ଭୁବନେଶ୍ୱର : ଜମି ଜବରଦଖଲକାରୀମାନେ ପୋଖରୀକୁ ଦଖଲକୁ ନେଇ ଯାଉଛନ୍ତି । ସରକାରୀ କଳର କୋହଳ ମନୋଭାବ ଦେଖି ଖୋଦ୍ ରାଜଧାନୀରେ ଏକାଧିକ ପୋଖରୀକୁ ଏମାନେ କବଜାକୁ ନେଇଥିବା ଜଣାଯାଇଛି ।
ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ଜଳାଶୟ ମଧ୍ୟରୁ କେତୋଟି ଜବରଦଖଲ ହୋଇଛି ସେ ସଂକ୍ରାନ୍ତରେ ମିଳିଥିବା ସୂଚନା ଜଣାଯାଇଛି ଯେ ଏହି ତାଲିକାରେ ଭୁବନେଶ୍ୱର ମହାନଗର ନିଗମର ତିନିଟି ପୋଖରୀ ରହିଛି । ଏଗୁଡିକ ହେଲା ଜଳେଶ୍ୱର ପୋଖରୀ, ନନ୍ଦ କିଶୋର ପୋଖରୀ ଓ ଚନ୍ଦନ ପୋଖରୀ । ଏହିସବୁ ପୋଖରୀ ଜମିକୁ ଜବରଦଖଲକାରୀମାନେ ମାଡି ବସିଥିବାବେଳେ ତାହାକୁ ମୁକୁଳାଇବାକୁ ଏବେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । କେବଳ ପୋଖରୀ ନୁହେଁ ସହରରେ ଥିବା ମୁଖ୍ୟ ନାଳକୁ ବି ଏମାନେ କବଜାକୁ ନେଇ ସେଠାରେ ନିର୍ମାଣ କାର୍ଯ୍ୟ କରିଛନ୍ତି । ଏହି ଜବରଦଖଲ ମୁକ୍ତ ହେଲାପରେ ମୁଖ୍ୟ ନାଳର କାର୍ଯ୍ୟ କରାଯିବ ବୋଲି ଜଣାଯାଇଛି ।
ତେବେ କଟକ ମହାନଗର ନିଗମ ହାତରେ ୯ଟି ପୋଖରୀର ପରିଚାଳନା ଦାୟିତ୍ୱ ଥିବାବେଳେ ଏଠାରେ ଜବରଦଖଲ ହୋଇନାହିଁ । ସେହିଭଳି କଟକର ୨୩୧ଟି ପୋଖରୀ ଘରୋଇ ମାଲିକାନାରେ ରହିଛି । ଏହିସବୁ ଜଳାଶୟକୁ ଜବରଦଖଲ ମୁକ୍ତ କରିବାପାଇଁ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ନିୟମିତ ଭାବେ ଅଭିଯାନ ଚଳାଯାଉଛି ।
ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଥିବା ଜଳାଶୟ ମଧ୍ୟରୁ ୮ଟିର ଜବରଦଖଲ ହୋଇଛି । ଏଗୁଡିକୁ ମିଳିତ ଅଭିଯାନ ଜରିଆରେ ଜବରଦଖଲମୁକ୍ତ କରାଯାଇଛି । ଏହି ମହାନଗର ନିଗମ ଅଞ୍ଚଳରେ ଥିବା ନାଳଗୁଡିକୁ ସଫା କରିବାପାଇଁ ନିୟମିତ ପଦକ୍ଷେପ ନିଆଯାଉଥିବାବେଳେ ଏଗୁଡିକ କିଭଳି ଜବରଦଖଲ ନହେବ ତାହା ଉପରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି ।
ଏହିସବୁ ମହାନଗର ନିଗମ ବ୍ୟତିତ କୋଟପାଡ, ଜି. ଉଦୟଗିରି ପୌରପାଳିକା, ଜୟପୁରର ଜଗନ୍ନାଥ ସାଗର ଜବରଦଖଲ ହୋଇଥିବାବେଳେ ଭବାନୀପାଟଣାରେ ୪ଟି ଜଳାଶୟକୁ ମଧ୍ୟ ଜବଦରଖଲକାରୀମାନେ କବଜା କରିଛନ୍ତି । ସେହଭଳି ଜଗତ୍ସିଂହପୁର ପୌରାଞ୍ଚଳରେ ଥିବା ଘୋଷା ପୋଖରୀ ମଧ୍ୟ ଜବରଦଖଲ ହୋଇଥିବା ଜଣାଯାଇଛି ।
ସହରାଞ୍ଚଳରେ ଥିବା ଜଳାଶୟଗୁଡିକୁ ଅମୃତ ଯୋଜନାରେ ପୁନରୁଦ୍ଧାର କରାଯାଉଥିବାବେଳେ ରାଜଧାନୀ ଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟାନ୍ୟ ପୌରାଞ୍ଚଳରେ ଜଳାଶୟଗୁଡିକ କିଭଳି ଜବଦରଖଲ ହୋଇଯାଉଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଜବରଦଖଲକାରୀମାନଙ୍କୁ ତୁରନ୍ତ ହଟାଇବା ସହିତ ଜଳାଶୟଗୁଡିକୁ ମୁକ୍ତ କରିବାପାଇଁ ମତପ୍ରକାଶ ପାଉଛି ।
ସହରାଞ୍ଚଳରେ ଜବରଦଖଲ ହେଉଥିବା ମୂଲ୍ୟବାନ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବାପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରୁଥିବାବେଳେ ଜଳାଶୟ ଓ ନାଳଗୁଡିକରୁ କିନ୍ତୁ ଜବରଦଖଲ ସହଜରେ ହଟାଯାଇ ପାରୁନାହିଁ । ଫଳରେ ରାଜଧାନୀ ସମେତ ଅନ୍ୟାନ୍ୟ ସହରାଞ୍ଚଳରେ ଥିବା ଜଳାଶୟ, ବଡବଡ ନାଳ ଆଖପାଖରେ ଥିବା ସରକାରୀ ଜମିଗୁଡିକୁ ଜବରଦଖଲକାରୀମାନେ ସହଜରେ ମାଡି ବସୁଛନ୍ତି । (ତଥ୍ୟ)

