Home Agriculture ଏଲ୍ ନିନୋ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ

ଏଲ୍ ନିନୋ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର :  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ରାଜ୍ୟରେ ସ୍ଵାଭାବିକଠାରୁ କମ୍ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଏବଂ ଏଲ୍ ନିନୋ ର ପ୍ରଭାବ ନେଇ କରାଯାଇଥିବା ଆକଳନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଏକ ଉଚ୍ଚସ୍ତରୀୟ ଭର୍ଚ୍ଚୁଆଲ୍ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଆସନ୍ତା ଖରିଫ୍ ୨୦୨୬ ଋତୁ ପାଇଁ ବ୍ୟାପକ ଭାବେ କୃଷି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓ ପ୍ରସ୍ତୁତି ରଣନୀତି ଉପରେ ଆଲୋଚନା କରାଯାଇଛି।

ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନଗୁଡ଼ିକୁ ସମ୍ବୋଧିତ କରି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଆସନ୍ତା ଋତୁରେ ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ବିଭାଗ, ଜିଲ୍ଲା କର୍ତ୍ତୃପକ୍ଷ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ନିଜ ନିଜ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ରାଜ୍ୟ ବିହନ ନିଗମ ର ପରିଚାଳନା ନିର୍ଦ୍ଦେଶକ ଜୁନ୍ ୨୦୨୬ ପ୍ରଥମ ସପ୍ତାହ ସୁଦ୍ଧା ପ୍ରମାଣିତ ବିହନର ସମୟାନୁବର୍ତ୍ତୀ ବଣ୍ଟନ ସୁନିଶ୍ଚିତ କରିବେ, ଯେଉଁଥିରେ ଦୁର୍ଗମ ଏବଂ ସଂକଟାପନ୍ନ ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ଦିଆଯିବ।

କମ୍ ବର୍ଷା ଆଶଙ୍କା ଥିବା ଅଞ୍ଚଳରେ କର୍ତ୍ତୃପକ୍ଷ ପର୍ଯ୍ୟାପ୍ତ ପରିମାଣର ଯୋଗାଣ ସୁନିଶ୍ଚିତ କରିବା ସହ ସ୍ୱଳ୍ପ ଓ ମଧ୍ୟମ ଅବଧି ବିଶିଷ୍ଟ ଧାନ, ଡାଲିଜାତୀୟ, ତୈଳବୀଜ ଏବଂ ମାଣ୍ଡିଆ/କ୍ଷୁଦ୍ର ଶସ୍ୟ (ମିଲେଟ୍) ବିହନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବେ।

ଉଚ୍ଚ ଜମି ଏବଂ ବର୍ଷା ନିର୍ଭରଶୀଳ ଅଞ୍ଚଳରେ ଫସଲ ବିବିଧକରଣକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିବାକୁ ଜିଲ୍ଲା କୃଷି ଦଳକୁ ନିର୍ଦ୍ଦେଶ ଦିଆଯାଇଛି। ମୌସୁମୀ ଆସିବାରେ ବିଳମ୍ବ ହେଲେ ‘କମ୍ୟୁନିଟି ନର୍ସରୀ’ ବ୍ୟବସ୍ଥା ଗ୍ରହଣ କରାଯିବ।

ଯେକୌଣସି ପାଣିପାଗ ଜନିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଧାନ, ଡାଲି ଏବଂ ତୈଳବୀଜ ବିହନ ସଂରକ୍ଷିତ ରଖାଯିବ।

ମାର୍କଫେଡ୍ ପ୍ୟାକ୍ସ ଏବଂ ଲ୍ୟାମ୍ପସ ମାଧ୍ୟମରେ ଚାଷୀଙ୍କ ପାଖରେ ସାରର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରାଯିବ। ବିଶ୍ୱ ବଜାରର ଅନିଶ୍ଚିତତା ସତ୍ତ୍ୱେ ସାର କମ୍ପାନୀଗୁଡ଼ିକ ଦ୍ୱାରା ସାର ଯୋଗାଣ ଅବ୍ୟାହତ ରହିବ।

କ୍ଷେତ୍ର ସ୍ତରୀୟ କର୍ମଚାରୀମାନେ ବ୍ୟକ୍ତିଗତ ‘ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ’ ଆଧାରରେ ସନ୍ତୁଳିତ ଏବଂ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା, ସବୁଜ ସାରର ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତିକୁ ପ୍ରୋତ୍ସାହିତ କରିବେ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅଧିକରୁ ଅଧିକ ଚାଷୀଙ୍କ ନାମାଙ୍କନ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ଚାଷୀଙ୍କ ଆର୍ଥିକ ବୋଝ ହ୍ରାସ କରିବା ପାଇଁ ଓଡ଼ିଶା ସରକାର ଚାଷୀଙ୍କ ଭାଗର ସମ୍ପୂର୍ଣ୍ଣ ପ୍ରିମିୟମ୍ (ଚାଷୀ ପ୍ରତି ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ) ନିଜେ ବହନ କରୁଛନ୍ତି, ଯେଉଁଥିପାଇଁ ଆବେଦନକାରୀଙ୍କୁ ମାତ୍ର ୧/- ଟଙ୍କାର ଟୋକନ୍ ଦେୟ ଦେବାକୁ ପଡ଼ିବ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏହାର କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ମାଧ୍ୟମରେ ସମୟୋପଯୋଗୀ, ଆଞ୍ଚଳିକ ଭିତ୍ତିକ ଏବଂ ପାଣିପାଗ ଆଧାରିତ କୃଷି ପରାମର୍ଶ ପ୍ରଦାନ କରିବ। ଓୟୁଏଟି ରୋଗପୋକ ପରିଚାଳନା ଏବଂ ପ୍ରତିକୂଳ ପରିସ୍ଥିତି ସହନଶୀଳ ଫସଲ କିସମ ପାଇଁ ବୈଷୟିକ ସହାୟତା ମଧ୍ୟ ଯୋଗାଇଦେବ।

ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଓୟୁଏଟି କୁଳପତି ଡକ୍ଟର ପ୍ରଭାତ କୁମାର ରାଉଳ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, ଆଇଏମଡି ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାପାତ୍ର, ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଏବଂ ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।