Home News in Odia ଇଭି କମ୍ପାନୀ ମାଲେମାଲ୍‍

ଇଭି କମ୍ପାନୀ ମାଲେମାଲ୍‍

ଭୁବନେଶ୍ୱର : ରାଜଧାନୀରେ ଦେଖା ଦେଇଥିବା ଦୁଇ ଦିନିଆ ତୈଳ ସଙ୍କଟ ଏବେ ବୈଦ୍ୟୁତିକ ଯାନ (ଇଭି) କମ୍ପାନୀଗୁଡିକୁ ମାଲେମାଲ କରିଛି । ଏଥି ସହିତ ନିୟମିତ ଭାବେ ତୈଳ ଦର ବୃଦ୍ଧି ମଧ୍ୟ ସେମାନଙ୍କ ବେପାର ବଢାଇଛି ।

ତୈଳ ସଙ୍କଟର ଗୁଜବ ପ୍ରଚାର ପରେ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଲୋକେ ଆତଙ୍କିତ ହୋଇ ପଡିଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ତୈଳ ସଞ୍ଚୟ ସହିତ ଇଭି ବ୍ୟବହାର ପାଇଁ ପରାମର୍ଶ ଦେଇଥିବାରୁ ଲୋକେ ନିଜ ନିଜ ଗାଡିରେ ତେଲ ପକାଇବାକୁ ଟାଙ୍କିକୁ ଧାଇଁବା ସହିତ ଇଭି ଯାନ ବିଶେଷକରି ଦୁଇ ଚକିଆ ଇଭି କିଣିବାପାଇଁ ବିଭିନ୍ନ କମ୍ପାନୀର ସୋ ରୁମ୍‍କୁ ଧାଇଁଥିଲେ ।

ଅବସ୍ଥା ଏଭଳି ହୋଇଛି ଯେ ବର୍ତ୍ତମାନ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଏବେ ଚାହିଦା ଅନୁଯାୟୀ ଦୁଇ ଚକିଆ ଇଭି ଯାନ ଅଭାବ ପରିଲକ୍ଷିତ ହୋଇଛି । ଯେଉଁମାନେ ଇଭି କିଣିବାକୁ ଚାହୁଁଛନ୍ତି ସେମାନଙ୍କୁ ବୁକିଂ କରି ଅପେକ୍ଷା ଲାଗି କୁହାଯାଉଛି । କାହାକୁ ମାସେ ତ କାହାକୁ ଦୁଇ ମାସ ସମୟ ଲାଗିବ ବୋଲି କୁହାଯାଉଛି । ଏହା ସତ୍ୱେ ବି ଲୋକେ ତେଲ ଦରବୃଦ୍ଧିରୁ ରକ୍ଷା ପାଇବାକୁ ଇଭି ବୁକିଂ କରିବାରେ ଲାଗିଛନ୍ତି ।

ଉଲ୍ଲେଖନୀୟ ନେ ଚଳିତ ମାସରେ ଦେଖା ଦେଇଥିବା ତୈଳ ସଙ୍କଟ ପୂର୍ବରୁ ବିଭିନ୍ନ କମ୍ପାନୀର ଇଭି ସୋରୁମ୍‍ରେ ପର୍ଯ୍ୟାପ୍ତ ସଂଖ୍ୟକ ଦୁଇ ଚକିଆ ଇଭି ରହୁଥିଲା । ଅବସ୍ଥା ଏଭଳି ହୋଇଥିଲା ଲୋକଙ୍କୁ ଇଭି କିଣିବାପାଇଁ କମ୍ପାନୀ ପକ୍ଷରୁ ବୁଝାଯାଉଥିଲା । ଯେଉଁମାନେ ପେଟ୍ରୋଲ ଯାନ କିଣିବାକୁ ଯାଉଥିଲେ ସେମାନଙ୍କୁ ଇଭିର ଲାଭକାରିତା ବିଷୟରେ କମ୍ପାନୀ କର୍ତ୍ତୃପକ୍ଷ ବୁଝାଇବା ସହିତ କ’ଣ ରିହାତି ବ୍ୟବସ୍ଥା ରହିଛି ତାହା କହୁଥିଲେ । ଏବେ ରିହାତି ଦେବା ତ ଦୂରରକଥା ଗ୍ରାହକଙ୍କ କଥା ଶୁଣିବାକୁ ବିକ୍ରେତାମାନଙ୍କୁ ସମୟ ମିଳୁନାହିଁ ।

ଏଠାରେ ଉଲ୍ଲେଖ କରାଯାଇପାରେ ଲୋକଙ୍କ ମଧ୍ୟରେ ଇଭି ଯାନକୁ ଲୋକପ୍ରିୟ କରିବାପାଇଁ ସମସ୍ତ ବର୍ଗର ଇଭି ଯାନ ଉପରେ ସରକାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । କିଲୋୱାଟ ପିଛା ପ୍ରୋତ୍ସାହନ ରାଶି ମିଳୁଥିବାରୁ ଗୋଟିଏ ଗୋଟିଏ ଦୁଇ ଚକିଆ ଯାନରେ ଗ୍ରାହକମାନେ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ପାଉଛନ୍ତି । ଚାରିଚକିଆ ଯାନ ଉପରେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଛି । ଏହାଛଡା ଇଭି ଯାନର ପଞ୍ଜିକରଣ ଓ ସଡକ ଟିକସ ବି ଛାଡ କରାଯାଇଛି ।

ଗତ ଦଶ ଦିନ ହେଲା ଲଗାତାର ଭାବେ ପ୍ରେଟ୍ରୋଲ ଦର ବୃଦ୍ଧି ପାଉଥିବାବେଳେ ଏହା ଲିଟର ପିଛା ୧୨୦ ଟଙ୍କାକୁ ଟପିବ ବୋଲି ପୂର୍ବାନୁମାନ କରାଗଲାଣି । ଲୋକଙ୍କ ଭିତରେ ତୈଳଦର ବୃଦ୍ଧିକୁ ନେଇ ବି ଆତଙ୍କ ଦେଖା ଦେଇଛି । ଫଳରେ ବହୁ ସଂଖ୍ୟକ ଲୋକେ ଏବେ ଇଭି ମୁହାଁ ହୋଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ଥିବା ବିଭିନ୍ନ ଇଭି କମ୍ପାନୀଗୁଡିକ ଭଲ ବ୍ୟବଦାୟ କରିବାର ଲକ୍ଷ୍ୟ ରଖିଥିବାବେଳେ ଗ୍ରାହକମାନଙ୍କୁ କିନ୍ତୁ ଗାଡି ଯୋଗାଇବାକୁ ନାକେଦମ ହେଉଛନ୍ତି । (ତଥ୍ୟ)