Home Excise ଅବକାରୀ ମାମଲାରେ ଚଢ଼ଉ ପ୍ରବଳ, ଦଣ୍ଡ ଦୁର୍ବଳ

ଅବକାରୀ ମାମଲାରେ ଚଢ଼ଉ ପ୍ରବଳ, ଦଣ୍ଡ ଦୁର୍ବଳ

ଭୁବନେଶ୍ୱର : ଓଡ଼ିଶାରେ ନିଶା ପ୍ରସାର ଉଦବେଗଜନକ ଭାବେ ବଢ଼ି ଚାଲିବା ସହ ତାଳ ଦେଇ ଅବକାରୀ ମାମଲା ସଂଖ୍ୟା ବି ବଢ଼ୁଛି । ବେଆଇନ୍‍ ଓ ଚୋରା ନିଶା କାରବାର ବିରୋଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି କହୁଥିବାବେଳେ ବାସ୍ତବରେ କିନ୍ତୁ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି । ଏଥିଯୋଗୁ ଚୋରା ନିଶା ବେପାରୀଙ୍କ କାହାକୁ ଡର ଭୟ ଥିବାଭଳି ମନେ ହେଉନାହିଁ ।

୨୦୨୦-୨୧ରୁ ୨୦୨୪-୨୫ ବର୍ଷ ଭିତରେ ମୋଟ ଅବକାରୀ ମାମଲାର ମାତ୍ର ୧୮.୧୬ ପ୍ରତ୍‍ିଶତ ଫଇସଲା ହୋଇଥିବାବେଳେ ଏଥିରେ ଦଣ୍ଡବିଧାନ ହାର ୧ ପ୍ରତିଶତରୁ କମ୍‍ ରହୁଥିବା ସରକାରୀ ପରିସଂଖ୍ୟାନରୁ ଜଣାପଡିଛି । ଏହି ବର୍ଷଗୁଡ଼ିକରେ ୩,୧୮,୭୭୦ଟି ଅବକାରୀ ମାମଲା ବିଭିନ୍ନ ଅଦାଲତରେ ବିଚାର ପାଇଁ ରହିଥିବାବେଳେ ଏଥିରୁ ୫୭,୬୮୬ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି । ମାତ୍ର ୨୨୧ଟି ଅବକାରୀ ମାମଲାରେ ଦଣ୍ଡବିଧାନ କରାଯାଇଥିବା ଜଣାପଡିଛି ।

୧୦ଟି ଅବକାରୀ ଜିଲ୍ଲାରେ ଏହି ୫ବର୍ଷରେ ଗୋଟିଏ ହେଲେ ମାମଲାରେ ଦଣ୍ଡବିଧାନ କରାଯାଇନାହିଁ । ରାଜ୍ୟରେ ଥିବା ୪ଟି ଅବକାରୀ ଗୁଇନ୍ଦା ଓ ଏନ୍‍ଫୋର୍ସମେଣ୍ଟ ବ୍ୟୁରୋର ଗୋଟିଏ ହେଲେ ମାମଲାରେ ବି ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ ଦଣ୍ଡବିଧାନ ହୋଇନଥିବା ସରକାରୀ ତଥ୍ୟରୁ ଜଣାପଡିଛି । ସେହିଭଳି ଭୁବନେଶ୍ୱର, ଖୋର୍ଦ୍ଧା, ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ପୁରୀ, ରାୟଗଡ଼ା, ରାଉରକେଲା, ସମ୍ବଲପୁର, ସୁବର୍ଣ୍ଣପୁର ଆଦି ଅବକାରୀ ଜିଲ୍ଲାଗୁଡ଼ିକରେ ଏହି ବର୍ଷଗୁଡ଼ିକରେ ଦଣ୍ଡବିଧାନ ହାର ଶୂନ୍ୟ ରହିଥିବାବେଳେ ମାଳମାଳ ମାମଲାରେ କିନ୍ତୁ ଅଭିଯୁକ୍ତମାନେ ଖସିଯାଇଛନ୍ତି ।

ଅତୀତରେ ୨୦୧୫-୧୬ରୁ ୨୦୧୭-୧୮ ବର୍ଷ ମଧ୍ୟରେ ବି ୨୩ଟି ଜିଲ୍ଲାରେ ଗୋଟିଏ ହେଲେ ଅବକାରୀ ମାମଲାରେ ଦଣ୍ଡବିଧାନ ହୋଇନଥିଲା ଏବଂ ଯେତିକି ବି ଦଣ୍ଡବିଧାନ କରାଯାଇଥିଲା ତା’ର ପରିମାଣ ୦.୩୬ ପ୍ରତିଶତରୁ ୩.୬୨ ପ୍ରତିଶମ ମଧ୍ୟରେ ସୀମିତ ଥିଲା । ଭାରତବର୍ଷର ମହାଲେଖାକାର ତାଙ୍କର ଏକ ରିପୋର୍ଟରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର କମ୍‍ ରହୁଥିବା ଘେନି ଉଦ୍‍ବେଗ ପ୍ରକାଶ କରିବା ସହିତ ଏହା ଅଭିଯୁକ୍ତମାନଙ୍କୁ ଏକ ପ୍ରକାର ଉତ୍ସାହିତ କରୁଛି ବୋଲି ଉଲ୍ଲେଖ କରିଥିଲେ । ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ସିଏଜିଙ୍କ ଏହି ରିପୋର୍ଟରେ ଅବକାରୀ ମାମଲା ପରିଚାଳନା କ୍ଷେତ୍ରରେ ବିଭାଗୀୟ ଅଫିସରମାନଙ୍କର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠାଯାଇଥିଲା ।

ଅଭିଜ୍ଞ ଆଇନ୍‍ଜୀବୀମାନେ କହୁଛନ୍ତି ଯେ ଅବକାରୀ ବିଭାଗର ଚଢ଼ଉ ପ୍ରବଳ ଥିବାବେଳେ ମାମଲା କିନ୍ତୁ ଅତି ଦୁର୍ବଳ । ଅଭିଯୋଗ ଫର୍ଦ୍ଦ ଦାଖଲରେ ତ୍ରୁଟି ବିଚ୍ୟୁତି, ଅଭିଯୋଗ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ଅଦାଲତରେ ବହୁ କ୍ଷେତ୍ରରେ ସାକ୍ଷ୍ୟ-ପ୍ରମାଣ ଠିକଣା ଭାବେ ଉପସ୍ଥାପନ କରାନଯିବା, ମାମଲା ପରିଚାଳନାରେ ତ୍ରୁଟି, ଜବତ ଅବକାରୀ ସାମଗ୍ରୀକୁ ବହୁ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା କରାଯାଉନଥିବା ଏମିତିକି ଅଦାଲତରେ ଏହା କେତେକ କ୍ଷେତ୍ରରେ ଉପସ୍ଥାପନ କରିବାରେ ବିଭାଗୀୟ କର୍ତ୍ତୃପକ୍ଷ ବିଫଳ ହେଉଥିବା ଏବଂ ସର୍ବୋପରି ଅବକାରୀ ମାମଲାରେ ସରକାରଙ୍କ ପକ୍ଷରୁ ଯେତେ ସାକ୍ଷୀ ଦିଆଯାଉଛି ସେମାନେ ଅଭିଯୋଗ ସଂପର୍କରେ ଅଜ୍ଞ ଥିବା ଘେନି ଅଦାଲତରେ ବୟାନ ଦେବା ଆଦି ବିଭିନ୍ନ କାରଣରୁ ଅବକାରୀ ମାମଲାଗୁଡ଼ିକରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି । (ତଥ୍ୟ)