ଭୁବନେଶ୍ୱର : ରାଜ୍ୟରେ ବଢି ଚାଲିଛି ବୃଦ୍ଧାଶ୍ରମ ସଂଖ୍ୟା । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪୨ଟି ବୃଦ୍ଧାଶ୍ରମ ଥିବାବେଳେ ଚାହିଦାକୁ ଦୃଷ୍ଟିରେ ରଖି ଆଉ ୬ଟି ବୃଦ୍ଧାଶ୍ରମକୁ କେନ୍ଦ୍ରୀୟ ମଞ୍ଜୁରୀପାଇଁ ରାଜ୍ୟ ସରକାର ସୁପାରିଶ୍ କରିଛନ୍ତି ।
ଗୋଟିଏ ପଟେ ରାଜ୍ୟରେ ବୁଢା ବୁଢୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ସେମାନଙ୍କ ସନ୍ତାନ ସନ୍ତତିମାନେ ନିଜ ପାଖରେ ସେମାନଙ୍କୁ ରଖିବାକୁ ରାଜି ହେଉନାହାନ୍ତି । କୌଣସି ପ୍ରକାରେ ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡି ଦାୟିତ୍ୱମୁକ୍ତ ହେଉଛନ୍ତି । ଫଳରେ ରାଜ୍ୟରେ ବୃଦ୍ଧାଶ୍ରମ ସଂଖ୍ୟା ବଢିବାରେ ଲାଗିଛି ।
ସରକାରୀ ହିସାବରେ ରାଜ୍ୟରେ ଏବେ ୧୪୨ଟି ବୃଦ୍ଧାଶ୍ରମ ରହିଛି । ଏଥିରୁ ୮୮ଟି କେନ୍ଦ୍ର ସରକାରଙ୍କ ଅନୁଦାନରେ ଚାଲୁଛି । ଏହିସବୁ ବୃଦ୍ଧାଶ୍ରମକୁ କେନ୍ଦ୍ର ସରକାର ପରିଚାଳନା ବାବଦରେ କେତେ ଅର୍ଥ ପ୍ରଦାନ କରୁଛନ୍ତି ତାହାର ହିସାବ ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ତେବେ ରାଜ୍ୟ ସରକାରଙ୍କ ଅନୁଦାନରେ ମଧ୍ୟ ଅବଶିଷ୍ଟ ବୃଦ୍ଧାଶ୍ରମ ଚାଲିଛି । ଏଥି ମଧ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ଓ ଅନ୍ୟାନ୍ୟ ଉତ୍ସରୁ ଅର୍ଥ ଯୋଗାଇ ଦିଆଯାଉଛି । ବେସରକାରୀ ସଂସ୍ଥାମାନେ ଏହିସବୁ ବୃଦ୍ଧାଶ୍ରମକୁ ପରିଚାଳନା କରୁଛନ୍ତି ।
ଗୋଟିଏ ବୃଦ୍ଧାଶ୍ରମ ଚଳାଇବାପାଇଁ ବେସରକାରୀ ସଂସ୍ଥାଗୁଡିକୁ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଉଛନ୍ତି । କେତେକ ସ୍ଥାନରେ ଏହା ବାର୍ଷିକ ୧୨ଲକ୍ଷରୁ ଅଧିକ ରହିଥିବାବେଳେ ଆଉ କେତେକ ସ୍ଥାନରେଏହା ୧୫ଲକ୍ଷ ଟଙ୍କାରୁ ଅଧିକ ରହିଛି । ଏହି ଅର୍ଥରେ ବେସରକାରୀ ସଂସ୍ଥାମାନେ ବୃଦ୍ଧାଶ୍ରମ ପରିଚାଳନା କରୁଥିବାବେଳେ ଏଥିରେ ଆଶ୍ରମର ଅନ୍ତେବାସୀମାନଙ୍କର ଖାଦ୍ୟ, ପୋଷାକ, ଚିକିତ୍ସା ଆଦି ଅର୍ନ୍ତଭୁକ୍ତ ରହିଛି ।
ଇତି ମଧ୍ୟରେ ରାଜ୍ୟରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଚଳିତବର୍ଷ ପୁରୀ, ଗଞ୍ଜାମ, ସମ୍ବଲପୁର, କନ୍ଧମାଳ ଜିଲ୍ଲାରେ ସମନ୍ୱିତ ଭିତ୍ତିଭୂମି ପ୍ରକଳ୍ପରେ ୫୦ ଶଯ୍ୟା ବିଶିଷ୍ଟ ୫ଟି ବୃଦ୍ଧାଶ୍ରମ ଖୋଲିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହିଭଳି ଅନୁଗୁଳ, ବରଗଡ, ମାଲକାନଗିରି ଓ ସୁନ୍ଦରଗଡ ଜିଲ୍ଲାରେ ୬ଟି ବୃଦ୍ଧାଶ୍ରମକୁ ଅନୁଦାନ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ୍ କରିଛନ୍ତି । କେନ୍ଦ୍ର ସରକାର ସୁପାରିଶ୍ ପ୍ରଦାନ କଲେ ରାଜ୍ୟରେ ବୃଦ୍ଧାଶ୍ରମ ସଂଖ୍ୟା ଆହୁରି ବୃଦ୍ଧି ପାଇବ ।
ଉଲ୍ଲେଖନୀୟ ଯେ ପରିବାରର ବୟସ୍କ ସଦସ୍ୟମାନଙ୍କୁ ସେମାନଙ୍କ ପରିଣତ ବୟସରେ ନିଜ ପାଖରେ ନରଖିବାର ଧାରା ଉପକୂଳ ଓଡିଶାରୁ ଧିରେ ଧିରେ ଆଦିବାସୀ ଅଞ୍ଚଳକୁ ବ୍ୟାପିପାରେ ଲାଗିଲାଣି । ଫଳରେ ସେହିସବୁ ଜିଲ୍ଲାରେ ଗୁଡିକରେ ମଧ୍ୟ ଆଗାମୀ ଦିନରେ ବୃଦ୍ଧାଶ୍ରମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବୟସ୍କ ଲୋକମାନଙ୍କୁ ଯଦିଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଯୋଜନାରେ ମାସକୁ ମାସ ଭତ୍ତା ପ୍ରଦାନ କରୁଛନ୍ତି କିନ୍ତୁ ତାହା ଜଣେ ବ୍ୟକ୍ତିଙ୍କର ଚଳିବାପାଇଁ ପର୍ଯ୍ୟାପ୍ତ ହେଉନାହିଁ । ଫଳରେ ଯେଉଁ ବୟସ୍କଙ୍କ ପିଲାମାନେ ସେମାନଙ୍କୁ ନିଜ ପାଖରେ ରଖିବାକୁ ରାଜି ହେଉନାହାନ୍ତି ସେମାନେ ବାଧ୍ୟହୋଇ ଅବଶିଷ୍ଟ ଜୀବନ ବୃଦ୍ଧାଶ୍ରମରେ କାଟିବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)

