅନ୍ୟ କର୍ମଚାରୀଙ୍କ ଭଳି ବଦଳି କରାଯାଉଛି । ଏଥିଘେନି ଅସୁବିଧାର ସମ୍ମୁଖୀନ ହେଉଥିବା ସରକାରୀ କର୍ମଚାରୀମାନେ ସେମାନଙ୍କ ବଦଳି ବାତିଲ ପାଇଁ ଉପରିସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପ୍ରଭାବଶାଳୀ ରାଜନେତାଙ୍କ ପର୍ଯ୍ୟନ୍ତ ବିଭିନ୍ନ ମହଲରେ ଲବି କରୁଛନ୍ତି ।

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଙ୍କଳ୍ପ ଅନୁଯାୟୀ ପ୍ରତ୍ୟେକ ବିଭାଗ ଓ ଦପ୍ତର ସେମାନଙ୍କ ନିୟନ୍ତ୍ରଣରେ ଥିବା ଭିନ୍ନକ୍ଷମ କର୍ମଚାରୀମାନଙ୍କର ସ୍ୱତନ୍ତ୍ର ତାଲିକା ରଖିବାକଥା । କର୍ମଚାରୀଙ୍କ ବଦଳି ବେଳେ ଯେପରି ଏହି ଭିନ୍ନକ୍ଷମ କର୍ମଚାରୀମାନେ ଅସୁବିଧାରେ ନପଡନ୍ତି ତାହାକୁ ସେମାନେ ଅଗ୍ରାଧିକାର ଦେବା ଆବଶ୍ୟକ । କିନ୍ତୁ ବହୁ କ୍ଷେତ୍ରରେ ଏହାର ଖୋଲା ଉଲ୍ଲଙ୍ଘନ ହେଉଛି । ଏମିତିକି କେତେକ କ୍ଷେତ୍ରରେ ଭିନ୍ନକ୍ଷମ କର୍ମଚାରୀମାନେ ବଦଳି ଆଦେଶ ବଦଳାଇବା ଲାଗି ପ୍ରାର୍ଥନା କରି ଆଇନ୍‍ ଅଦାଲତରେ ମଧ୍ୟ ନ୍ୟାୟଭିକ୍ଷା କରୁଛନ୍ତି । ତେବେ ସରକାର ଏ ପ୍ରସଙ୍ଗରେ ସମ୍ବେଦନଶୀଳ ଅଛନ୍ତି ବୋଲି ବିଭିନ୍ନ ବିଭାଗର କେତେକ ଅଧିକାରୀ ଅନୌପଚାରିକ ଭାବେ କହୁଛନ୍ତି । (ତଥ୍ୟ)