ଭୁବନେଶ୍ୱର : ରାଜ୍ୟରେ ନବଜାତ ଶିଶୁ ମୃତ୍ୟୁ ହାର ହ୍ରାସ ପାଉଥିବାବେଳେ ଆଦିବାସୀ ଅଞ୍ଚଳରେ କିନ୍ତୁ ଏହା ଏବେ ବି ଅଧିକ ରହିଛି । ରାଜ୍ୟରେ ନବଜାତକଙ୍କ ମୃତ୍ୟୁସଂଖ୍ୟା ହାରାହାରି ୧୨ ରହିଥିବାବେଳେ କେତେକ ଆଦିବାସୀ ଜିଲ୍ଲାରେ ଏହା ଦୁଇଗୁଣରୁ ଅଧିକ ରହିଛି ।
ସରକାରୀ ହିସାବରେ ରାଜ୍ୟରେ ଗତ ତିନିବର୍ଷ ଧରି ଲଗାତାର ଭାବେ ନବଜାତକଙ୍କ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି । ୨୦୨୨-୨୩ ରେ ଏହା ହାରାହାରି ୧୪ ରହିଥିବାବେଳେ ୨୦୨୩-୨୪ ବର୍ଷରେ ୧୩ ଓ ୨୦୨୪-୨୫ ବର୍ଷରେ ଏହା ୧୨କୁ ହ୍ରାସ ପାଇଥିଲା । ତେବେ ରାଜ୍ୟରେ ହାରାହାରି ଭାବେ ପ୍ରତି ହଜାରେ ନବଜାତକରେ ୧୨ ଜଣ ମୃତ୍ୟୁମୁଖରେ ପଡୁଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଏହା ୨୭ ଓ କନ୍ଧମାଳ ଜିଲ୍ଲାରେ ୨୪ ରହିଛି । ତେବେ କଳାହାଣ୍ଡି ଜିଲ୍ଲାରେ ଗତ ତିନିବର୍ଷରେ ଏହା ୩୨ରୁ ହ୍ରାସ ପାଇ ୨୭ ହୋଇଥିବାବେଳେ କନ୍ଧମାଳରେ ତିନିବର୍ଷ ଧରି ଏହା ଏକ ପ୍ରକାର ଅପରିବର୍ତ୍ତିତ ରହିଛି ।
ଅନ୍ୟ ଯେଉଁସବୁ ଜିଲ୍ଲାରେ ରାଜ୍ୟର ହାରାହାରି ସଂଖ୍ୟାଠାରୁ ଅଧିକ ନବଜାତକ ମରୁଛନ୍ତି ସେଥି ମଧ୍ୟରେ ରହିଛି ବଲାଙ୍ଗିରରେ ୧୯, ମୟୁରଭଞ୍ଜରେ ୧୮, ବୌଦ୍ଦରେ ୧୭, ବରଗଡରେ ୧୬, ନବରଙ୍ଗପୁରରେ ୧୫, ରାୟଗଡା, ନୂଆପଡା ଓ କେନ୍ଦୁଝରରେ ୧୪ କରି, ଦେବଗଡ, ଗଜପତି ଓ ଢେଙ୍କାନାଳରେ ୧୩ କରି ରହିଛି । ସବୁଠାରୁ କମ୍ ଖୋରଧା ଜିଲ୍ଲାରେ ଏହା ୩ ଥିବାବେଳେ କଟକ ଜିଲ୍ଲାରେ ୭ ରହିଛି ।
ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲାରେ ନବଜାତ ଶିଶୁ ମୃତ୍ୟୁହାର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଏହାର ମୁକାବିଲା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି । ଘରେ ଲୋକେ ଯେଭଳି ନବଜାତକମାନଙ୍କର ଭଲ ଭାବେ ଯତ୍ନ ନେଇପାରିବେ ସେଥିପାଇଁ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ସମସ୍ତ ଡାକ୍ତରଖାନାରେ ନବଜାତ ଶିଶୁ ଯତ୍ନ କେନ୍ଦ୍ର (ଏସଏନସିୟୁ) ପ୍ରତିଷ୍ଠା ହେଉଥିବାବେଳେ ଶିଶୁ ଯତ୍ନ ସହିତ ଜଡିତ ସ୍ୱାସ୍ଥ୍ୟକର୍ମୀମାନଙ୍କର ଦକ୍ଷତା ବୃଦ୍ଧି ଲାଗି ମୁସ୍କାନ କାର୍ଯ୍ୟକ୍ରମ, ପ୍ରସବ ପରେ ନବଜାତକଙ୍କୁ ଭିଟାମିନ୍-କେ ଇଞ୍ଜେକସନ ଦିଆଯାଉଛି ।
ତେବେ ଚିକିତ୍ସା ବିଶେଷଜ୍ଞମାନଙ୍କ କହିବାକଥା ଯେ ଆଦିବାସୀ ବହୁଳ ଜିଲ୍ଲାଗୁଡିକରେ ମହିଳାମାନଙ୍କ ଠାରେ ଦେଖା ଦେଉଥିବା ରକ୍ତ ହୀନତା ହିଁ ନବଜାତ ମୃତ୍ୟୁର ଅନ୍ୟତମ କାରଣ ସାଜୁଛି । ସେହିଭଳି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଘରେ ସନ୍ତାନ ପ୍ରସବ ଯୋଗୁଁ ମଧ୍ୟ କେତେକ ନବଜାତକ ଜନ୍ମ ସମୟରେ ହିଁ ଆଖିବୁଜି ଦେଉଛନ୍ତି ।
ରାଜ୍ୟରେ ମାତୃ ଓ ଶିଶୁ ସୁରକ୍ଷା ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଆଦିବାସୀ ବହୁଳ ଜିଲ୍ଲାଗୁଡିକରେ କିନ୍ତୁ ଏହା ଉପକୂଳ ଜିଲ୍ଲା ଭଳି ଦ୍ରୁତ ଗତିରେ ପ୍ରଭାବ ପକାଇ ପାରୁନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)

