Home General ରନ୍ଧନ ଗ୍ୟାସ ପାଇଁ ଅପେକ୍ଷା କରିବାକୁ ମେସେଜ୍‍

ରନ୍ଧନ ଗ୍ୟାସ ପାଇଁ ଅପେକ୍ଷା କରିବାକୁ ମେସେଜ୍‍

ଭୁବନେଶ୍ୱର : ରନ୍ଧନ ଗ୍ୟାସର ଅଭାବ ନାହିଁ ବୋଲି ତୈଳ କମ୍ପାନୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ କହୁଥିବାବେଳେ ଖାଉଟିଙ୍କର ଯନ୍ତ୍ରଣା କିନ୍ତୁ କମୁନାହିଁ । ନିର୍ଦ୍ଧାରିତ ସମୟରେ ଗ୍ୟାସ ବୁକିଂ କଲେ ମଧ୍ୟ ବାରମ୍ବାର ସମୟ ଗଡାଇ ଦିଆଯାଉଛି ।

ରନ୍ଧନ ଗ୍ୟାସ ବୁକିଂ ପାଇଁ ପ୍ରଥମେ ୨୧ଦିନ ସମୟ ବ୍ୟବଧାନ ଥିବାବେଳେ ତାହାକୁ ୨୫ ଦିନକୁ ବୃଦ୍ଧି କରାଯାଇଥିଲା । ତେବେ ଧାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଯେଉଁମାନେ ଗ୍ୟାସ ବୁକିଂ କରୁଛନ୍ତି ସେମାନଙ୍କୁ ପ୍ରଥମେ ସପ୍ତାହକ ମଧ୍ୟରେ ସିଲିଣ୍ଡର ମିଳିଯିବ ବୋଲି ମେସେଜ ଆସିବା ସହିତ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ କୁହାଯାଉଛି । ହେଲେ କେତେକ ଗ୍ରାହକଙ୍କର ସପ୍ତାହକ ମଧ୍ୟରେ ସିଲିଣ୍ଡର ନଆସିବାରୁ ସେମାନେ ଫୋନ୍‍ କରୁଛନ୍ତି । ଫୋନ୍‍ର ଉତ୍ତର ଦେବା ବଦଳରେ ପୁଣିଥରେ ଆଉ ସପ୍ତାହକ ପାଇଁ ଅପେକ୍ଷା କରିବାକୁ ମେସେଜ୍‍ ଆସୁଛି ।

ଏଭଳି ମେସେଜ୍‍ ପାଉଥିବା ଲୋକେ ଏବେ କାହାକୁ ଅଭିଯୋଗ କରିବେ ଜାଣିପାରୁ ନାହାନ୍ତି । କାରଣ ଗ୍ରାହକମାନଙ୍କର ସିଧାସଳଖ ଫୋନ୍‍ କେହି ଧରିବା ସମ୍ଭବପର ହେଉନାହିଁ । ମେସେଜ୍‍ ପଠାଇଲେ ତୁରନ୍ତ ଅପେକ୍ଷା କରିବାକୁ ତୈଳ କମ୍ପାନୀରୁ ମେସେଜ ଆସୁଛି । ଫଳରେ ଯେଉଁମାନଙ୍କର ଗ୍ୟାସ ସରିଯାଉଛି ସେମାନେ ଏବେ ଖୋଦ୍‍ ରାଜଧାନୀରେ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି । କେତେକ ଲୋକେ ତ କଳାବଜାରେ ମିଳୁଥିବା ଗ୍ୟାସକୁ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି ।

ସେହିଭଳି ଏବେ ବି ଛୋଟ ଛୋଟ ବ୍ୟବସାୟୀମାନେ ପୂର୍ବଭଳି ଗ୍ୟାସ ସିଲିଣ୍ଡରଟିଏ ପାଉନାହାନ୍ତି । ବ୍ୟବସାୟିକ ଗ୍ୟାସ ସିଲିଣ୍ଡରକୁ ଚଢା ଦରରେ କିଣିବା ଏମାନଙ୍କ ପକ୍ଷେ ସମ୍ଭବପର ନୁହେଁ । ତେଣୁ ରାସ୍ତାକଡ ବ୍ୟବସାୟୀମାନେ ଘରୋଇ ଗ୍ୟାସ ସିଲିଣ୍ଡରରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ । କେତେକ ବ୍ୟବସାୟୀ ନିଜ ଘରେ ଖାଦ୍ୟ ପ୍ରସ୍ତୁତ କରି ଆଣି ବିକ୍ରି କରୁଥିଲେ । ଗ୍ୟାସ ଯୋଗାଣରେ କଟକଣା ଯୋଗୁଁ ରାଜଧାନୀର ଅନେକ ଛୋଟ ଛୋଟ ଖାଇବା ଦୋକାନରୋ ତାଲା ଝୁଲିଥିବାବେଳେ ଆଉ କିଛି ଦୋକାନୀ ଗ୍ୟାସ୍‍ ସଙ୍କଟ ଆଳରେ ଖାଦ୍ୟ ସାମଗ୍ରୀର ଆକାର ଛୋଟ ସହିତ ତାହାର ଦାମ୍‍ ବଢାଇ ଦେଇଛନ୍ତି ।

ରାଜ୍ୟରେ ରନ୍ଧନ ଗ୍ୟାସର ଅଭାବ ନାହିଁ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବାରମ୍ବାର କୁହାଯାଉଛି । ନିୟମିତ ସମୀକ୍ଷା ବି ହେଉଛି । ସେହିଭଳି ରାଷ୍ଟ୍ରାୟତ ତୈଳକମ୍ପାନୀମାନେ ସାମ୍ବାଦିକ ସମ୍ମିଳନୀ କରି ମଧ୍ୟ ସମାନ କଥାକୁ ଦୋହରାଉଛନ୍ତି । ଏହା ସତ୍ୱେ ବି ଖାଉଟିମାନଙ୍କ ନିକଟକୁ କାହିଁକି ଗ୍ୟାସ ବୁକିଂ କରିବାରେ ଧୈର୍ଯ୍ୟର ସହ ଅପେକ୍ଷା କରିବାପାଇଁ ବାରମ୍ବାର ମେସେଜ୍‍ ଆସୁଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି ।

ବାସ୍ତବ ହିତାଧିକାରୀମାନେ ଗ୍ୟାସ ସିଲିଣ୍ଡରଟିଏ ପାଇଁ ଏଭଳି ହୀନସ୍ତା ହେଉଥିବାବେଳେ ଯେଉଁମାନଙ୍କର ଗ୍ୟାସ ସଂଯୋଗ ନାହିଁ କିମ୍ବା ଅଧିକ ଗ୍ୟାସ ଆବଶ୍ୟକ ହେଉଛି ସେମାନେ ଏବେ ବି କଳାବଜାରରୁ ଅଧିକ ଦରରେ ଗ୍ୟାସ ଖରିଦ କରୁଛନ୍ତି । ତେବେ ବାସ୍ତବ ହିତାଧିକାରୀମାନେ ବୁକିଂ କରୁଥିବା ଗ୍ୟାସ ପାଇଁ କାହିଁକି ଅଧିକ ସମୟ ଲାଗୁଛି ଓ ସେମାନଙ୍କ ସିଲିଣ୍ଡର କେଉଁଆଡେ ଯାଉଛି ତାହାର ସଠିକ ତଦାରଖ କରାଗଲେ ପ୍ରକୃତ ହିତାଧିକାରୀମାନେ ହନ୍ତସନ୍ତ ହୁଅନ୍ତେ ନାହିଁ । (ତଥ୍ୟ)