ଭୁବନେଶ୍ୱର : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଓ ଏହାର ପ୍ରତିକ୍ରିୟା ଏବଂ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଂଗରେ ବସାଯାଇଥିବା ତଦନ୍ତ କମିଶନ ରିପୋର୍ଟ ବର୍ଷବର୍ଷ ଧରି ସର୍ବସାଧାରଣରେ ପ୍ରକାଶ କରାଯାଉନଥିବା ଘେନି ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଉଛି । ଏହି ରିପୋର୍ଟ କେବେ ବିଧାନସଭାରେ ଉପସ୍ଥାପିତ ହେବ ଓ ରିପୋର୍ଟରେ ଥିବା ସୁପାରିଶ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ମଧ୍ୟ ଉତ୍ସୁକତା ପ୍ରକାଶ ପାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଫୁଲବାଣୀର ଚକାପାଦ ଆଶ୍ରମରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହାର ପ୍ରତିକ୍ରିୟା ସ୍ୱରୂପ ବ୍ୟାପକ ହିଂସାକାଣ୍ଡ ମଧ୍ୟ ଉପୁଜିଥିଲା । ଏହି ଘଟଣା ପରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଥିଲା ଏବଂ ମେଣ୍ଟ ସରକାରରୁ ବିଜେପି ଓହରିଯାଇଥିଲା । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଜନିତ ଘଟଣାର ନିରପେକ୍ଷ ତଦନ୍ତ ଲାଗି ଓଡ଼ିଶା ସରକାର କମିଶନ ଅଫ୍ ଇନ୍କ୍ୱାରୀ ଆକ୍ଟ ଆଧାରରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଇଥିଲେ । ସାକ୍ଷ୍ୟ, ପ୍ରମାଣ ଆଧାରରେ କମିଶନ ତାଙ୍କ ରିପୋର୍ଟ ଦେବାର ଇତିମଧ୍ୟରେ ପ୍ରାୟ ୧୫ବର୍ଷ ଅତିକ୍ରମ କରିଗଲାଣି । ସେ ସମୟରେ ଏହି ରିପୋର୍ଟକୁ ସାର୍ବଜନୀନ କରିବା ଲାଗି ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ବିଜେପି ପକ୍ଷରୁ ଦୃଢ଼ ଦାବି କରାଯାଇଥିଲା । ତେବେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠିତ ହେବାର ୨ ବର୍ଷ ପୂରିବାକୁ ଯାଉଥିବାବେଳେ ଏହି ରିପୋର୍ଟ କିନ୍ତୁ ଏଯାବତ୍ ବିଧାନସଭାରେ ଉପସ୍ଥାପିତ ହୋଇନାହିଁ କିମ୍ବା ଏଥିରେ କ’ଣ ସବୁ ରହିଛି ତାହା ଲୋକେ ମଧ୍ୟ ଜାଣିପାରୁ ନାହାନ୍ତି ।
ସେହିଭଳି ପୁରୀ ଶ୍ରୀମନ୍ଦିରର ନିରାପତ୍ତା ସ୍ଥିତି ଯାଞ୍ଚ ଲାଗି ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଦଳ ଗଠନ କରାଯାଇଥିଲା । ଏମାନେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗୃହର ସ୍ଥିତି ପରଖିବା ଲାଗି ଯିବାବେଳେ ରତ୍ନଭଣ୍ଡାରର ଦ୍ୱାର ବନ୍ଦ ଥିବାରୁ ଭିତର ପ୍ରବେଶ କରିପାରିନଥିଲେ । ସେତେବେଳେ ରତ୍ନଭଣ୍ଡାର ଚାବି ହଜିଯାଇଥିବା ଘେନି ଚର୍ଚ୍ଚା ହୋଇଥିଲା । ପରବର୍ତ୍ତୀ ସମୟରେ ପୁରୀ କଲେକ୍ଟରେଟ୍ ରେକର୍ଡ ରୁମ୍ରେ ଏକ ଚାବି ମିଳିଥିଲା ଏବଂ ତାହା ଭିତର ରତ୍ନଭଣ୍ଡାରର ବୋଲି କୁହାଯାଇଥିଲା । ଏହି ଘଟଣା ଘେନି ସାଧାରଣ ଲୋକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା କମିଶନ ବସାଇ ଘଟଣାର ତଦନ୍ତ କରିଥିଲେ । ଅବସରପ୍ରାପ୍ତ ବିଚାରପତି ତଦନ୍ତ ରିପୋର୍ଟ ମଧ୍ୟ ସରକାରଙ୍କୁ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ଅବସରପ୍ରାପ୍ତ ବିଚାରପତି ଜଣକ ରାଜ୍ୟ ମାନବିଧିକାର କମିଶନର ଦାୟିତ୍ୱ ନେଇ ସେଠାରୁ ବି ଅବସର ଗ୍ରହଣ କରିସାରିଲେଣି ।
ଏହି ଚାବି ହଜା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ପାଇଁ ବିଜେପି ପକ୍ଷରୁ ସେତେବେଳର ବିଜେଡି ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଉଥିଲା । ଇତିମଧ୍ୟରେ ଓଡ଼ିଶା ହାଇକୋର୍ଟ ବିଧାନସଭାର ଗତ ବଜେଟ୍ ଅଧିବେଶନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ ଉକ୍ତ ରିପୋର୍ଟଟି ବିଧାନସଭାରେ ଉପସ୍ଥାପନ କରିବାକୁ ସ୍ପଷ୍ଟ ଭାବେ କହିଥିଲେ । ତଥାପି ମଧ୍ୟ ବିଧାନସଭାରେ ଏଯାବତ୍ ଏହି ରିପୋର୍ଟ ଉପସ୍ଥାପିତ ହୋଇନାହିଁ ।
ଏଠାରେ ଉଲ୍ଲେଖନୀୟ ଯେ ବିଭିନ୍ନ ପ୍ରସଂଗରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ କମିଶନ ବସାଉଛନ୍ତି । ଆଇନାନୁଯାୟୀ କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯିବା କଥା । କିନ୍ତୁ ବହୁ କ୍ଷେତ୍ରରେ ରିପୋର୍ଟ ଉପସ୍ଥାପନ କରାଯାଉନାହିଁ । ଅତୀତରେ ଶ୍ରୀମନ୍ଦିରରେ ଦଳାଚକଟା ଘଟଣାର ତଦନ୍ତ କରି ଜଷ୍ଟିସ ମହାପାତ୍ର କମିଶନ ଯେଉଁ ରିପୋର୍ଟ ଦେଇଥିଲେ ତାହା କୁଆଡ଼େ ହଜିଗଲା ଏବଂ ଏହି ହଜିବା ରିପୋର୍ଟ ସଂକ୍ରାନ୍ତରେ ଅନ୍ୟ ଏକ କମିଶନକୁ ଦାୟିତ୍ୱ ଦିଆଯାଇଥିଲା । ଆଞ୍ଚଳିକ ବୈଷମ୍ୟ କମିଶନଠାରୁ କୃଷକ କମିଶନ, ଶ୍ରୀମନ୍ଦିର ସଂସ୍କାର କମିଶନ, ଚିଟ୍ଫଣ୍ଡ କମିଶନ ଆଦି ଯେତେସବୁ ରିପୋର୍ଟ ଦେଇଛନ୍ତି ସେଗୁଡ଼ିକରେ କ’ଣ ରହିଛି ଓ ତାହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ସାଧାରଣ ଲୋକେ ଓ ବିଧାୟକମାନେ ଅନ୍ଧାରରେ ଥିବା କୁହାଯାଉଛି ।(ତଥ୍ୟ)

