ଭୁବନେଶ୍ୱର : ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଘୋଷିତ ବିଜୁଳି କାଟ୍ ଏବେ ଲୋକଙ୍କୁ କଲବଲ କରୁଥିବାବେଳେ ବିଦ୍ୟୁତ୍ ଭିତ୍ତିଭୂମି ବିଶେଷକରି ପୁରୁଣା ବିଦ୍ୟୁତ୍ ତାର ଓ ଟ୍ରାନଫର୍ମର ନିୟମିତ ବ୍ୟବଧାନରେ ବଦଳାଯାଉନଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବିଜୁଳି କାଟ୍କୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇବାରେ ଲାଗିଛନ୍ତି । ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଥିବାବେଳେ ବିଦ୍ୟୁତ୍ କାଟ୍ ସେମାନଙ୍କ ଯନ୍ତ୍ରଣାକୁ ବହୁଗୁଣିତ କରିଦେଇଛି । ତେଣୁ ଲୋକେ ବିଦ୍ୟୁତ୍ ଅଫିସ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ଉପରେ ନିଜର ରାଗ ଶୁଝାଉଛନ୍ତି । କେଉଁଠି ଶାଢୀ ପିନ୍ଧି ପ୍ରତିବାଦ କରୁଛନ୍ତି ତ ଆଉ କେଉଁଠି ବିଜୁଳି ବିଭାଗର ଦପ୍ତରରେ ତାଲା ପକାଇଲେଣି ।
ତେବେ ଏତେସବୁ ପାଇଁ ଦୁର୍ବଳ ଭିତ୍ତିଭୂମି ଦାୟୀ ବୋଲି ଶକ୍ତି ସମୀକ୍ଷକମାନେ ମତ ଦେଉଛନ୍ତି । ସେମାନଙ୍କର କହିବାକଥା ହେଲା ଯେ ଏଲ୍ଟି ଲାଇନ୍ ସହିତ ୧୧କେ.ଭି ଲାଇନ୍ ତାରଗୁଡିକୁ କର୍ତ୍ତୃପକ୍ଷ ନିୟମିତ ବ୍ୟବଧାନରେ ପରିବର୍ତ୍ତନ କରୁନାହାନ୍ତି । ସେହିଭଳି ଅବସ୍ଥା ଟ୍ରାନ୍ସଫର୍ମରଗୁଡିକର । ଉଭୟ ବିଦ୍ୟୁତ୍ ତାର ଓ ଟ୍ରାନ୍ସଫର୍ମରଗୁଡିକର ଜୀବନକାଳ ୨୫ବର୍ଷ ହୋଇଥିବାବେଳେ ଏଗୁଡିକୁ କିନ୍ତୁ ନିୟମିତ ବ୍ୟବଧାନରେ ବଦଳାଯାଉ ନାହିଁ କିମ୍ବା ବଦଳାଇବାପାଇଁ ସେଭଳି କୌଣସି ଯୋଜନାବଦ୍ଧ ପଦକ୍ଷେପ ନିଆଯାଉନାହିଁ । ଏଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବାବେଳେ ସେ ଦିଗରେ ବିଦ୍ୟୁତ୍ ବିତରଣ କମ୍ପାନୀ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।
ତେବେ ରାଜ୍ୟରେ ବିଦ୍ୟୁତ୍ ବ୍ୟବସ୍ଥାର ସୁଧାର ପାଇଁ କେନ୍ଦ୍ରୀୟ ସହାୟରେ ରାଜ୍ୟରେ କାପେକ୍ସ ଯୋଜନା କାର୍ଯ୍ୟକାରୀ ହୋଇଥିବାବେଳେ ଏଥିରେ ପ୍ରାୟ ୧୨୦୦ କୋଟି ଟଙ୍କା ବ୍ୟୟ ହୋଇଥିଲା । ଏହି ଅର୍ଥରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ତାର ବଦଳାଯିବା ସହିତ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ହୋଇଥିବା ଦର୍ଶାଯାଇଥିଲା । ତେବେ ଏତେ ସବୁ ସତ୍ୱେ ଖରାଦିନରେ ଚାପ ବଢିବାମାତ୍ରେ ବିଭିନ୍ନ ସ୍ଥାନରେ ବିଜୁଳି ବିଭ୍ରାଟ ପରିଲକ୍ଷିତ ହୋଇଛି । ଅବସ୍ଥା ଏଭଳି ହୋଇଛି ଯେ ସ୍ଥାନୀୟ ବିଦ୍ୟୁତ୍ କର୍ତ୍ତୃପକ୍ଷ ନିଜର ଅସହାୟତା ପ୍ରକାଶ କରୁଛନ୍ତି ।
ରାଜ୍ୟରେ ଗ୍ରୀଷ୍ମ ପ୍ରଦାହ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ସତର୍କ ସୂଚନା ଜାରି କରିଥିବାବେଳେ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ କାହିଁକି ଏଥିପାଇଁ ନିଜକୁ ପ୍ରସ୍ତୁତ କରୁନାହାନ୍ତି ବୋଲି ଶକ୍ତି ସମୀକ୍ଷକମାନେ ପ୍ରଶ୍ନ କରୁଛନ୍ତି । କେବଳ ବଛା ବଛା କିଛି ସହରାଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରୁଥିବାବେଳେ ଗାଁ ଗହଳ ପ୍ରତି ଯେଭଳି ଦୃଷ୍ଟି ଦିଆଯିବାକଥା ତାହା ହେଉନାହିଁ । ଫଳରେ ରାଜ୍ୟରେ ତାତି ବଢିବା ସହିତ ଗାଁ ଗହଳରେ ଏବେ ବିଜୁଳିକାଟକୁ ନେଇ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଚଳିତବର୍ଷ ଗାଁ ଗହଳରେ ପାନୀୟଜଳ ସଙ୍କଟକୁ ନେଇ ଯେତିକି ଅଭିଯୋଗ ଆସୁଛି ତାହାଠାରୁ ଢେର ଅଭିଯୋଗ ବିଜୁଳି କାଟ୍କୁ ନେଇ ଆସିବାରେ ଲାଗିଛି ।
ବିତରଣ କମ୍ପାନୀ ଠିକଣା ସମୟରେ ବିଜୁଳି ବିଲ୍ ଆଦାୟ କରୁଥିବାବେଳେ ଖରାଦିନରେ ଅଧିକ ବ୍ୟବହାର ପାଇଁ ଗ୍ରାହକମାନେ ଅଧିକ ଅର୍ଥ ଗଣୁଛନ୍ତି । ଏହି ସମୟରେ ବିତରଣ କମ୍ପାନୀର ଆୟ ବଢୁଥିବାବେଳେ ଭିତ୍ତିଭୂମି ସୁଦୃଢ କରୁନଥିବାରୁ ଏବେ ସାରା ରାଜ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଓଡିଶା ବିଦ୍ୟୁତ୍ ନିୟାମକ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେବାରେ ଲାଗିଛି । (ତଥ୍ୟ)

