Home General ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି ଦାରାର ମୁକ୍ତି

ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି ଦାରାର ମୁକ୍ତି

ଭୁବନେଶ୍ୱର : ଏକଦା ଆନ୍ତର୍ଜାତିକ ସ୍ତରରେ ହଇଚଇ ସୃଷ୍ଟି କରିଥିବା ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍‍ ଷ୍ଟେନସ୍‍ ଏବଂ ତାଙ୍କ ଦୁଇ ଶିଶୁ ପୁତ୍ର ତିମୋଥି ଓ ଫିଲିପ୍‍ଙ୍କୁ ଜୀଅନ୍ତା ପୋଡ଼ି ମାରିବା ଘଟଣାରେ କାରାରୁଦ୍ଧ ଥିବା ମୁଖ୍ୟ ଆସାମୀ ରବୀନ୍ଦ୍ର କୁମାର ପାଲ୍‍ ଓରଫ୍‍ ଦାରା ସିଂ କାରାମୁକ୍ତ ହେବେ ନା କାରାଗାରର କାଳକୋଠରୀ ଭିତରେ ଜୀବନର ଅବଶିଷ୍ଟ ସମୟ କଟାଇବେ ତାହା ନିର୍ଭର କରୁଛି ରାଜ୍ୟ ସରକାରଙ୍କ ଉପରେ ।

ଏଠାରେ ଉଲ୍ଲେଖନୀୟ ଯେ ୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲାରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଷ୍ଟେନସ୍‍ ଓ ତାଙ୍କ ଦୁଇ ଶିଶୁପୁତ୍ର ମନୋହରପୁର ଗାଁରେ ଗାଡ଼ିରେ ରାତିରେ ଶୋଇଥିବାବେଳେ ସେମାନଙ୍କୁ ଗାଡ଼ି ସହ ଜାଳିପୋଡ଼ି ମାରିଦିଆଯାଇଥିଲା । ଏହି ଅଭାବନୀୟ ହତ୍ୟାକାଣ୍ଡ ଘେନି ସେତେବେଳେ ଓଡ଼ିଶା ସମେତ ସାରା ଦେଶରେ ଏବଂ ବିଦେଶର ବହୁ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବ୍ୟାପକ ଚଢ଼ଉ ପରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂକୁ ଗିରଫ କରାଯାଇଥିଲା । ଏହି ଘଟଣାର ତଦନ୍ତ ଓ ପରିଚାଳନା ଦାୟିତ୍ୱ ସିବିଆଇ ନେଇଥିଲା ।

ଏହି ସ୍ପର୍ଶକାତର ମାମଲାରେ ସିବିଆଇ ଅଦାଲତ ଯେଉଁମାନଙ୍କ ପ୍ରତି ଦଣ୍ଡବିଧାନ କରିଥିଲା ସେମାନେ ପରବର୍ତ୍ତୀ ସମୟରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଦାରା ସିଂ ଓ ତା’ର ଅନ୍ୟତମ ସହଅଭିଯୁକ୍ତ ମହେନ୍ଦ୍ର ହେମ୍ବ୍ରମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଥିଲା । ଅନ୍ୟମାନେ ଇତିମଧ୍ୟରେ କାରାମୁକ୍ତ ହୋଇସାରିଥିବାବେଳେ ସହ ଅପରାଧୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ରାଜ୍ୟ ସରକାର ରାଜକ୍ଷମା ପ୍ରଦାନ କରି କାରମୁକ୍ତ କରିଛନ୍ତି । ଏହାପରଠାରୁ କେନ୍ଦୁଝର ଜେଲ୍‍ରେ ସଜ୍ଜା କାଟୁଥିବା ଦାରା ସିଂଙ୍କ କାରାମୁକ୍ତି ଘେନି ଚର୍ଚ୍ଚା ଚାଲିଛି ।

ଦାରା ସିଂଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବା ସହିତ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ଚାଲିଛି । ୨୦୨୪ ମସିହାରୁ ଏହି ମାମଲାରେ ରାଜ୍ୟ ସରକାର ବାରମ୍ବାର ସମୟ ଗଡ଼ାଇ ଚାଲିଛନ୍ତି । ଚଳିତ ମାସ ୧୩ ତାରିଖରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠରେ ଏହି ମାମଲା ଶୁଣାଣି ପାଇଁ ଆସିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦଣ୍ଡ ପୁନଃ ସମୀକ୍ଷା ବୋର୍ଡ ବୈଠକ ଚଳିତମାସ ୨୬ ତାରିଖରେ ଅନୁଷ୍ଠିତ ହୋଇ ଏ ସଂକ୍ରାନ୍ତରେ ପଦକ୍ଷେପ ନିଆଯିବ ବୋଲି । ତଦନୁଯାୟୀ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଗ୍ରୀଷ୍ମାବକାଶ ପରେ ଜୁଲାଇ ୧୪ରେ କରାଯିବ ବୋଲି ସ୍ଥିର କରିଛନ୍ତି ।

ପୂର୍ବରୁ ବିଲ୍‍କିସ୍‍ ବାନୋ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ଜଣ ଅପରାଧୀଙ୍କୁ ଗୁଜରାଟ ସରକାର ଦଣ୍ଡ ପୁନଃ ସମୀକ୍ଷା ବୋର୍ଡର ସୁପାରିସ ଆଧାରରେ ରାଜକ୍ଷମା ପ୍ରଦାନ କରି କାରାମୁକ୍ତ କରିଥିଲେ । ଏହି ଘଟଣାରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୁଣି ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଅଦାଲତଙ୍କ ହସ୍ତକ୍ଷେପ ପରେ ଅଭିଯୁକ୍ତମାନଙ୍କୁ ପୁଣି କାରାଗାରକୁ ଫେରାଇ ନିଆଯାଇଥିଲା ।
ଦାରା ସିଂ ପ୍ରାୟ ୨୬ବର୍ଷ ଧରି କାରାଗାରରେ ବନ୍ଦୀ ରହିଛନ୍ତି । ଆଜୀବନ କାରାଦଣ୍ଡ ପାଇଥିବା ବହୁ ଅପରାଧୀଙ୍କୁ ଜେଲ୍‍ରେ ସେମାନଙ୍କ ସଂସ୍କାରିତ ଜୀବନ ଆଧାରରେ କାରାମୁକ୍ତ କରାଯାଇଥିବାବେଳେ ଦାରା କିନ୍ତୁ ଅଟକ ଅଛନ୍ତି । ଯୁବକ ଅବସ୍ଥାରେ ସେ ଅପରାଧ ଘଟାଇଥିବାବେଳେ ବାର୍ଦ୍ଧକ୍ୟରେ ଏବେ ଉପନୀତ । ଏହି ସ୍ପର୍ଶକାତର ପ୍ରସଂଗ ଉପରେ ବିଭିନ୍ନ ମହଲ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦଣ୍ଡ ପୁନଃ ସମୀକ୍ଷା ବୋର୍ଡ କ’ଣ ନିଷ୍ପତ୍ତି ନେଉଛନ୍ତି ଏବଂ ତାହା ଉପରେ ରାଜ୍ୟ ସରକାର କି ପ୍ରକାର ପଦକ୍ଷେପ ଗ୍ରହଣ କରିବେ ତାହା ସମ୍ଭବତଃ ଜୁଲାଇ ୧୩ ପୂର୍ବରୁ ସ୍ପଷ୍ଟ ହୋଇପାରେ ବୋଲି ଅନୁମାନ କରାଯାଉଛି । (ତଥ୍ୟ)